ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀରୁ ଲୋକଙ୍କ ଜୀବନ ଏକରକମ ସୁରକ୍ଷିତ ରଖିବା ପରେ ଲାଇନଚ୍ୟୁତ ଅର୍ଥନୀତିକୁ ରାସ୍ତାକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଗିପଡିଛନ୍ତି। ମାର୍ଚ୍ଚ ୨୪ରୁ ଲକଡାଉନ ଜାରି ହେବା ସହ ଦେଶର ଅର୍ଥନୀତିକୁ ବଡ଼ ଧକ୍କା ପହଞ୍ଚିଛି। ଆର୍ଥିକ ଗତିବିଧି ବନ୍ଦ ହେବା ଫଳରେ ବିକାଶର ଗାଡି ଏକରକମ ଅଟକି ଯାଇଛି।

ଏହି ସ୍ଥିତିରେ ଅର୍ଥନୀତିକୁ ମୃତ ସଞ୍ଜୀବନୀ ଦେବା ପାଇଁ କେନ୍ଦ୍ର ପ୍ରସ୍ତୁତି ଆରମ୍ଭ କରିଛି। ମୋଦୀ ଦୁଇଟି କଥା ଉପରେ ଜୋର ଦେଉଛନ୍ତି। ପ୍ରଥମ, ବିଦେଶୀ ପୁଞ୍ଜିକୁ ଆକର୍ଷିତ କରିବା ଓ ଦ୍ଵିତୀୟ, ଦେଶ ଭିତରେ ପୁଞ୍ଜି ନିବେଶର ରାସ୍ତାକୁ ସଫା କରିବା।

ଏ ନେଇ ଗୁରୁବାର ଦିନ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବ୍ୟତୀତ ତମାମ ଅଧିକାରୀ ଯୋଗ ଦେଇଥିଲେ।

ପୁଞ୍ଜି ନିବେଶକାରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ବୈଠକରେ ମୋଦୀ ପରାମର୍ଶ ଦେଇଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ପୁଞ୍ଜି ବିନିଯୋଗ ପାଇଁ ଯେଉଁମାନେ ଆସୁଛନ୍ତି ସେମାନଙ୍କ ପାଇଁ ସବୁ ସୁବିଧା ସୁଯୋଗ ମିଳିବା ଉପରେ ମୋଦୀ ଗୁରୁତ୍ୱ ପ୍ରଦାନ କରିଥିଲେ। ବୈଠକରେ ଏହି କଥା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ, ଦେଶର ଭିତ୍ତିଭୂମି/ପ୍ଲାଣ୍ଟ/ଇଷ୍ଟେଟ କ୍ଷେତ୍ରରେ ଉପଯୁକ୍ତ ଓ ତ୍ୱରିତ ସଂସ୍କାର ଅଣାଯିବ।

କରୋନା ମହାମାରୀ ପରେ ବିଶ୍ୱର ଅନେକ ବଡ଼ ବଡ଼ କମ୍ପାନି ଚୀନ ଛାଡ଼ିବା ପାଇଁ ଚାହୁଁଛନ୍ତି। ବିଶେଷଜ୍ଞମାନଙ୍କ କହିବା କଥା ଭାରତ ଏହି ସୁଯୋଗ ହାତଛଡା କରିବା ଉଚିତ ନୁହେଁ। ଯଦି ଏହି ସମୟରେ ଭାରତ ତାର ପରାକ୍ରମ ଦେଖାଇପାରିବ, ବିଶ୍ୱ ସମୁଦାୟରେ ଏକ ବଳିଷ୍ଠ ସ୍ଥାନ ଅଧିକାର କରିବା ସହଜ ହେବ।

LEAVE A REPLY

Please enter your comment!
Please enter your name here