ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାଲାଇଭ୍‌ ପକ୍ଷରୁ ଆରମ୍ଭ ହୋଇଛି ନୂଆ ଫିଚର୍‌ – ଲକ୍‌ଡାଉନ୍‌ ଡାଏରୀ। ପଢ଼ନ୍ତୁ ନିଜର ଲକ୍‌ଡାଉନ୍‌ ଅନୁଭୂତି ବର୍ଣ୍ଣନା କରି କ’ଣ କହିଛନ୍ତି ଏଆଇସିସି ସମ୍ପାଦକ ତଥା ଗୁଜରାଟ ସହ ପ୍ରଭାରୀ ଡକ୍ଟର ବିଶ୍ୱରଞ୍ଜନ ମହାନ୍ତି।

ଲକ୍‌ଡାଉନ୍‌ରେ କେମିତି କଟୁଛି ନିତିଦିନିଆ ରୁଟିନ୍‌?

ଆମ ଭଳି ରାଜନେତାମାନେ ପ୍ରତିଦିନ ଲୋକଙ୍କ ଗହଣରେ ରହିଥାନ୍ତି। ଲକ୍‌ଡାଉନ୍‌ ସମୟରେ ଆଉ ଲୋକଙ୍କ ପାଖକୁ ଯାଇ ହେଉନି। ଘରେ ହିଁ ରହିବାକୁ ପଡୁଛି। ଘରେ ରହିବା ଆମମାନଙ୍କ ପାଇଁ ବଡ଼ ଚାଲେଞ୍ଜିଂ ହୋଇଯାଇଛି। ଘରେ ରହି ମୋବାଇଲ୍‌ ଫୋନ୍‌ ଏବଂ ଭିଡିଓ କନଫରେନ୍ସିଂରେ ଯାହା ବନ୍ଧୁମାନଙ୍କ ସହ ଆଲୋଚନା କରୁଛି।

‘‘ପ୍ରତିଦିନ ମୁଁ ଭୋର୍‌ରୁ ଉଠିଯାଉଛି। ପ୍ରତିଦିନ ସକାଳେ ଦେଢ଼ ଘଣ୍ଟାରୁ ଦୁଇ ଘଣ୍ଟା ଧରି ବ୍ୟାୟାମ, ଯୋଗାଭ୍ୟାସ ଆଦି କରୁଛି। ପ୍ରତିଦିନ ମୁଁ ଏସବୁ କରିଥାଏ। କିନ୍ତୁ ଲକ୍‌ଡାଉନ୍‌ରେ ଅଧିକ ସମୟ ମିଳୁଥିବାରୁ ବ୍ୟାୟମ, ଯୋଗାଭ୍ୟାସ ପାଇଁ ଆଉ ୪୦ ମିନିଟ୍‌ ସମୟ ଦେଉଛି’’, କହିଛନ୍ତି ଡକ୍ଟର ବିଶ୍ୱରଞ୍ଜନ ମହାନ୍ତି।

ବ୍ୟାୟାମ ଏବଂ ଯୋଗାଭ୍ୟାସ ଶେଷ ହେବା ପରେ ନିତ୍ୟକର୍ମ ଶେଷ କରି ସାଢ଼େ ୯ଟାରୁ ୧୦ ଭିତରେ ମୁଁ ଜଳଖିଆ ଖାଇନିଏ। ଏହାପରେ ଲାଇବ୍ରେରୀକୁ ଯାଇ ମୁଁ ପଢ଼ାପଢ଼ି କରେ। ପଢ଼ାପଢ଼ି ପରେ ପ୍ରାୟ ଦୁଇ ଘଣ୍ଟା ଧରି ଫୋନ୍‌ରେ ବିଭିନ୍ନ ବନ୍ଧୁମାନଙ୍କ ସହିତ କଥା ହୁଏ। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମୋର ବନ୍ଧୁମାନେ ଅଛନ୍ତି। ଏହାସହ ଗୁଜୁରାଟର ପ୍ରଭାରୀ ଦାୟିତ୍ୱ ମୋ’ ଉପରେ ଥିବାରୁ ସେଠାକାର ଖବର ମଧ୍ୟ ବୁଝେ। ଫୋନ୍‌ ମାଧ୍ୟମରେ ଏସବୁ ଚାଲେ। ୧୨ଟାରୁ ସାଢ଼େ ୧ଟା ପର୍ଯ୍ୟନ୍ତ ମୁଁ ପୁଣି ପଢ଼ାପଢ଼ି କରେ।

ଦି ପହରେ ଆଗରୁ ବିଶ୍ରାମ ନେଇ ହେଉ ନଥିଲା। ବିଭିନ୍ନ ସଭା ସମିତି ଏବଂ ଲୋକଙ୍କ ଗହଣରେ ଦିନ କଟି ଯାଉଥିଲା। କିନ୍ତୁ ଏବେ ଦିପହରରେ ଦୁଇ ଘଣ୍ଟା ବିଶ୍ରାମ ନେବାକୁ ସମୟ ମିଳି ଯାଉଛି। ଅପରାହ୍‌ଣରେ ପ୍ରାୟ ଏଆଇସିସିର ଭିଡିଓ କନଫରେନ୍ସିଂ ରହୁଛି। ସେଥିରେ ମଧ୍ୟ ସାମିଲ ହେବାକୁ ପଡୁଛି। ଏହାସହ ଗୁଜୁରାଟରେ କୋଭିଡ୍‌ ମୁକାବିଲା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଉଛି ଏବଂ କଂଗ୍ରେସ କର୍ମୀମାନେ କେମିତି କାମ କରୁଛନ୍ତି ସେସବୁ ଫୋନ୍‌ ଜରିଆରେ ବୁଝିବାକୁ ପଡୁଛି। ଜିଲ୍ଲାଠୁ ଆରମ୍ଭ କରି ବ୍ଲକରେ ଥିବା କର୍ମକର୍ତ୍ତାଙ୍କ ସହ ଆଲୋଚନା ଚାଲିଛି।

ସନ୍ଧ୍ୟାରେ ମୁଁ ଆଗରୁ ପ୍ରାର୍ଥନା କରୁଥିଲି। ହେଲେ କର୍ମମୟ ଜୀବନ ଭିତରେ ସେସବୁ କରିପାରୁନଥିଲି। କିନ୍ତୁ ଏବେ ସନ୍ଧ୍ୟାରେ ପ୍ରାର୍ଥନା କରିବାକୁ ସମୟ ମିଳୁଛି। ପରେ ପୁଣି ପଢ଼ାପଢ଼ି କରିଥାଏ।

ସବୁଠୁ ବଡ଼ କଥା ହେଉଛି ଲକ୍‌ଡାଉନ୍‌ ମତେ ପଢ଼ାପଢ଼ି କରିବାକୁ ସମୟ ଦେଇଛି। ଏହି ପଢ଼ାପଢ଼ି ଭିତରେ କେତେବେଳେ ସମୟ କଟି ଯାଉଛି ତାହା ବୁଝା ପଡୁନି। ଆଧ୍ୟାତ୍ମିକ ବହି ଏବଂ ଗାନ୍ଧିଜୀଙ୍କ ବହି ପଢ଼ିବା ସହ ମୁଁ ଓଡ଼ିଶା ରାଜନୀତି, ଓଡ଼ିଆ ଭାଷା, ସଂସ୍କୃତି ଉପରେ ଆଧାରିତ ପୁସ୍ତକ ପଢ଼ାପଢ଼ି କରୁଛି।

‘‘ଗୁଜୁରାଟ ସମେତ ବିଭିନ୍ନ ରାଜ୍ୟରେ ଓଡ଼ିଆ ଭାଇ ଭଉଣୀମାନେ ଫସିଛନ୍ତି। ସେମାନଙ୍କ କଥା ବୁଝିବା ପାଇଁ ମୋ ପାଖକୁ ପ୍ରତିଦିନ ଫୋନ୍‌ ଆସୁଛି। ଏଣୁ ସେମାନଙ୍କ ପାଇଁ କ’ଣ ବ୍ୟବସ୍ଥା କରିହେବ ସେଥିପାଇଁ ମୁଁ ଯଥାସମ୍ଭବ ଉଦ୍ୟମ କରୁଛି। ବିଭିନ୍ନ ରାଜ୍ୟରେ ଏଆଇସିସିର ବନ୍ଧୁମାନେ ଅଛନ୍ତି। ଓଡ଼ିଆ ଭାଇ ଭଉଣୀମାନଙ୍କର ଯେମିତି କିଛି ଅସୁବିଧା ନହୁଏ ସେଥିପାଇଁ ସେମାନଙ୍କ ସହ କଥା ହେଉଛି’’, କହିଛନ୍ତି ଡକ୍ଟର ବିଶ୍ୱରଞ୍ଜନ ମହାନ୍ତି।

ଏ ସମୟରେ ଆପଣ କ’ଣ କରୁଛନ୍ତି ଯାହା ବର୍ଷ ବର୍ଷ ଧରି କରିପାରୁ ନଥିଲେ?

ପିଲାବେଳେ ମୁଁ ବହୁତ ଆଧ୍ୟାତ୍ମିକ ଓ ଧର୍ମ ବହି ପଢ଼ାପଢ଼ି କରୁଥିଲି। ହେଲେ ରାଜନୀତିକୁ ଆସିବା ପରେ ଏସବୁ ପାଇଁ ସମୟ ପାଉ ନଥିଲି। କିନ୍ତୁ ଲକ୍‌ଡାଉନ୍‌ ମତେ ପଢ଼ାପଢ଼ି ପାଇଁ ସମୟ ଦେଇଛି। ଦିନକୁ ୪ରୁ ୫ ଘଣ୍ଟା ଏବେ ମୁଁ ପଢ଼ାପଢ଼ି କରୁଛି। ଗାନ୍ଧିଜୀ ଏବଂ ଗୌତମ ବୁଦ୍ଧ ମୋର ଆଦର୍ଶ ହୋଇଥିବାରୁ ସେମାନଙ୍କ ଉପରେ ଥିବା ବହି ମଧ୍ୟ ପଢୁଛି।

ପ୍ରତିଦିନ ଗୀତା ଏବଂ ଭାଗବତ ଗୋଟିଏ ଗୋଟିଏ ଅଧ୍ୟାୟ ପଢୁଛି। ଗୀତା ପଢ଼ି ଏହାକୁ ବିଶ୍ଲେଷଣ କରୁଛି। ସାମ୍‌ ବେଦ ମଧ୍ୟ ଏହି ଲକ୍‌ଡାଉନ୍‌ ସମୟରେ ପଢ଼ାପଢ଼ି କରୁଛି। ଓଡ଼ିଶାରେ ଥିବା ବେଳେ ମୁଁ ପ୍ରତି ଗୁରୁବାର ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥାଏ। ହେଲେ ଲକ୍‌ଡାଉନ୍‌ ପାଇଁ ମୁଁ ପୁରୀ ଯାଇପାରୁନି। ଆଧ୍ୟାତ୍ମିକ ବହି ପଢ଼ାପଢ଼ି କରି ସମୟ କାଟୁଛି।

ଘର କାମରେ ସହଯୋଗ କରୁଛନ୍ତି କି?

ମୁଁ ଛାତ୍ର ଜୀବନରେ ହଷ୍ଟେଲରେ ଥିବା ବେଳେ ଭଲ ରୋଷେଇ କରେ। ମୋର ବନ୍ଧୁମାନେ ଏହା ଭଲଭାବେ ଜାଣିଛନ୍ତି। ମୁଁ ମଝିରେ ମଝିରେ ରୋଷେଇ କାମରେ ସହଯୋଗ କରେ।

ଲକ୍‌ଡାଉନ୍‌ ଭିତରେ କିଛି ସ୍ପେଶାଲ ପ୍ରୋଜେକ୍ଟ ଚାଲିଛି କି?

ଓଡ଼ିଶାରେ କଂଗ୍ରେସ ଏବେ ବହୁତ କଠିନ ସମୟ ଦେଇ ଗତି କରୁଛି। ଓଡ଼ିଶାରେ କଂଗ୍ରେସକୁ କେମିତି ସଙ୍ଗଠିତ କରିହେବ ସେ ଉପରେ ମୁଁ ବିଶେଷ ଧ୍ୟାନ ଦେବାକୁ ଚାହୁଁଛି। କ’ଣ କଲେ ଓଡ଼ିଶାରେ କଂଗ୍ରେସ ଦଳ ପୁଣି ଲୋକଙ୍କ ବିଶ୍ୱାସଭାଜନ ହୋଇପାରିବ ସେନେଇ ଯୋଜନା କରୁଛି।

ଲକ୍‌ଡାଉନ୍‌ ଆପଣଙ୍କୁ କିଛି ବଡ଼ ଶିକ୍ଷା ଦେଇଛି କି?

କରୋନା ଭାଇରସ୍‌ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଗୋଟିଏ ଅଜଣା ରୋଗ ଆସିବ ଏବଂ ସାରା ବିଶ୍ୱକୁ କବଳିତ କରିବ ଏହା କେହି ଭାବି ନଥିଲେ। କରୋନା ଭାଇରସ୍‌ ସମସ୍ତଙ୍କୁ ଏକାକାର କରିଦେଇଛି। ଧନୀ, ଗରୀବ, କ୍ଷମତାଶାଳୀ ଭିତରେ କିଛି ବାଛ ବିଚାର ନାହିଁ। ବିଶ୍ୱ ଗୋଟିଏ ଏବଂ ଈଶ୍ୱର ହିଁ ବିଶ୍ୱକୁ ପାଳନ କରୁଛନ୍ତି ବୋଲି ବଡ଼ ଶିକ୍ଷା ମିଳିଛି।

ଅନ୍ୟମାନଙ୍କୁ କ’ଣ ବାର୍ତ୍ତା ଦେବେ?

ପ୍ରଥମେ ନିଜକୁ ସୁରକ୍ଷିତ ରଖିବାକୁ ପଡ଼ିବ। ନିଜେ ସୁରକ୍ଷିତ ରହିଲେ ହିଁ ଗାଁ, ରାଜ୍ୟ ଏବଂ ଦେଶ ସୁରକ୍ଷିତ ରହିବ। ସମସ୍ତେ ସତର୍କ ରହିବା ଦରକାର। ସବୁଠୁ ବଡ଼ କଥା ହେଉଛି, କରୋନାକୁ ନେଇ ଛୁଆଁ ଅଛୁଆଁ ଭେଦଭାବ ଦେଖାଦେଇଛି। କୌଣସି ରୋଗୀଙ୍କୁ ହୀନ ଚକ୍ଷୁରେ ଦେଖିବା କଥା ନୁହେଁ। କେରଳରେ ଏଭଳି ମନୋଭାବ ନଥିବାରୁ ଏହି ରାଜ୍ୟ ଆଜି ଅନ୍ୟମାନଙ୍କ ପାଇଁ ‘ମଡେଲ’ ହୋଇପାରିଛି। କୌଣସି ରୋଗକୁ କେହି ଜାଣିଶୁଣି ଆମନ୍ତ୍ରଣ କରେନାହିଁ। ଏଣୁ କରୋନା ରୋଗୀଙ୍କୁ ହୀନ ଦୃଷ୍ଟିରେ ଦେଖିବା ଠିକ୍‌ ନୁହେଁ।

ସରକାର ଯେଉଁ ନିୟମ କାନୁନ୍‌ କରିଛନ୍ତି ସମସ୍ତେ ଏହାକୁ ପାଳନ କରନ୍ତୁ। ଓଡ଼ିଶା ମଧ୍ୟ କରୋନା ମୁକାବିଲାରେ ଆଗରେ ରହିଛି। ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶା ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ କରୋନା କବଳରୁ ସାରା ବିଶ୍ୱ ଶୀଘ୍ର ମୁକ୍ତି ପାଉ ଏହା ହିଁ କାମନା।

(ପ୍ରସ୍ତୁତି: ସରୋଜ ମହାପାତ୍ର)

Comment