ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

  • ହଟ୍‌ସ୍ପଟ୍‌, ନନ୍‌ ହଟ୍‌ସ୍ପଟ୍‌ ଏବଂ ଗ୍ରୀନ୍‌ କ୍ୟାଟେଗୋରୀରେ ରହିବେ ସବୁ ଜିଲ୍ଲା
  • ଦେଶରେ ୧୭୦ ହଟ୍‌ସ୍ପଟ୍‌ ଜିଲ୍ଲା ଚିହ୍ନଟ
  • ନନ୍‌ ହଟ୍‌ସ୍ପଟ୍‌ ଜିଲ୍ଲା ସଂଖ୍ୟା ୨୭୦
  • କଣ୍ଟେନମେଣ୍ଟ ଜୋନ୍‌ରେ ଘର ଘର ବୁଲି ହେବ ଯାଞ୍ଚ
  • ସାମାନ୍ୟ ଲକ୍ଷଣ ଦେଖାଗଲେ ହେବ ନମୁନା ପରୀକ୍ଷା
  • ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୯୨

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ କରିଛନ୍ତି ସ୍ଵତନ୍ତ୍ର ରଣନୀତି। ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ସ୍ତରରୁ ବ୍ୟାପକ ପଦକ୍ଷେପ ନେବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଦେଶର ବିଭିନ୍ନ ଜିଲ୍ଲାକୁ ତିନୋଟି ଲେଖାଏଁ ଜୋନ୍‌ରେ ବିଭକ୍ତ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ଦେଶର ବିଭିନ୍ନ ଜିଲ୍ଲାକୁ ହଟ୍‌ସ୍ପଟ୍‌, ନନ୍‌ ହଟ୍‌ସ୍ପଟ୍‌ ଏବଂ ଗ୍ରୀନ୍‌ ଜୋନ୍‌ରେ ବିଭକ୍ତ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରୱାଲ ସୂଚନା ଦେଇଛନ୍ତି। କ୍ୟାବିନେଟ୍‌ ସଚିବ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ବର୍ତ୍ତମାନ ଦେଶରେ ୧୭୦ଟି ହଟ୍‌ସ୍ପଟ ଜିଲ୍ଲା ଚିହ୍ନଟ ହୋଇଥିବା ବେଳେ ୨୦୧୭ଟି ନନ୍‌ ହଟ୍‌ସ୍ପଟ୍‌ ଜିଲ୍ଲା ଚିହ୍ନଟ ହୋଇଛି। ଯେଉଁ ଜିଲ୍ଲାରୁ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇଥିବେ ସେ ଜିଲ୍ଲା ନନ୍‌ ହଟ୍‌ସ୍ପଟ୍‌ ଜିଲ୍ଲା କ୍ୟାଟେଗୋରୀରେ ରହିବ। ଯେଉଁ ଜିଲ୍ଲାରେ ସଂକ୍ରମିତ ନଥିବେ ତାହା ଗ୍ରୀନ୍‌ କ୍ୟାଟେଗୋରୀରେ ଆସିବ। ଯେମିତି ସେହି ଜିଲ୍ଲାରେ ଆଦୗ ସଂକ୍ରମଣ ନ ବ୍ୟାପିବ ସେଥ୍ରପତି ଧ୍ୟାନ ଦିଆଯିବ।

ଯେଉଁ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହେବେ ସେ ଅଞ୍ଚଳକୁ କେଣ୍ଟନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯିବ। କଣ୍ଟେନମେଣ୍ଟ ଜୋନ୍‌ରେ ଘର ଘର ବୁଲି ସର୍ଭେ କାରାଯାଇ ଯାଞ୍ଚ କରାଯିବ। ସାମାନ୍ୟ ଲକ୍ଷଣ ଦେଖାଗଲେ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ। ଯେଉଁ ଜିଲ୍ଲାକୁ ସଂକ୍ରମଣ ବ୍ୟାପିନି ତରାକୁ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ କରାଯିବ।

coronaପ୍ରତି ଜିଲ୍ଲାକୁ କୋଭିଡ୍‌ କ୍ରାଇସିସ୍‌ ମ୍ୟାନେଜମେଣ୍ଟ ପ୍ଲାନ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଜିଲ୍ଲା ଏପ୍ରିଲ ୨୦ ତାରିଖ ଭିତରେ ହଟ୍‌ସ୍ପଟ୍‌ ଜୋନ୍‌ ଭିତରେ ନରହିବ ସେଠି ଲକ୍‌ଡାଉନ୍‌ କଟକଣା କିଛିମାତ୍ରାରେ କୋହଳ କରାଯିବ। ଲକ୍‌ଡାଉନ୍‌ ନିୟମ ଅନୁପାଳନ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବା ସର୍ତ୍ତରେ ନିୟମ କୋହଳ କରାଯିବ।

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ବ୍ୟାପକ ପ୍ରସ୍ତୁତି କରୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୯୨ରେ ପହଞ୍ଚିଥିବା ବେଳେ ୧୧ ହଜାର ୯୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୩୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ବେଳେ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ୩୦ ଛୁଇଁଲାଣି।

Comment