ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମନୋବିଜ୍ଞାନୀ ଡକ୍ଟର ଜଗନ୍ନାଥ ପ୍ରସାଦ ଦାସଙ୍କ ପରାମର୍ଶ।

କରୋନା ଭୂତାଣୁ ସଂକ୍ରମଣ ଆଜି ସାରା ବିଶ୍ୱ ପାଇଁ ଏକ ମହାମାରୀ ରୂପ ନେଇଛି। ଏହା ଘରେ ଘରେ ଲୋକଙ୍କ ଉପରେ ଗଭୀର ପ୍ରଭାବ ପକାଇଛି। ବିଶେଷକରି, ଲୋକେ ଆଜି ପରିସ୍ଥିତିରେ ପଡ଼ି ଘରେ ବାନ୍ଧି ହୋଇ ରହିଥିବାରୁ ଆଗାମୀ ଦିନରେ ଏହା ନାନା ମାନସିକ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ଦେଖାଦେଇଛି। ତେଣୁ ଏ ସମ୍ପର୍କରେ ସମସ୍ତେ ସଚେତନ ରହିବାକୁ ମନୋବିଜ୍ଞାନୀ ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ କହିଛନ୍ତି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥଙ୍କ ସହ ଟେଲିଫୋନ୍ କଥାବାର୍ତ୍ତା ବେଳେ ଡକ୍ଟର ଦାସ କହିଛନ୍ତି ଯେ, କରୋନା ପ୍ରକୃତରେ ଏକ ଟ୍ରମା। “ଆମ ଲୋକମାନେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଟ୍ରମା ଦେଇ ଗତି କରି ଆସୁଛନ୍ତି। ଏହା ପୂର୍ବରୁ ଫନି ଲକ୍ଷ ଲକ୍ଷ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଥିଲା। ତେଣୁ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ଭୋଗ କରିବା ଫଳରେ ଲୋକ ଦୁର୍ବଳମନା ହୋଇଯାଉଛନ୍ତି। ତାଙ୍କ ମନରେ ଗଭୀର ଉଦ୍‌ବେଗ, ରାଗ ମଧ୍ୟ ଆସୁଛି। ଭଗବାନ କାହିଁକି ଆମକୁ ଏଭଳି ବାରମ୍ବାର ଦଣ୍ଡ ଦେଉଛନ୍ତି ବୋଲି ସେମାନେ ମନକୁ ମନ ପ୍ରଶ୍ନ କରିଥାନ୍ତି”, କହିଛନ୍ତି ଡକ୍ଟର ଦାସ।

ମଣିଷ ଗୋଟିଏ ସାମାଜିକ ପ୍ରାଣୀ। ମଣିଷ ଯେତେବେଳେ ଏକୁଟିଆ ହୋଇଯାଉଛି, ତା’ଠାରେ ବିଭିନ୍ନ ପ୍ରକାରର ମାନସିକ ସମସ୍ୟା ଦେଖାଦେଉଛି। ତେଣୁ ଜଣେ ଲୋକ ବ୍ୟାପକ ସୋସିଆଲାଜେସନ ଭଳି ସ୍ଥିତିରୁ ବାହାରି ହଠାତ୍ ସୋସିଆଲ୍ ଆଇସୋଲେସନକୁ ଗ୍ରହଣ କରିପାରୁ ନାହିଁ। ଏହା ଏକ ସ୍ୱାଭାବିକ କଥା ବୋଲି କହିଛନ୍ତି ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ। ତେଣୁ ଏଥିରୁ ମୁକୁଳିବା ପାଇଁ ନିଜକୁ ଘର ଓ ପରିବାର ସହିତ ଯୋଡ଼ିବା, ନିଜ ପସନ୍ଦର ବିଭିନ୍ନ କାମ କରିବା, ସକରାତ୍ମକ ଚିନ୍ତା କରିବା ଏବଂ ଯେତେଦୂର ସମ୍ଭବ ସୋସିଆଲ ମିଡିଆଠାରୁ ଦୂରେଇ ରହିବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି।

ଆଜିର ଦିନରେ ଲୋକେ ମୋବାଇଲ ଫୋନ୍‌ରେ ମୁହଁ ପୂରାଇ ଘଡ଼ିକୁ ଘଡ଼ି ସୋସିଆଲ ମିଡିଆ ଦେଖୁଛନ୍ତି। ତେବେ କରୋନା ସମ୍ପର୍କରେ ବାରମ୍ବାର ସେହି ଏକ ପ୍ରକାର ଖବର ଦେଖିବା ଫଳରେ ଜଣଙ୍କ ମନରେ ନିରାଶା ଭାବ ଓ ଭୟ ସୃଷ୍ଟି ହେଉଛି। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ବିଭିନ୍ନ କଣ୍ଟେଣ୍ଟ୍ ପୋଷ୍ଟ କରୁଥିବା ବ୍ୟକ୍ତି ଏବଂ ମିଡିଆ ସଂସ୍ଥା ମଧ୍ୟ ଅଧିକ ଦାୟିତ୍ୱବାନ ହେବାକୁ ମନୋବିଜ୍ଞାନୀ ଡକ୍ଟର ଦାସ ପରାମର୍ଶ ଦେଇଛନ୍ତି। କେବଳ ସେତିକି ନୁହେଁ କରୋନାରୁ କିଭଳି ଲୋକମାନେ ମୁକୁଳି ସ୍ୱାଭାବିକ ଜୀବନକୁ ଫେରୁଛନ୍ତି, ସେଭଳି ଖବର ସହ ବିଭିନ୍ନ ସକାରାତ୍ମକ କଥା ମଧ୍ୟ ପ୍ରସାରଣ କରିବା ଦରକାର ବୋଲି ସେ କହିଛନ୍ତି।

corona

ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଭୋଗ କରିଥିବା ଲୋକ କରୋନା କଥା ଭାବି ଡରିଯିବା ସ୍ୱାଭାବିକ। ଏମିତି କି ଅନେକଙ୍କ ମନରେ ମୃତ୍ୟୁ ଭୟ ମଧ୍ୟ ଆସୁଥାଇପାରେ। ତେବେ ଆଶ୍ଚର୍ଯ୍ୟର କଥା ହେଲା ଯେ, ଜଣେ ଲୋକ ଯେତେବେଳେ ଆଉ ଏକାକୀ ଅନୁଭବ କରୁନାହିଁ ତଥା ଅନ୍ୟମାନଙ୍କ ସହ କଥାବାର୍ତ୍ତା କରି ହସଖୁସିରେ ଜୀବନଯାପନ କରୁଛି, ସେତେବେଳେ ତା’ ମନରୁ ଆପେ ଆପେ ମୃତ୍ୟୁର ଭୟ ହଟିଯାଉଛି। ତେଣୁ କରୋନା ଭଳି ବିପର୍ଯ୍ୟୟ ସମୟରେ ପରିବାରରେ ଓ ସମାଜରେ ଯେପରି କେହି ଏକାକୀ ଅନୁଭବ କରିବେ ନାହିଁ, ସେଦିଗରେ ନଜର ଦେବା ଦରକାର ବୋଲି ବରିଷ୍ଠ ମନୋବିଜ୍ଞାନୀ ବୁଝାଇ ଦେଇଛନ୍ତି।

କରୋନା ସମୟରେ ଘରର ବୟସ୍କ ଲୋକଙ୍କ ସହିତ କିଭଳି ବ୍ୟବହାର କରିବା? ସେମାନଙ୍କୁ କରୋନାର ପ୍ରଭାବ ସମ୍ପର୍କରେ ବାରମ୍ବାର ଜଣାଇବା କି ନାହିଁ? ଏ ପ୍ରସଙ୍ଗରେ ଡକ୍ଟର ଜେପି ଦାସଙ୍କ ସିଧାସଳଖ ପରାମର୍ଶ ହେଉଛି, “କରୋନା ସମ୍ପର୍କରେ ବାରମ୍ବାର ଫେଣେଇ ଫେଣେଇ କଥା ହେବାର କୌଣସି ଆବଶ୍ୟକତା ନାହିଁ। ବରଂ ତାଙ୍କ ସହ ଏଭଳି ବ୍ୟବହାର ପ୍ରଦର୍ଶନ କରନ୍ତୁ, ଯେମିତି କିଛି ହୋଇନାହିଁ। ଜୀବନଯାତ୍ରା ସ୍ୱାଭାବିକ ଭଳି ଦେଖାନ୍ତୁ। ବାପା ମା’ ବା ଅନ୍ୟମାନଙ୍କ ସହ କଥାବାର୍ତ୍ତା ହୁଅନ୍ତୁ। ସେମାନେ କିଭଳି ପୂର୍ବପରି ଘର ଭିତରେ ଥାଇ ସେମାନଙ୍କ ଆଗ୍ରହ ବା ରୁଚିର ବିଭିନ୍ନ କାମ କରିପାରିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ।”

ଘରର ବୟସ୍କ ଲୋକମାନେ ଯେପରି ଏକୁଟିଆ ବସି ଚିନ୍ତାଗ୍ରସ୍ତ ହେବେ ନାହିଁ, ସେ ବିଷୟରେ ଗୁରୁତ୍ୱ ଦେବା ଦରକାର। ତା’ ନହେଲେ ଏକାକୀପଣରୁ ମାନସିକ ସମସ୍ୟା ସୃଷ୍ଟି ହୋଇପାରେ।

ଏବେ ଆସୁଛି କଥା କରୋନା ସମୟରେ ଆମେ ପିଲାଙ୍କ ସହ କିଭଳି ବ୍ୟବହାର ପ୍ରଦର୍ଶନ କରିବା? ଡକ୍ଟର ଦାସଙ୍କ କହିବା କଥା ହେଲା, “ପିଲାଙ୍କୁ କରୋନା ସମ୍ପର୍କରେ ଲମ୍ବା ଚଉଡ଼ା କରି କହିବାର କୌଣସି ଆବଶ୍ୟକତା ନାହିଁ। କାରଣ ଘର ଭିତରେ ବୟସ୍କ ଲୋକମାନେ ଯାହା କଥାବାର୍ତ୍ତା ହୁଅନ୍ତି ଓ ଯେଉଁ ପ୍ରକାରର ଚାଲିଚଳଣ ଦେଖାନ୍ତି, ସେଥିରୁ ପିଲାମାନେ ଅନେକ କଥା ବୁଝିପାରନ୍ତି। ତେଣୁ କରୋନା ଭଳି ବିପର୍ଯ୍ୟୟ ସମୟରେ ପିଲାମାନଙ୍କ ପ୍ରତି ଯତ୍ନବାନ ହୁଅନ୍ତୁ ଏବଂ ସେମାନେ କିଭଳି ଘର ଭିତରେ ରହି ତାଙ୍କର ପାଠପଢ଼ା ସହିତ ବିଭିନ୍ନ ସର୍ଜନାତ୍ମକ କାମରେ ବ୍ୟସ୍ତ ରହିବେ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବା ଦରକାର।”

କରୋନାଠାରୁ ଦୂରରେ ରହିବା ପାଇଁ ସବୁଠାରୁ ବଡ଼ ପଦକ୍ଷେପ ହେଉଛି ସାମାଜିକ ଦୂରତା। ତେବେ ଘର ଭିତରେ ବି କ’ଣ ଆମକୁ ଏହି ଦୂରତା ରଖିବାକୁ ହେବ? ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ ଏହି ପ୍ରଶ୍ନର ସରଳ ଏବଂ ସିଧାସଳଖ ଉତ୍ତର ଦେବାକୁ ଯାଇ କହନ୍ତି, “ଘର ଭିତରେ ଦୂରତା ଆସିଲା କେଉଁଠୁ? ସ୍ୱାମୀ ସ୍ତ୍ରୀ, ବାପା ମା’ ଓ ଭାଇ ଭଉଣୀ ଗୋଟିଏ ଘରେ ଏକାଠି ରହନ୍ତି। ସେମାନେ ସମାଜର ଅନ୍ୟମାନଙ୍କଠାରୁ ହୁଏତ ସାମାଜିକ ଦୂରତା ରଖିବେ। କିନ୍ତୁ କରୋନା ଭଳି କୌଣସି ଲକ୍ଷଣ ନଥିଲେ ବା କୌଣସି ବିଶେଷ କାରଣ ନଥିଲେ ଘର ଭିତରେ ସାମାଜିକ ଦୂରତା ବୋଲି କିଛି ନଥାଏ।”

କରୋନା ଲୋକମାନଙ୍କୁ ନିଜ ନିଜ ଘର ଭିତରେ ଏକ ପ୍ରକାର ବନ୍ଦୀ କରିଦେଇଛି। ବ୍ୟବସାୟ ଓ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। କିନ୍ତୁ ଏଭଳି ପରିସ୍ଥିତିରେ ବିଚଳିତ ନହୋଇ ବରଂ ଏହି ସମୟକୁ ନିଜ ପରିବାର ସହ ବିତାଇବା ତଥା ନିଜ ଆଗ୍ରହର ବିଭିନ୍ନ ଜିନିଷ କରିବାରେ କାଟିଲେ ହୁଏତ ଆମେ ଖୁସି ଖୁସିରେ କରୋନାର ମୁକାବିଲା କରିପାରିବା ବୋଲି କହିଛନ୍ତି ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ।

LEAVE A REPLY

Please enter your comment!
Please enter your name here