ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ମୁଁ ଶପଥ କରି କହୁଅଛି ଯେ, ମୋ ପଞ୍ଚାୟତରେ କରୋନାକୁ ରୋକିବା ପାଇଁ ମତେ ଦିଆଯାଇଥିବା ଦାୟିତ୍ୱ, ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ କରିବି। ସେମାନଙ୍କ ରହିବା, ଖାଇବା ଏବଂ ଚିକିତ୍ସାର ଉଚିତ ବ୍ୟବସ୍ଥା କରିବି।’’

ଏମିତି ଭାବେ ଆଜି ସବୁ ରାଜ୍ୟର ସରପଞ୍ଚ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଶପଥ ପାଠ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ସବୁ ପଞ୍ଚାୟତର ସରପଞ୍ଚମାନଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ୬ ହଜାର ୭୯୮ ସରପଞ୍ଚମାନଙ୍କ ସହ କଥା ହୋଇଥିଲେ। ପଞ୍ଚାୟତ ସ୍ତରରୁ କରୋନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ଅପିଲ୍‌ କରିଥିଲେ ମୁଖ୍ୟମନ୍ତ୍ରୀ।

ଗତ ଦୁଇଦିନ ତଳେ ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ଆଜି ସରପଞ୍ଚମାନଙ୍କୁ କରୋନା ମୁକାବିଲା ପାଇଁ ଶପଥ ପାଠ କରାଇଥିଲେ।

କରୋନା ମୁକାବିଲା ପାଇଁ ସବୁ ପଞ୍ଚାୟତରେ ଖୋଲାଯାଇଛି କ୍ୱାରେଣ୍ଟାଇନ ସେଣ୍ଟର। ଯେଉଁମାନେ ରାଜ୍ୟ ବାହାରୁ ଆସିବେ ସେମାନେ ପଞ୍ଚାୟତରେ ପଞ୍ଜୀକରଣ କରିବା ସହ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବେ। କ୍ୱାରେଣ୍ଟାଇନ ଅବଧି ଶେଷ ହେଲେ ସେମାନଙ୍କୁ ୨ ହଜାର ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ସବୁଠୁ ବଡ଼ କଥା ହେଉଛି ଗତ କିଛିଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଛି। ଯେଉଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନେ ପଶ୍ଚିମବଙ୍ଗରୁ ଆସିଛନ୍ତି। ଏବେ ପଶ୍ଚିମବଙ୍ଗ ଫେରନ୍ତା ବିଭିନ୍ନ ଗାଁକୁ ଆସୁଛନ୍ତି। ଏହାସହ ଅନ୍ୟ ରାଜ୍ୟରେ ମଧ୍ୟ ଓଡ଼ିଆ ଲୋକ ଫସିଛନ୍ତି। ଲକ୍‌ଡାଉନ୍‌ ଶେଷ ହେବା ପରେ ସେମାନଙ୍କୁ ରାଜ୍ୟ ସରକାର ଘରକୁ ଫେରାଇ ଆଣିବାର ବ୍ୟବସ୍ଥା କରିବେ।

coronaସେମାନେ ଗାଁକୁ ଆସିଲେ ସେମାନଙ୍କ ନାଁ ପଞ୍ଚାୟତ ଅଫିସରେ ପଞ୍ଜୀକରଣ ହେବା ସହ ସେମାନେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବେ। ଏଥିପାଇଁ ସରପଞ୍ଚମାନେ ପ୍ରମୁଖ ଦାୟିତ୍ୱ ଗ୍ରହଣ କରିବେ।

Comment