ନୀଳାମ୍ବର ରଥ
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଓଡ଼ିଶାଲାଇଭ୍ର ଗଭୀର ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ମଧୁ ବାବୁଙ୍କ ଜୀବନୀ ଓ ଦର୍ଶନ ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ଓଡ଼ିଶାଲାଇଭ୍ର ଏକ ପ୍ରୟାସ।
ଦିନେ ପରାଧୀନ ଭାରତରେ ଅଖଣ୍ଡ ଉତ୍କଳ ପ୍ରଦେଶ ଗଠନର ସ୍ଵପ୍ନ ଦେଖିଥିଲେ ଉତ୍କଳଗୌରବ ମଧୁସୂଦନ ଦାସ। ସେହି ସ୍ଵପ୍ନକୁ ସତ କରିବାକୁ ସେ ଉତ୍କଳର ସନ୍ତାନମାନଙ୍କୁ ଏକାଠି ହେବାକୁ ଆହ୍ଵାନ ଦେଇଥିଲେ। ଏବେବି ଓଡ଼ିଆଙ୍କ କାନରେ ଠୋ ଠୋ ବାଜି ଉଠୁଛି ମଧୁବାବୁଙ୍କ ସେହି କାଳଜୟୀ କବିତା: ‘ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ?’
‘ମା’ ମା’ ବୋଲି କେତେ ମୁଁ ଖୋଜିଲି ମା’କୁ ପାଇଲି ନାହିଁ, ଭାଇ ଭାଇ ବୋଲି କେତେ ମୁଁ ଡାକିଲି ନଦେଲେ ଉତ୍ତର କେହି’ – ମଧୁବାବୁଙ୍କ ଏହି ଅମର ସଂଗୀତ ଭିତରେ ଲୁଚି ରହିଥିଲା ଉତ୍କଳମାତାକୁ ପାଇବା ପାଇଁ ପ୍ରତି ନିୟତ ଛଟପଟ ହେଉଥିବା ଜଣେ ସଚ୍ଚା ଓଡ଼ିଆର ମନର ବେଦନା। ସେହି ବେଦନା ଭିତରେ ଥିଲା ମଧୁସୂଦନଙ୍କ ବଡ଼ ସକାରାତ୍ମକ ଚିନ୍ତା ଯାହା ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ବାସ୍ତବ ରୂପ ନେଇଥିଲା।
ଏଇ ଗୀତଟି ଏବେବି କୋଟି କୋଟି ଓଡ଼ିଆଙ୍କ ପ୍ରାଣରେ ଉତ୍ସାହ ଓ ଶିହରଣ ସୃଷ୍ଟି କରେ। ସମ୍ଭବତଃ ଏହା ହେଉଛି ମଧୁପ୍ରେମୀଙ୍କ ସବୁଠାରୁ ଆପଣାର କବିତା।
ଯେତେବେଳେ ଓଡ଼ିଆ ଏକ ପଛୁଆ ଜାତି ଭାବେ ବାହାରେ ପରିଚିତ ହେଉଥିଲା ଏବଂ ବ୍ରିଟିସ୍ ସରକାର ଆଗରେ ମୁହଁ ଖୋଲିବାର ସାହସ କରିପାରୁ ନଥିଲା ସେତେବେଳେ ଆଉ ଏକ କବିତା ମାଧ୍ୟମରେ ମଂଜ କଥା କହିଥିଲେ ମଧୁ ବାରିଷ୍ଟର।
ତାଙ୍କ ଭାଷାରେ: “ତୁ ପରା ବୋଲାଉ ଉତ୍କଳ ସନ୍ତାନ ତେବେ କିଂପା ତୁହି ଭୀରୁ, ତୋହର ଜନନୀ ରୋଦନ କରିଲେ କହିବାକୁ କିଂପା ଡରୁ?”।
ଏହି ଜାତୀୟ ଗୀତର ସବୁଠାରୁ ବଡ଼ ତଥା ମାର୍ମିକ ପଙକ୍ତିଟି ହେଉଛି: “ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ଵାର୍ଥକୁ ସାରଥୀ କଲେ, ଟାଣେ କିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ା ମୁହେଁ ବନ୍ଧା ଥିଲେ?” ତେଣୁ, ତୋଷାମଦ ନୁହେଁ ବରଂ ସତ୍ୟ ଓ ସାହସ ଓଡ଼ିଆ ଜାତିର ଅସଲ ପରିଚୟ ବୋଲି ସେଦିନ ଚେତାଇ ଦେଇଥିଲେ ମଧୁବାବୁ।
ଉତ୍କଳଗୌରବ ମଧୁସୂଦନ ଦାସ ତାଙ୍କ ଜୀବନ କାଳରେ ଲେଖିଥିଲେ ଅଳ୍ପ କେତୋଟି କବିତା। ସେସବୁ ପୁଣି ଥିଲା ଉତ୍କଳର ସନ୍ତାନମାନଙ୍କୁ ଓଡ଼ିଆ ଭାଷା, ଜାତି ଏବଂ ଭୂଖଣ୍ଡ ପାଇଁ ଏକାଠି କରିବାର ଆହ୍ଵାନ। ତା’ ଭିତରେ ‘ଜାତି ଇତିହାସ ଜାତିର ନିର୍ଝର, ସଦା ବହେ ତହୁଁ ଜାତି ପ୍ରାଣଧାର’ ଗୀତଟି ଏବେବି କୋଟି କୋଟି ଓଡ଼ିଆଙ୍କ ପ୍ରାଣରେ ଉତ୍ସାହ ସୃଷ୍ଟି କରେ।
“ଏହି ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ କୋଟି ପ୍ରାଣବିନ୍ଦୁ ଧରେ, ତୋ’ର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ ଡେଇଁପଡ଼ି ସିନ୍ଧୁ ନୀରେ” – ଦିନେ ଉତ୍କଳ ସମ୍ମିଳନୀର ଉଦ୍ଦେଶ୍ୟ ଓ ଗୁରୁତ୍ଵ ବିଷୟରେ ଲୋକଙ୍କୁ ବୁଝାଇବାକୁ ଯାଇ ଏହି ଐତିହାସିକ କବିତାଟି ଲେଖିଥିଲେ ଉତ୍କଳଗୌରବ ମଧୁସୂଦନ ଦାସ। ମଧୁବାବୁ ସେଦିନ ସଫା ସଫା ବୁଝାଇ ଦେଇଥିଲେ ଯେ, ‘ନିଜର ଜୀବନ ଜାତିକୁ ଅର୍ପଣ କଲେ ମିଳେ ଜାତି ପ୍ରାଣ, ଜାତୀୟ ଜୀବନ ନମିଳିବ କଲେ ହାଟେ ବାଟେ ଅନ୍ଵେଷଣ’।
ପରାଧୀନତାରୁ ମୁକୁଳିବା ପାଇଁ ପ୍ରତି ବ୍ୟକ୍ତିର ଜୀବନକୁ ଟପି ଏହି ଜାତିପ୍ରାଣ ବା ଜାତୀୟ ଜୀବନ ଯେ କେତେ ଜରୁରୀ ତାହା ସେ ବୁଝାଇବାକୁ ଚେଷ୍ଟା କରିଥିଲେ।
ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପଛର ପ୍ରମୁଖ ବିନ୍ଧାଣି ମଧୁବାବୁ ଦିନେ ଲେଖିଥିଲେ ଏହି ପ୍ରାର୍ଥନା – ‘ଆହେ ବିଶ୍ଵପତି ଘୁଞ୍ଚାଅ ବିସ୍ମୃତି ଆଦି ମନ୍ତ୍ର ସଦା ଜପୁ ମୋର ମନ’। ହେଲେ କ’ଣ ଥିଲା ଏହି ମହାପୁରୁଷଙ୍କ ଲାଗି ‘ଆଦି ମନ୍ତ୍ର’? ଏହାର ଉତ୍ତର ହେଉଛି – ଉତ୍କଳ ଜନନୀର ମୁକ୍ତି।
ଆମ ଶରୀର, ଆମ ଜୀବନ ଅନ୍ୟ ପାଇଁ ଗଢ଼ା। ଦିନେ ଉତ୍କଳବାସୀଙ୍କୁ ଏହି ମନ୍ତ୍ର ଦେଇଥିଲେ କୁଳବୃଦ୍ଧ ମଧୁସୂଦନ। ‘ଜନ୍ମ ହେଲା କ୍ଷଣି ସ୍ତନ୍ୟ ଦାନ କରି ମାତା ମନ୍ତ୍ର ଦେଲେ ପରାର୍ଥେ ଜୀବନ’ – ତାଙ୍କ କବିତା ଭିତରେ ଥିବା ଏହି ଧାଡ଼ିଟି କହେ ମଧୁବାବୁଙ୍କ ଜୀବନର ସରାମର୍ମ।
ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନ ଏ ଜାତି ପାଇଁ ତିଆରି ହୋଇଥିଲା। ତାଙ୍କର ପ୍ରାଣ ଯଥାର୍ଥରେ ଥିଲା ଜାତିପ୍ରାଣ। ତାଙ୍କର ଜବୀନ ଥିଲା ଜାତୀୟ ଜୀବନ। ୧୮୪୮ ଏପ୍ରିଲ୍ ୨୮ ତାରିଖରେ କଟକର ସତ୍ୟଭାମାପୁରରେ ଜନ୍ମ ହୋଇଥିବା ଏହି ଓଡ଼ିଆ ଜଣକ ୧୯୩୪ ମସିହା ଫେବ୍ରୁଆରି ୪ ତାରିଖରେ ଆଖିବୁଜି ଦେଇଥିଲେ।
ଗଲା ବେଳେ ସେ ଗୋଟିଏ ଛୋଟ ବାକ୍ୟ କହିଯାଇଥିଲେ – ‘ଜଣେ ଓଡ଼ିଆ ଥିଲା’। ସତରେ, ଆଜି ପ୍ରତ୍ୟେକ ଓଡ଼ିଆ ଏହି କଥାର ମର୍ମ ଖୋଜିବା ଦରକାର।