ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଜାମୁଦ୍ଦିନ୍‌ ପରେ ଏବେ କରୋନାର କୋଲକୋତା ଲିଙ୍କ୍‌ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି।

  • ତିନି ଜିଲ୍ଲାରେ ୩୩ ଆକ୍ରାନ୍ତ
  • ଯାଜପୁରରେ ୧୨
  • ଭଦ୍ରକରେ ୧୧
  • ବାଲେଶ୍ୱରରେ ୧୦

ଭୁବନେଶ୍ୱର ବାହାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ। ଜଣକ ପରେ ଜଣେ ଆକ୍ରାନ୍ତ ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱରରୁ ଚିହ୍ନଟ ହୋଇ ଚାଲିଛନ୍ତି। ଏସବୁ ଆକ୍ରାନ୍ତ କୋଲକାତା ଫେରନ୍ତା ବୋଲି ସରକାର କହୁଛନ୍ତି। ନିଜାମୁଦ୍ଦିନ ପରେ ଏବେ କୋଲକାତା ଲିଙ୍କ୍‌ ରାଜ୍ୟ ସରକାରଙ୍କ ନିଦ ହଜାଇଛି।

ବର୍ତ୍ତମାନ ସୁଦ୍ଧା ଯାଜପୁରରେ ୧୨ ଆକ୍ରାନ୍ତ ଥିବା ବେଳେ ଭଦ୍ରକରେ ୧୧ ଏବଂ ବାଲେଶ୍ୱରରେ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ତିନି ଜିଲ୍ଲାରେ ୩୩ ଆକ୍ରାନ୍ତ ଚିହ୍ନଟ ହେଲେଣି। ଏମାନଙ୍କ ଭିତରୁ ୨୯ ଆକ୍ରାନ୍ତଙ୍କର କେବଳ କୋଲକାତା ଲିଙ୍କ୍‌ ଥିବା ଜଣାପଡ଼ିଛି।

coronaସବୁଠୁ ବଡ଼ କଥା ହେଉଛି ଏହି ତିନି ଜିଲ୍ଲାର ଅଧିକାଂଶ ଲୋକଙ୍କର କୋଲକାତା ସହ ସମ୍ପର୍କ ରହିଛି। କିଏ କାରଖାନାରେ କାମ କରୁଥିଲେ ତ ଆଉ କିଏ ଦୋକାନରେ। ପୁଣି କିଏ ବ୍ୟବସାୟ କରୁଥିଲା କୋଲକାତାରେ। ହେଲେ ଲକ୍‌ଡାଉନ୍‌ ପରେ ସବୁ କାମ ବନ୍ଦ ହୋଇଗଲା। ଯେଉଁ ଲୋକମାନେ କୋଲକାତା ଯାଇଥିଲେ ସେମାନେ ନିଜ ଘରକୁ ଫେରିପାରି ନଥିଲେ। ଏବେ ସେମାନେ ଗଳାବାଟ ଦେଇ ଆସୁଛନ୍ତି। ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ କରୋନା ଭାଇରସ୍‌ ଚିହ୍ନଟ ହେଉଛି।

କେବେଠୁ କୋଲକାତା ଲିଙ୍କ୍‌?

ଏପ୍ରିଲ ୨ ତାରିଖରେ ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ତାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିଲା। ସେ କେମିତି ଆକ୍ରାନ୍ତ ହେଲେ ସରକାର ସେନେଇ ଖୋଳତାଡ଼ କଲେ। କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡ଼ିଲା ଯେ ତାଙ୍କ ପରିବାରର ଜଣେ ସଦସ୍ୟ କୋଲକାତା ଯାଇଥିଲେ। ସେଠାରେ ସେ ୩ ଦିନ ରହି ଓଡ଼ିଶା ଫେରିଥିଲେ। କୋଲକାତାରୁ ହିଁ ଏହି ଭୂତାଣୁ ସୂର୍ଯ୍ୟନଗର ଆସିଥିବା ସରକାର ସୂଚନା ଦେଲେ।

ହେଲେ ସେତେବେଳେ ସରକାର କୋଲକାତା ଫେରନ୍ତାଙ୍କ ଉପରେ ଗୁରୁତ୍ୱ ଦେଲେନି। ନିଜାମୁଦ୍ଦିନ୍‌ ଧର୍ମସମ୍ମିଳନୀରୁ ଫେରିଥିବା ଲୋକଙ୍କୁ କେବଳ ଖୋଜି ଚାଲିଲେ। ଏବେ ନିଜାମୁଦ୍ଦିନ୍‌ ପରେ କୋଲକାତା ଫେରନ୍ତା ସରକାରଙ୍କ ଚିନ୍ତା ବଢ଼ାଇଛନ୍ତି।

ପଶ୍ଚିମବଙ୍ଗରେ କ’ଣ ରହିଛି ସ୍ଥିତି?

କରୋନା ମାଡ଼ରେ ପଶ୍ଚିମବଙ୍ଗ ପୂରା ହଲ୍‌ଚଲ୍‌ ହୋଇଯାଇଛି। ଏହି ରାଜ୍ୟରେ ବର୍ତ୍ତମାନସୁଦ୍ଧା ୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି। ୭୯ ଜଣ ସୁସ୍ଥ ହୋଇଛନ୍ତି। ଓଡ଼ିଶାଠାରୁ ପଶ୍ଚିମବଙ୍ଗ ଆକ୍ରାନ୍ତଙ୍କ ସଂଖ୍ୟା ଢେର ଗୁଣ ଅଧିକ। ଏଣୁ ଏବେ ଯେଉଁମାନେ ପଶ୍ଚିମବଙ୍ଗରୁ ଫେରୁଛନ୍ତି ସେମାନଙ୍କ ପାଖରୁ କରୋନା ଭୂତାଣୁ ଚିହ୍ନଟ ହେଉଛି।

ଓଡ଼ିଶାରେ କରୋନା ଚିହ୍ନଟ ହେଉ ହେଉ ରାଜ୍ୟ ସରକାର ବିପର୍ଯ୍ୟୟ ଘୋଷଣା କରି ମୁକାବିଲା ପାଇଁ ପଦକ୍ଷେପ ନେଇଥିଲେ। କିଛି ଜିଲ୍ଲା ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ହେଲେ ପଶ୍ଚିମବଙ୍ଗ ସରକାର ବିଳମ୍ବରେ କରୋନା ମୁକାବିଲା ପାଇଁ ପଦକ୍ଷେପ ନେଲେ। ଫଳରେ ସ୍ଥିତି ସେଠି ଅଣାୟତ୍ତ ହୋଇଯାଇଥିବା କୁହାଯାଉଛି।

ଗଳାବାଟ ଦେଇ ଓଡ଼ିଶା

କରୋନା ସ୍ଥିତି ଅସମ୍ଭାଳ ହେବା ପରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ ସରକାର। କାମ ଧନ୍ଦା ବନ୍ଦ ହୋଇଯିବାରୁ ଯିଏ ଯେଉଁଠି ଥିଲେ ଅଟକି ରହିଲେ। ଏହାରି ଭିତରେ ଓଡ଼ିଶାରେ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ସୀମାନ୍ତ ସିଲ୍‌ କରିଦେଲେ। ହେଲେ ପଶ୍ଚିମବଙ୍ଗରେ ଯେଉଁମାନେ ଥିଲେ ସେମାନେ ଗଳାବାଟ ଦେଇ ଓଡ଼ିଶା ଭିତରକୁ ପ୍ରବେଶ କରିଥିବା କୁହାଯାଉଛି। କିଏ ଆମ୍ବୁଲାନ୍ସରେ ଆସିଥିଲା ତ ଆଉ କିଏ ଜଙ୍ଗଲ ଏବଂ ବିଲ ରାସ୍ତା ଦେଇ ଓଡ଼ିଶାକୁ ଆସିଥିଲା। ଗଳାବାଟ ଦେଇ ଆସିଥିବା ଲୋକ ଏବେ ଚିନ୍ତାର କାରଣ ପାଲଟିଛନ୍ତି।

ହଟ୍‌ସ୍ପଟ୍‌ ଜୋନ୍‌

ଓଡ଼ିଶାରେ ୨ଟି ହଟ୍‌ସ୍ପଟ ଜିଲ୍ଲା ରହିଥିଲା। ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରରେ ୪୬ ଏବଂ ଭଦ୍ରକରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହି ଦୁଇ ଜିଲ୍ଲା ହଟ୍‌ସ୍ପଟ୍‌ ଜୋନ୍‌ ଭିତରେ ରହିଥିଲା। ହେଲେ ଏବେ ହଟ୍‌ସ୍ପଟ୍‌ ଜିଲ୍ଲା ତାଲିକାରେ ଯାଜପୁର ଏବଂ ବାଲେଶ୍ୱର ଯୋଡ଼ି ହୋଇଛି। ଯାଜପୁରରେ ୧୨ ଏବଂ ବାଲେଶ୍ୱରରେ ୧୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକଙ୍କ ମନରେ ଭୟ ବଢ଼ିଛି।

କଡ଼ାକଡ଼ି କଟକଣା

ମେ’ ୩ରେ ଲକ୍‌ଡାଉନ୍‌ ହଟିବା ପରେ ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ ନିଜ ଘରକୁ ଫେରିବେ। ତେବେ ସେମାନଙ୍କ ପାଇଁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ଗାଁକୁ ଫେରିବାକୁ ହେଲେ ସେମାନଙ୍କୁ ପଞ୍ଚାୟତ ଅଫିସରେ ପ୍ରଥମେ ପଞ୍ଜୀକରଣ କରିବାକୁ ପଡ଼ିବ। ଯେଉଁମାନେ ପଞ୍ଜୀକରଣ ନକରିବେ ସେମାନେ ଘରକୁ ଫେରିବେ ନାହିଁ। ବସ୍‌ଷ୍ଟାଣ୍ଡ ଏବଂ ଷ୍ଟେସନରୁ ସେମାନଙ୍କୁ ପଞ୍ଚାୟତ ଅଧିକାରୀ ସ୍ୱତନ୍ତ୍ର ଗାଡ଼ିରେ ଆଣିବେ ଏବଂ କ୍ୱାରେଣ୍ଟାଇନରେ ରଖିବେ। କୋଲକାତା ଫେରନ୍ତା ଚିନ୍ତା ବଢ଼ାଇବା ପରେ ରାଜ୍ୟ ସରକାର ଏଭଳି କଟକଣା ଜାରି କରିଛନ୍ତି।

ରାଜ୍ୟ ବାହାରୁ ୫ ଲକ୍ଷ ଲୋକ ଓଡ଼ିଶା ଫେରିବେ ବୋଲି ସରକାର କହିଛନ୍ତି। ମହାରାଷ୍ଟ୍ର, ଗୁଜରାଟ, ଆନ୍ଧ୍ର, ତେଲେଙ୍ଗାନାରୁ ଅଧିକ ଲୋକ ଆସିବେ। ହେଲେ ଏସବୁ ରାଜ୍ୟରେ ଅଧିକ ଆକ୍ରାନ୍ତ ଅଛନ୍ତି। ଏବେ ପଶ୍ଚିମବଙ୍ଗରୁ ଗଳାବାଟ ଦେଇ ଯେଉଁମାନେ ଆସୁଛନ୍ତି ସେମାନଙ୍କ ନମୁନା ପଜିଟିଭ୍‌ ଆସୁଥିବା ବେଳେ ଯେତେବେଳେ ୫ ଲକ୍ଷ ଲୋକ ଫେରି ଆସିବେ ସେତେବେଳେ ଓଡ଼ିଶାର ସ୍ଥିତି କ’ଣ ହେବ ତାହା କହିବା ମୁସ୍କିଲ୍‌।

Comment