ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକଡାଉନ ପିରିୟଡରେ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ଲୋକଙ୍କର କିଭଳି ଦିନ କଟୁଛି, ଘରେ ରହିବା ବେଳେ କ’ଣ କରୁଛନ୍ତି? ଜାଣିବା ପାଇଁ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ‘ଲକଡାଉନ୍‌ ଡାଏରୀ’ ଭଳି ଏକ ନିଆରା ଉଦ୍ୟମ ହୋଇଛି। ଏହି କ୍ରମରେ ଆମର ଯୋଗାଯୋଗ ହୋଇଛି ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ ଉଷସୀ ମିଶ୍ରଙ୍କ ସହ। ଆମେ ଜାଣିବାକୁ ଚାହିଁଥିଲୁ କେମିତି ରହିଛି ତାଙ୍କ ଲକଡାଉନ୍‌ ରୋଟିନ?

ସମୟ ଥିଲା ଯେତେବେଳେ ଫିଲ୍ମରେ ସେ ଏଣ୍ଟ୍ରି ମାରୁଥିଲେ ଦର୍ଶକ ଚାହିଁ ରହି ଯାଉଥିଲେ। ସିରିଏଲରେ ତାଙ୍କର ଦମଦାର ଡାଇଲଗ ଦର୍ଶକଙ୍କୁ ଘାଇଲା କରୁଥିଲା ଆଉ ଯାତ୍ରା ମଞ୍ଚରେ ସେ ଚାଲିଗଲେ ଦର୍ଶକ ଦିଓ୍ୱାନା ହେଉଥିଲେ। ଏବେ ମଧ୍ୟ ତାଙ୍କର ଷ୍ଟାଇଲ, ହାଇଟ୍‌ ଓ ବିୟୁଟିର ପ୍ରଶଂସା କରନ୍ତି ସମସ୍ତେ। ସେ ହେଲେ ଓଲିଉଡର ଜଣେ ଖ୍ୟାତନାମା ଅଭିନେତ୍ରୀ ଉଷସୀ ମିଶ୍ର। ଏବେ ଲକଡାଉନ ଯୋଗୁଁ ଘରେ ନିଜକୁ ତାଲା ପକାଇଛନ୍ତି ସେ। ସବୁବେଳେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଉଥିବା ଏହି ଅଭିନେତ୍ରୀ ଲକ୍‌ଡାଉନରେ କେମିତି ଦିନ କାଟୁଛନ୍ତି, ତାଙ୍କର ଦିନଚର୍ଯ୍ୟା କ’ଣ ରହିଛି ଆସନ୍ତୁ ଜାଣିବା।

ପ୍ରତିଦିନ ସକାଳ ୫ଟାରୁ ଉଠନ୍ତି। ବାଡ଼ିରୁ ଫୁଲ ତୋଳିବା, ଗଛରେ ପାଣି ଦେବା, ପୋଷା କୁକୁରୁ, ବିଲେଇଙ୍କ ଖାଇବା ବ୍ୟବସ୍ଥା କରନ୍ତି। ସେମାନଙ୍କ କାମ ସାରି ନିଜେ ଗୋଟିଏ କପ୍‌ ଚା ପିଅନ୍ତି। ଏମିତି ତାଙ୍କର ସକାଳ ସମୟ ବିତିଯାଏ ବୋଲି କହିଛନ୍ତି ଉଷସୀ ମିଶ୍ର।

ସେ ଆହୁରି କହିଛନ୍ତି, ‘‘ଦିନ ୧୨/୧ ସୁଦ୍ଧା ରୋଷେଇ ସାରି ଦିଏ। ରୋଷେଇ ସରିବା ପରେ ଖାଇବା ପିଇବା ସାରି ନେଟଫ୍ଲିକ୍ସରେ ଫିଲ୍ମ ଦେଖେ ନହେଲେ କିଛି ବହି ପଢ଼େ। ଏହାକୁ ଛାଡ଼ିଦେଲେ ଏବେ ଡିଜିଟାଲ ଦୁନିଆକୁ ଜାଣିବା ପାଇଁ ସମୟ ମିଳିଛି। ତେଣୁ ମୁଁ ଏଥିରେ ନୂଆ ନୂଆ ଜିନିଷ ଶିଖୁଛି’’।

ସେହିପରି ଏହି ସମୟରେ ଫିଲ୍ମ, ସିରିଏଲର ସୁଟିଂ ବନ୍ଦ ଥିବାରୁ ଫ୍ୟାନ୍ସଙ୍କ ପାଇଁ ସଜବାଜ ହୋଇ ଫଟୋ ଉଠାଉଛନ୍ତି ଉଷସୀ। ସେହି ଫଟୋକୁ ସୋସିଆଲ ମିଡିଆରେ ସେ ସେୟାର କରୁଛନ୍ତି। ଏଥିସହିତ ନୂଆ ନୂଆ ଖାଇବା ମଧ୍ୟ ପ୍ରସ୍ତୁତ କରିବା ସହ କରୋନା ପରବର୍ତ୍ତୀ ସମୟ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ସେ।

ଉଷସୀଙ୍କ କହିବା କଥା, ‘‘ଲକ୍‌ଡାଉନ ପାଇଁ ମୁଁ ବୁଝି ପାରିଛି ଯେ ମୁଁ ବହୁତ ଅଳ୍ପରେ ବି ଶାନ୍ତିରେ ରହିପାରେ। ଏମିତି ସମୟକୁ ଅନ୍ୟମାନେ ବି ଆଶୀର୍ବାଦ ଭାବନ୍ତୁ। ଜୀବନର ରେସ୍‌ରେ ଆମେ ଦୌଡ଼ି ଦୌଡ଼ି ବାଟବଣା ହୋଇଗଲେଣି। ଖୁସି ହେବାକୁ ବଡ଼ କାରଣ କିଛି ଦରକାର ପଡ଼ୁଛି। କିନ୍ତୁ ଲକଡାଉନ ଆମକୁ ଶିଖାଇଛି ଯେ କେତେ କମ୍‌ରେ ଆମେ କେତେ କ୍ରିଏଟିଭ୍‌ ହୋଇପାରିବା। ଏବେ ଆରାମ୍‌ କରନ୍ତୁ। ଆଗକୁ ପୁଣି ରେସ୍‌ରେ ଦୌଡ଼ିବାର ଅଛି।’’

ଗୋଟିଏ ସମୟ ଥିଲା ଓଡ଼ିଆ ଫିଲ୍ମରେ ଉଷସୀଙ୍କର ରାଜ ଚାଲିଥିଲା। ‘ରହିଛି ରହିବି ତୋରି ପାଇଁ’ , ‘ଧର୍ମର ହେବ ଜୟ‘, ‘ଏଇଠି ସ୍ୱର୍ଗ ଏଇଠି ନର୍କ’ ଏବଂ ଆହୁରି ଅନେକ ଓଡିଆ ଫିଲ୍ମରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିଥିଲେ ଉଷସୀ। ଯାତ୍ରା ଜଗତରେ ମଧ୍ୟ ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ମତୁଆଲା କରିଛି।

Comment