ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ବାହାରୁ ଭିଟାମାଟିକୁ ଫେରିବେ ଓଡ଼ିଆ।

ଲକ୍‌ଡାଉନ୍‌ ଖୋଲିବା ପରେ ରାଜ୍ୟ ବାହାରେ ଅଟକି ରହିଥିବା ଓଡ଼ିଆ ନିଜ ଭିଟାମାଟିକୁ ଫେରିବେ। ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବର୍ତ୍ତମାନସୁଦ୍ଧା ସରକାରଙ୍କ ପୋର୍ଟାଲରେ ୪ ଲକ୍ଷ ୮୬ ହଜାର ଓଡ଼ିଆ ପଞ୍ଜୀକରଣ କରିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ଓଡ଼ିଶା ବାହାରୁ ଓଡ଼ିଆଙ୍କୁ ଫେରିବାକୁ ହେଲେ ପଞ୍ଜୀକରଣ ବାଧ୍ୟତାମୂଳକ ବୋଲି ସରକାର କହିଥିଲେ। ବାହାରେ ରହିଥିବା ଓଡ଼ିଆ ନିଜ ଆଧାର ଓ ମୋବାଇଲ ନମ୍ବର ଦେଇ ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣ କରିପାରିବେ। ନହେଲେ ତାଙ୍କ ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟ ପଞ୍ଚାୟତ ଅଫିସ୍‌ରେ ପଞ୍ଜୀକରଣ କରିପାରିବେ। ଏଥିପାଇଁ ୬ ହଜାର ୭୯୮ ଗ୍ରାମପଞ୍ଚାୟତରେ ନୋଡାଲ ଅଫିସରଙ୍କୁ ତାଲିମ ଦିଆଯାଇଛି।

ଗୁଜରାଟ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଆଦି ରାଜ୍ୟରୁ ୫ ଲକ୍ଷ ଓଡ଼ିଆ ଫେରିବେ ବୋଲି ସରକାର ଆକଳନ କରିଥିଲେ। ସେଥିମଧ୍ୟରୁ ୪ ଲକ୍ଷ ୮୬ ହଜାର ପଞ୍ଜୀକରଣ କରିସାରିଲେଣି।

ଯେଉଁମାନେ ଓଡ଼ିଆ ବାହାରୁ ଫେରିବେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ସ୍ୱାସ୍ଥ୍ୟ କର୍ମୀମାନେ କ୍ୱାରେଣ୍ଟାଇନ ସେଣ୍ଟରକୁ ଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। କ୍ୱାରେଣ୍ଟାଇନ ରୁମ୍‌ରେ ରହିବା, ଖାଇବା ସରକାର ବୁଝିବେ। ଗତ ୨୪ ତାରିଖରୁ ପଞ୍ଜୀକରଣ ଆରମ୍ଭ ହୋଇଛି।

କେଉଁମାନେ କରିପାରିବେ ରେଜିଷ୍ଟ୍ରେସନ?

  • ଅନ୍ୟ ରାଜ୍ୟରେ ରହିଯାଇଥିବା ବ୍ୟକ୍ତିଜଣକ ନିଜ ପାଇଁ ଅନଲାଇନରେ ରେଜିଷ୍ଟ୍ରେସନ କରିପାରିବେ।
  • ନଚେତ୍ ତାଙ୍କର କୌଣସି ସମ୍ପର୍କୀୟ ମଧ୍ୟ ତାଙ୍କ ପାଇଁ ରେଜିଷ୍ଟ୍ରେସନ କରିପାରିବେ।
  • ଏଥିସହିତ ତାଙ୍କ ଅଞ୍ଚଳର ନୋଡାଲ ଅଫିସର ମଧ୍ୟ ତାଙ୍କ ପାଇଁ ରେଜିଷ୍ଟ୍ରେସନ କରିପାରିବେ।

 ରେଜିଷ୍ଟ୍ରେସନ ପାଇଁ କଣ ଦରକାର?

  • ରେଜିଷ୍ଟ୍ରେସନ ପାଇଁ ଅନ୍ୟ ରାଜ୍ୟରେ ଫସି ରହିଥିବା ବ୍ୟକ୍ତିଙ୍କର ଆଧାର ନମ୍ବର ଜରୁରୀ।
  • ରେଜିଷ୍ଟ୍ରେସନ ପାଇଁ ତାଙ୍କର ଫୋନ୍ ନମ୍ବର ମଧ୍ୟ ଆବଶ୍ୟକ।
  • ଓଡ଼ିଶାରେ ଥିବା ତାଙ୍କର ସମ୍ପର୍କୀୟଙ୍କ ନାମ ଓ ଫୋନ୍ ନମ୍ବର ଆବଶ୍ୟକ।

 କେମିତି କରିବେ ପଞ୍ଜୀକରଣ?

  • ଏଥିପାଇଁ ଆପଣଙ୍କୁ ରାଜ୍ୟ ସରକାରଙ୍କodisha.gov.in ପୋର୍ଟାଲକୁ ଯିବାକୁ ପଡ଼ିବ।
  • ଏହାପରେ ସେଠାରେ ‘ପଞ୍ଜିକରଣ ଫର୍ମ ପୂରଣ କରନ୍ତୁ’ ଅପସନରେ କ୍ଲିକ୍ କରନ୍ତୁ।
  • ସେଠାରେ ନିଜ ପାଇଁ ଫର୍ମ ପୂରଣ କରୁଥିଲେ self ଅପସନରେ କ୍ଲିକ୍ କରନ୍ତୁ।
  • ଯଦି କୌଣସି ସମ୍ପର୍କୀୟଙ୍କ ପାଇଁ ଆପଣ ପଞ୍ଜୀକରଣ କରୁଛନ୍ତି ତେବେlocal contant ଅପସନରେ କ୍ଲିକ୍ କରନ୍ତୁ।
  • ଏହାପରେ ଆପଣଙ୍କୁ ସେଠାରେ ଥିବା ଫର୍ମକୁ ପୂରଣ କରିବାକୁ ପଡ଼ିବ।
  • ଶେଷରେsubmit ଅପସନରେ କ୍ଲିକ୍ କରନ୍ତୁ।

Comment