ଓଡ଼ିଶାଲାଇଭ୍ ବ୍ୟୁରୋ
ପରଲୋକରେ ବଲିଉଡ୍ ଅଭିନେତା ଇରଫାନ୍ ଖାନ। ବୁଧବାର ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।
ବଲିଉଡରେ ଇରଫାନ ଖାନଙ୍କର କେହି ଗଡ୍ ଫାଦର୍ ନଥିଲେ। ତାଙ୍କୁ କାହାର ସାହାଯ୍ୟ କିମ୍ବା ସମର୍ଥନ ମିଳିନଥିଲା। ସଂଘର୍ଷ ବଳରେ ସେ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିଲେ। ତେବେ ଆସନ୍ତୁ ଜାଣିବା ତାଙ୍କ ଜିରୋ ହିରୋ ହେବାର ଯାତ୍ରା ବିଷୟରେ।
ଟେଲିଭିଜନ ସିରିଏଲ ସହିତ ଇରଫାନ୍ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। NSD (ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା) ରେ ପଢ଼ିବା ପରେ ଇରଫାନଙ୍କ ସ୍ୱପ୍ନ କେବଳ ସିରିଏଲରେ ସୀମିତ ନରହି ଫିଲ୍ମ ଜଗତକୁ ଆସିଥିଲା। କଠିନ ପରିଶ୍ରମ କରି ନିଜର ସ୍ଥାନ ହାସଲ କରିଥିଲେ।
ଇରଫାନଙ୍କୁ ସିରିଏଲ ‘ଚାଣକ୍ୟ’, ‘ଭାରତ ଏକ୍ ଖୋଜ’, ‘ସାରା ଜାହାନ୍ ହାମାରା’, ‘ବାନେଗି ଅପନି ବାତ୍’ ଏବଂ ‘ଚନ୍ଦ୍ରକାନ୍ତା’ରେ ଦେଖିବାକୁ ମିଳିଥିଲା। କିନ୍ତୁ ଏଥିରେ ଇରଫାନଙ୍କୁ କେହି ନୋଟିସ୍କରିନଥିଲେ। ଏହା ପରେ ସେ ଫିଲ୍ମ ଜଗତରେ ପ୍ରବେଶ କରିଥିଲେ। ଆରମ୍ଭରୁ ତାଙ୍କୁ କଷ୍ଟ କରିବାକୁ ପଡ଼ିଥିଲା।
ଏକ ସାକ୍ଷାତକାରରେ ଇରଫାନ କହିଥିଲେ ତାଙ୍କ ଚେହେରା ପାଇଁ ତାଙ୍କୁ ସମସ୍ତେ ଖଳନାୟକ ଭୂମିକା ଅଫର କରୁଥିଲେ। ପରେ ୧୯୮୮ରେ ଫିଲ୍ମ ‘ସଲାମ ବମ୍ବେ’ ସହିତ ଇରଫାନ୍ ବଡ ପରଦାରେ ଡେବ୍ୟୁ କରିଥିଲେ। କିନ୍ତୁ ଏହି ଫିଲ୍ମ ବି ତାଙ୍କୁ ଏତେଟା ସଫଳତା ଦେଇନଥିଲା। ଇରଫାନ୍ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଲଣ୍ଡନରେ ରହୁଥିବା ନିର୍ଦ୍ଦେଶକ ଆସିଫ୍ କାପାଡିଆଙ୍କ ଦ୍ୱାରା ଫିଲ୍ମ ‘ଦ ୱାରିଅର୍’ ରେ ଇରଫାନ ନଜର ଆସିଥିଲେ। ଏହି ଫିଲ୍ମ ପରେ ଇରଫାନ ଲୋକଙ୍କ ନଜରକୁ ଆସିଥିଲେ।
୨୦୦୩ରେ ଫିଲ୍ମ ମାକବୁଲରୁ ଇରଫାନ୍ ତାଙ୍କର ପ୍ରକୃତ ପରିଚୟ ପାଇଥିଲେ। ଏହି ଫିଲ୍ମରେ ଇରଫାନଙ୍କ ସହ ଅଭିନେତ୍ରୀ ତବୁ ଅଭିନୟ କରିଥିଲେ। ଏହା ପରେ ଇରଫାନଙ୍କୁ ‘ରୋଗ’, ‘ଲାଇଫ୍ ଇନ୍ ମେଟ୍ରୋ’, ‘ସ୍ଲୁମଡୋଗ୍ ମିଲିଅନେୟାର’, ‘ପାନ୍ ସିଂ ତୋମାର’, ଲଞ୍ଚ୍ ବକ୍ସ ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ସବୁ ଫିଲ୍ମରେ ଇରଫାନଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା।


















