ସୂର୍ଯ୍ୟ ଦେଓ

ଓଡ଼ିଶାର ନାଟକ ଓ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତିତ୍ଵ ବିଜୟ ମିଶ୍ରଙ୍କ ସ୍ମୃତିରେ।

ଆପଣ ଆଉ ନାହାନ୍ତି। କିନ୍ତୁ ନ ଥାଇ ଵି ସହସ୍ରାୟୁ ହୋଇ ରହିବେ ସେ ପର୍ଯ୍ୟନ୍ତ, ଯେ ପର୍ଯ୍ୟନ୍ତ ଅଛି ଓଡ଼ିଆ ନାଟ୍ୟ ସାହିତ୍ୟ, ଓଡ଼ିଆ ଚଳଚ୍ଚିତ୍ର ଆଉ ଓଡ଼ିଆ ଭାଷା। ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖନକୁ ନେଇ ଆପଣଙ୍କ ଅନୁଭବ ଓ କୃତି, ଆପଣଙ୍କ ଅବର୍ତ୍ତମାନରେ ଏବେ ଆମର ସମ୍ବଳ। ଆପଣ ଏକଦା ଲେଖିଥିବା ଏହି ଅନୁଭବ ସାମ୍ପ୍ରତିକ ସଂଳାପ ଲେଖକଙ୍କ ପାଇଁ ଅନୁକରଣୀୟ ହେଉ, ଆପଣଙ୍କ ନିଷ୍ଠା ଓ ସାଧନା ଆମ ପାଇଁ ମାର୍ଗ ହେଉ।

ଆଉ ତଳେ ତାହା ଅବିକଳ ଲେଖା ହୋଇଛି, ଆପଣ ଯାହା ଲେଖିଥିଲେ ‘ତଅପୋଇ’ ପାଇଁ (ସୂତ୍ର: ଚଳଚ୍ଚିତ୍ର ପତ୍ରିକା ‘ଚିତ୍ରପୁରୀ’, ତଅପୋଇ ସଂଖ୍ୟା ୧୯୭୮)
କାଗଜ କଲମ କିଣା ସରିଲା। ନିର୍ଦ୍ଦେଶକ, ସଂଗୀତ ନିର୍ଦ୍ଦେଶକ, ଚିତ୍ରନାଟ୍ୟକାର ସମସ୍ତଙ୍କ ସାଙ୍ଗରେ କଥାବାର୍ତ୍ତା ଶେଷ। ଏଣିକି ଖାଲି କାମ ଆରମ୍ଭ କରିବା ଯାହା ବାକି। କିନ୍ତୁ ତଅପୋଇ କ’ଣ ଖାଲି ତଅପୋଇର କଥା? ତା’ରି ଦୁଃଖସୁଖ, ହସ କାନ୍ଦ କ’ଣ ଏକମାତ୍ର ବିଷୟବସ୍ତୁ? ନିର୍ଦ୍ଦେଶକ ଶରତ ପୂଜାରୀ, ସଂଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତି ଏବଂ ମୁଁ – ଆମ ଭିତରେ ଅନେକ ଆଲୋଚନା, ଅନେକ କଳ୍ପନା ଜଳ୍ପନା? ଆମ ପାଖରେ ମାତ୍ର ପଚିଶ ପଇସାର ଛପା ଗୀତ ବହି ‘ତଅପୋଇ’! କିନ୍ତୁ ସମସ୍ୟା ଅନେକ, ପ୍ରଶ୍ନ ବି ଅନେକ।

ପ୍ରଥମ: ତଅପୋଇ କ’ଣ କିମ୍ବଦନ୍ତୀ? ଯଦି କିମ୍ବଦନ୍ତୀ ବା ଲୋକକଥା, ତାହା ସହ ଜଡ଼ିତ ଅତୀତ ଉତ୍କଳର ନୌବାଣିଜ୍ୟ ଚିତ୍ର କଣ ଏକ ତତ୍କାଳୀନ ସାମାଜିକ ଦଲିଲ?

ଦ୍ଵିତୀୟ: ତଅପୋଇର ସମ୍ଭାବ୍ୟ ସମୟ କେବେ? ଯେଉଁ ଶତାବ୍ଦୀରେ ଏ ଘଟଣା ସମ୍ଭବ, ସେ ଶତାବ୍ଦୀର ଓଡ଼ିଆ ଘରେ ଚଳଣି କଣ ଥିଲା? କଣ ଥିଲା ସେମାନଙ୍କ କଥିତ ଭାଷା? ପୋଷାକପତ୍ର?

ତୃତୀୟ: ତଅପୋଇ ଚିତ୍ର ପ୍ରସ୍ତୁତ କରିବାକୁ ହେଲେ ଖାଲି କଣ ତଅପୋଇର ଗପ ରହିବ ନ ତା’ ସାଙ୍ଗରେ ଓଡ଼ିଶାର ସେଇ ସମୟର ପ୍ରାମାଣିକ ଚିତ୍ର ରହିବ?

ଏହି ସବୁ ପ୍ରଶ୍ନର ସମାଧାନ ପାଇଁ ଆମକୁ ମ୍ୟୁଜିୟମ ପର୍ଯ୍ୟନ୍ତ ଦୌଡିବାକୁ ହୋଇଛି। ଓଡ଼ିଶା ମ୍ୟୁଜିୟମ ପୋଥି ବିଭାଗର ପଣ୍ଡିତ ନୀଳମଣି ମିଶ୍ରଙ୍କ ସହିତ ଅନେକ ଆଲୋଚନା କରିବାକୁ ହୋଇଛି। ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ସଂଗୃହୀତ ତଅପୋଇର ତାଳପତ୍ର ପୋଥି ଦେଖିବାକୁ ପଡିଛି। କଳା ନିର୍ଦ୍ଦେଶକ ଅସୀମ ବସୁଙ୍କୁ ସଂଗ୍ରହ କରିବାକୁ ପଡ଼ିଛି ସେଥିରୁ ବୋଇତର ଚିତ୍ର। ସେତେବେଳର ପୋଷାକ ପରିଚ୍ଛଦ, ଅଳଙ୍କାର, କେଶ ବିନ୍ୟାସ ଇତ୍ୟାଦି ଅନୁଧ୍ୟାନ କରିବାକୁ ପଡିଛି।

ଏସବୁ କରିସାରିଲା ପରେ ପୁଣି ଆଉ ଏକ ସମସ୍ୟା ମୁଣ୍ଡ ଟେକି ଉଠିଲା – ଭାଷା? ସଂଳାପର ମାଧ୍ୟମ କ’ଣ ହେବ? ସେଇ ସମୟର ଗଦ୍ୟ ସାହିତ୍ୟ ଓଡ଼ିଆ ଭାଷାରେ ଆସିବ କେଉଁଠୁ? ପୁଣି ବୋଇତରେ, ବନ୍ଦରରେ, ନାବିକ ଓ ଜଳଦସ୍ୟୁମାନଙ୍କ ପାଇଁ? ଏସବୁ ଯେତେବେଳେ ବିଶେଷକରି ମୋତେ ଚିନ୍ତିତ କରି ରଖିଥିଲା ଅକ୍ଷୟ ମହାନ୍ତି ହଠାତ ଦୁଇଟି ଗ୍ରନ୍ଥ ନେଇଆସିଲେ। ଗୋଟିଏ ଫକୀର ମୋହନ ଗ୍ରନ୍ଥାବଳୀ, ଆରଟି ଚକ୍ରଧର ମହାପାତ୍ରଙ୍କ ସଂଗୃହୀତ ଉତ୍କଳ ଗାଉଁଲି ଗୀତ। ଅକ୍ଷୟ ମହାନ୍ତିଙ୍କୁ ଧନ୍ୟବାଦ, ସେ ଏମିତି ସମସ୍ୟାମାନଙ୍କର ସନ୍ଧିସ୍ଥଳରେ ଆସି ପହଞ୍ଚନ୍ତି ଏବଂ ସମସ୍ୟାର ସମାଧାନ ହୋଇଯାଏ।
ଫକୀରମୋହନଙ୍କ ପୂର୍ବରୁ ଓଡ଼ିଆ ଗଦ୍ୟ ଶୈଳୀରେ ଏବଂ ତତ୍କାଳୀନ କଥିତ ଭାଷାରେ କିଛି ଲିପିବଦ୍ଧ ପୁସ୍ତକ ଅଛି କି ନାହିଁ ଆମେ ଜାଣିନାହୁଁ। କିନ୍ତୁ ଆମକୁ ପୂରାପୂରି ଭାବରେ ଫକୀରମୋହନଙ୍କ ଆଶ୍ରୟ ନେବାକୁ ପଡିଲା। ବୋଇତ, ବନ୍ଦର, ଜଳଦସ୍ୟୁ, ନାବିକମାନଙ୍କର ପ୍ରତି ଶବ୍ଦ ଗ୍ରନ୍ଥ ଭିତରେ ଯାହାକୁ ଯେତେ। ତତ୍କାଳୀନ ପରିବେଶ ପାଇଁ କିସ, ଉଛୁଣିକା, ଢେର, ଗେଡି ସାଧବାଣୀ ଇତ୍ୟାଦି ଅନେକ ଶବ୍ଦ ସଂଳାପରେ ଯୋଗ କରାଗଲା, କଥିତ ଭାଷା ଉପରେ ପ୍ରାଧାନ୍ୟ ଦିଆଗଲା।

ଏଣିକି କାଗଜ କଲମର ତଅପୋଇ ପୁଣି ରକ୍ତ ମାଂସର ଦେହ ନେଇ ଖେଳି ବୁଲିବ ସାଧବ ଘର ଦଣ୍ଡ ଅଗଣାରେ। ଏଣିକି ଘରମଣୀ ହଜିବ, ଏଣିକି ବୋହୂମାନେ ଭିତରେ ମୂଷା ମାଟି ଭରି କରି ଉପରେ ଭାତ ଚାରିଗୋଟି ସଜାଇ ତଅପୋଇକୁ ଛେଳି ଜଗିବାକୁ ପଠାଇବେ। ତାକୁ ଦଣ୍ଡିବେ, ଝିଙ୍ଗାସିବେ, କିନ୍ତୁ ସେ ଆଉ ଏକ ପର୍ବ, ଆଉ ଏକ ଆୟୋଜନ।…

(ସୌଜନ୍ୟ: ସୋସିଆଲ୍‌ ମିଡିଆ)

Comment