ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳାହାଣ୍ଡି ଓ ସୁନ୍ଦରଗଡ଼ ପରେ ଝାରସୁଗୁଡ଼ା, କେନ୍ଦୁଝର, ଦେବଗଡ଼ରୁ ଚିହ୍ନଟ ହେଲେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ।

କରୋନା ଆଜି ଓଡ଼ିଶାର ତିନି ନୂଆ ଜିଲ୍ଲାକୁ ବ୍ୟାପିଛି। ଉପକୂଳ ଓଡ଼ିଶା ଡେଇଁ ପଶ୍ଚିମ ଓଡ଼ିଶାରେ କାୟା ମେଲାଇଛି କରୋନା ଭାଇରସ୍‌। ପ୍ରଥମେ କଳହାଣ୍ଡି, ସୁନ୍ଦରଗଡ଼ ପରେ କରୋନା ଝାରସୁଗୁଡ଼ା, ଦେବଗଡ଼ ଏବଂ କେନ୍ଦୁଝର ଜିଲ୍ଲାକୁ ଡେଇଁଛି। ଏହି ଜିଲ୍ଲାରୁ ଆଜି ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ କରୋନା ପ୍ରଥମେ ତାଣ୍ଡବ ରଚିଥିଲା। ମାର୍ଚ୍ଚ ୧୫ ତାରିଖରୁ ରାଜଧାନୀ ଭୁବନେଶ୍ୱରରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶାରେ ଭୟ ବଢ଼ିଥିଲା। ଭୁବନେଶ୍ୱର ପରେ ଭଦ୍ରକରୁ ଚିହ୍ନଟ ହୋଇଥିଲେ କରୋନା ଆକ୍ରାନ୍ତ। ଏହାପରେ କଟକ, କଳାହାଣ୍ଡି, ପୁରୀ, ଯାଜପୁର, ବାଲେଶ୍ୱର, ଢେଙ୍କାନାଳରେ କରୋନା ରୋଗୀ ଚିହ୍ନଟ ହୋଇଥିଲେ।

ଗତ ଦୁଇ ଦିନ ତଳେ ଦକ୍ଷିଣ ଓଡ଼ିଶାକୁ ଡେଇଁଥିଲା କରୋନା। କୋରାପୁଟ ଦଶମନ୍ତପୁର ବ୍ଲକର ଜଣେ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ପାଖରେ ନମୁନା ଚିହ୍ନଟ ହେବା ପରେ ଅନ୍ୟ ଜିଲ୍ଲା ପାଇଁ ସତର୍କଘଣ୍ଟି ବାଜିଥିଲା।

ଆଜି କରୋନା ନୂଆ ଜିଲ୍ଲାକୁ କବଳିତ କରିଛି। ପଶ୍ଚିମ ଓଡ଼ିଶାର ପ୍ରମୁଖ ଜିଲ୍ଲା ଝାରସୁଗୁଡ଼ା, ଦେବଗଡ଼ ଏବଂ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକଙ୍କ ମନରେ ଭୟ ବଢ଼ିଛି।

ପଶ୍ଚିମ ଓଡ଼ିଶାରୁ ପ୍ରଥମେ ଏପ୍ରିଲ ପ୍ରଥମ ସପ୍ତାହରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେ ବାହାରିନ୍‌ରୁ ଫେରିଥିଲେ। ଏହାପରେ ଆଉ ଜଣେ ରୋଗୀ ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିଲେ।

କଳହାଣ୍ଡି ପରେ ସୁନ୍ଦରଗଡ଼ର ବିଶ୍ରାରୁ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହି ଆକ୍ରାନ୍ତଙ୍କର ନିଜାମୁଦ୍ଦିନ ଲିଙ୍କ ରହିଥିଲା। ଏବେ ସୁନ୍ଦରଗଡ଼ ଜିଲ୍ଲାରେ ୧୦ ରୋଗୀ ଚିହ୍ନଟ ହୋଇଛନ୍ତି।

ଏବେ ଝାରସୁଗୁଡ଼ା, ଦେବଗଡ଼ ଏବଂ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଛି। କେନ୍ଦୁଝର ପଞ୍ଚପଲ୍ଲୀ ଅଞ୍ଚଳରୁ ୬୦ ବର୍ଷୀୟ ବୃଦ୍ଧ ଚିହ୍ନଟ ହୋଇଥିବା ବେଳେ ଦେବଗଡ଼ ବାସୁଦେବପୁରରୁ ଜଣେ ୩୪ ବର୍ଷୀୟ ଯୁବକ ଏବଂ ଝାରସୁଗୁଡ଼ା ବ୍ରଜରାଜନଗରରୁ ଜଣେ ୧୮ ବର୍ଷୀୟ ଝିଅଙ୍କ ନମୁନା ପଜିଟିଭ୍‌ ଆସିଛି। ଏହି ତିନି ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଥିବା ଜଣାପଡ଼ିଛି।

Comment