ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଶିଷ୍ଟ ସଂଳାପକାର, ଚିତ୍ରନାଟ୍ୟ ଲେଖକ ଓ ନିର୍ଦ୍ଦେଶକ ବିଜୟ ମିଶ୍ରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ନିକଟରେ ସମ୍ମାନଜନକ ଜୟଦେବ ପୁରସ୍କାର ପାଇଥିଲେ।

ବିଜୟ ମିଶ୍ରଙ୍କ ଜନ୍ମ ବାଲେଶ୍ଵର ଜିଲ୍ଲା ସନ୍ତରାଗାଡ଼ିଆ ଗ୍ରାମରେ। ସେ ନୀଳଗିରି ହାଇସ୍କୁଲରେ ମାଟ୍ରିକ ପାସ୍‌ କରି ବାଲେଶ୍ଵର ଫକୀରମୋହନ ବିଶ୍ଵବିଦ୍ୟାଳୟରେ ଆଇଏସ୍‌ସି ପଢ଼ିଥିଲେ। ଏହାପରେ କଟକ ବୋସ୍‌ କଲେଜରୁ ସିଭିଲ ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିଥିଲେ। ସେ ‘ପଞ୍ଚଜନ୍ୟ’ ପତ୍ରିକାରୁ ନିଜ ଲେଖା ଆରମ୍ଭ କରିଥିଲେ।

ବିଜୟ ମିଶ୍ର ତାଙ୍କ ଜୀବନ କାଳରେ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକରେ ସଂଳାପକାର, ଚିତ୍ରନାଟ୍ୟ ଲେଖକ ଭାବେ ନିଜର ଦାୟିତ୍ୱ ସୂଚାରୁରୂପେ ତୁଲାଇଥିଲେ।। ତାଙ୍କ ନାଟ୍ୟ ପୁସ୍ତକ ବାନପ୍ରସ୍ଥ ପାଇଁ ସେ ୨୦୧୩ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଏହାପୂର୍ବରୁ ଯାଦୁକର ନିମନ୍ତେ ୧୯୮୭ ମସିହାରେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୧୬ରେ ବାଇସ୍କୋପ ପୁରସ୍କାର ପାଇଥିଲେ।

ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ଓ ନାଟକର ସ୍ରଷ୍ଟା ଥିଲେ। ତାଙ୍କ ଲିଖିତ ‘ତଟ ନିରଞ୍ଜନା’ ନାଟକ ବିଭିନ୍ନ ଭାଷାରେ ଅନୁବାଦ କରାଯାଇଛି।

ଏହାସହ ସେ ଜନନୀ, ଏକାକୀ, ଅଶାନ୍ତ ଗ୍ରହ, ଯଯାବର, ସାଗର ତୀରେ, ଅସତ୍ୟ ସହର, କଥାଟିଏ କହୁଁ, ଯାଦୁକର, ତଟ ନିରଞ୍ଜନା ଭଳି ଅନେକ ନାଟକ ରଚନା କରିଛନ୍ତି।

Comment