ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କଣ୍ଟେନମେଣ୍ଟ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଜୋରଦାର କରାଯାଉଛି। ଗତକାଲି ରାତି ସୁଦ୍ଧା ୫ ହଜାର ୬୨ଟି ଘର ମଧ୍ୟରୁ ୪ ହଜାର ୭୫୫ ଘରେ ସ୍କ୍ରିନିଂ କରାଯାଇଥିଲା। ଆଜି ବି ସ୍କ୍ରିନିଂ ଚାଲିଥିଲା।

ସେହିପରି ମହାନଗର ନିଗମର ୨୦ଟି ଟିମ୍ ସଂପୃକ୍ତ ଅଞ୍ଚଳରେ ସାନିଟାଇଜେସନ କାର୍ଯ୍ୟ ଜାରି ରଖିଛନ୍ତି। ବିଭିନ୍ନ ଅଞ୍ଚଳରେ ଘରକୁ ଘର ବୁଲି ଲିକ୍ୟୁଇଡ ବ୍ଲିଚିଂ ସ୍ପ୍ରେ କରୁଛନ୍ତି। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଯଥା, ରାସନ ସାମଗ୍ରୀ, ପରିବା, ଫଳ, ଔଷଧ ଓ କ୍ଷୀର ଯୋଗାଇଦେବା ଲାଗି ବିଭିନ୍ନ ଟିମ୍ ନିୟୋଜିତ ଅଛନ୍ତି।

କଣ୍ଟେନମେଣ୍ଟ ଅଞ୍ଚଳର ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଲାଗି ସ୍ୱତନ୍ତ୍ର ହେଲ୍ପଲାଇନ ଖୋଲାଯାଇଛି। ଏହି କାର୍ଯ୍ୟକୁ ଅଧିକ ପ୍ରଭାବୀ କରିବା ଲାଗି ମହାନଗର ନିଗମର କମିଶନର ଆଜି ନିଜେ ଅନ୍ୟ ଅଧିକାରୀମାନଙ୍କ ସହ ସଂପୃକ୍ତ ଅଞ୍ଚଳରେ ବୁଲି ବୁଲି ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ।

ଡ୍ରୋନ ମାଧ୍ୟମରେ ସଂପୃକ୍ତ ଅଞ୍ଚଳର ମନିଟରିଂ କରାଯାଇଥିଲା। ସାନିଟାଇଜେସନ କାର୍ଯ୍ୟକୁ ଅଧିକ ପ୍ରଭାବୀ କରିବା ନିମନ୍ତେ ଟ୍ରାକ୍ଟର ମାଉଣ୍ଟେଡ ସ୍ପ୍ରେୟାର ମେସିନ୍ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ଓ ରାଉରକେଲା ମହାନଗର ନିଗମ ପକ୍ଷରୁ ଅଣାଯାଇଛି। ପ୍ରଥମେ କଣ୍ଟେନମେଣ୍ଟ ଅଞ୍ଚଳରେ ତାହା ସ୍ପ୍ରେ କରାଯିବ। ସେହିପରି ଦୁଇ ଚାରିଦିନ ମଧ୍ୟରେ ଡ୍ରୋନ ଯୋଗେ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ଲିକ୍ୟୁଇଡ ବ୍ଲିଚିଂ ସ୍ପ୍ରେ କରାଯିବ ବୋଲି ଜଣାପଡ଼ିଛି।

ସୁନ୍ଦରଗଡ଼ର ଷଷ୍ଠ କରୋନା ଆକ୍ରାନ୍ତ ଏବେ ରାଉରକେଲା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଆଉ ୪ ଜଣଙ୍କ ନମୁନା ପଜିଟିଭ୍‌ ଆସିବା ପରେ ପ୍ରଶାସନ ପକ୍ଷରୁ ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି।  ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା କୋଭିଡ ଡାକ୍ତରଖାନାରେ ଆବଶ୍ୟକ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।

Comment