ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ପରେ ସର୍ବାଧିକ କରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଆଜି ଗୋଟିଏ ଦିନରେ ୧୭ ଆକ୍ରାନ୍ତ ଚିହ୍ନଟ ହେବା ପ୍ରଶାସନକୁ ଚିନ୍ତାରେ ପକାଇଛି। ଦଶରଥପୁର ବ୍ଲକ କଟିକଟା ଗାଁରୁ ଏହି ୧୪ ଜଣ ଚିହ୍ନଟ ହୋଇଥିବାରୁ ଲୋକଙ୍କ ମନରେ ଡର ବଢ଼ିଛି।

ଆଜି ସକାଳେ ଏହି ଗାଁରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏବେ ଏକାଥରକେ ୧୪ ପଜିଟିଭ୍‌ ବାହାରିବା ଚିନ୍ତାର ବିଷୟ ପାଲଟିଛି। ୧୭ ନୂଆ ପଜିଟିଭ୍‌ କେସ୍‌କୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି।

ପୂର୍ବରୁ କଟିକଟା ଗାଁରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନେ ସମସ୍ତେ ପଶ୍ଚିମବଙ୍ଗରୁ ଫେରିଥିଲେ। ଏହାପରେ ପ୍ରଶାସନ କଟିକଟାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଥିଲା। ଏହି ଗାଁରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା।

ଆଜି ୨୦୦ ନମୁନା ପରୀକ୍ଷା ହୋଇଥିଲା। ସେଥିରୁ ଆଜି ସନ୍ଧ୍ୟାରେ ୧୪ଟି ପଜିଟିଭ୍‌ ବାହାରିଛି। ୧୪ ଜଣଙ୍କ ଭିତରେ ଦୁଇ ଜଣ ଶିଶୁ ଅଛନ୍ତି। ସେମାନଙ୍କ ବୟସ ୩ ବର୍ଷ।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଭିତରୁ ଜଣେ ୨୯ ବର୍ଷୀୟ ପୁରୁଷ ହୋଇଥିବା ବେଳେ ଆଉ ଜଣେ ୩୮ ବର୍ଷୀୟ ପୁରୁଷ, ୩୫ ବର୍ଷୀୟ ମହିଳା, ୪୦ ବର୍ଷୀୟ ମହିଳା, ୨୯ ବର୍ଷୀୟ ପୁରୁଷ, ୨୦ ବର୍ଷୀୟ ଯୁବତୀ, ୮୫ ବର୍ଷୀୟ ମହିଳା, ୩୪ ବର୍ଷୀୟ ପୁରୁଷ, ୩୬ ବର୍ଷୀୟ ମହିଳା, ୧୨ ବର୍ଷୀୟ ନାବାଳକ, ୫୨ ବର୍ଷୀୟ ମହିଳା, ୬୨ ବର୍ଷୀୟ ପୁରୁଷ।

ଏହି ଆକ୍ରାନ୍ତମାନଙ୍କର କୋଲକାତା ଲିଙ୍କ ରହିଛି। ପୂର୍ବରୁ ଯେଉଁ ୬ ଜଣ ଚିହ୍ନଟ ହୋଇଥିଲେ ସେମାନେ କୋଲକାତାରୁ ଆସିଥିଲେ। ସେମାନଙ୍କଠାରୁ ଏହି ସଂକ୍ରମଣ ହୋଇଥିବା କୁହାଯାଉଛି।

Comment