ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନ୍‌ ସମୟରେ ଦେଶରେ ୯୦ ପ୍ରତିଶତ କମିଛି ସଡ଼କ ଦୁର୍ଘଟଣା। ହେଲେ ବଢୁଛି ଘରୋଇ ହିଂସା ମାମଲା।

ଲକ୍‌ଡାଉନ୍‌କୁ ପ୍ରାୟ ଦେଢ଼ ମାସ ହୋଇଯିବ। ଏହା ମଧ୍ୟରେ ସମସ୍ତ ଲୋକ ନିଜ ନିଜ ଘରେ ରହୁଛନ୍ତି। ଏହି ସମୟରେ ଦୁର୍ଘଟଣା ମାମଲା ୮୦ରୁ ୯୦ ପ୍ରତିଶତ ହ୍ରାସ ଘଟି ଥିବା ସାମ୍ନାକୁ ଆସିଛି। ଲକ୍‌ଡାଉନ୍‌ର ଦେଢ଼ ମାସ ମଧ୍ୟରେ କେବଳ ୨୦ରୁ ୩୦ ଦୁର୍ଘଟଣା ମାମଲା ଡାକ୍ତରଖାନାରେ ରହିଛି। ଏହି ସୂଚନା ଦେଇଛନ୍ତି ଦିଲ୍ଲୀ ଏମ୍ସ ଟ୍ରମା ସେଣ୍ଟରର ଜଣେ ଅଧିକାରୀ।

ପୂର୍ବରୁ ହସ୍ପିଟାଲରେ ୧୦୦ରୁ ୧୫୦ ଦୁର୍ଘଟଣା ମାମଲା ଆସୁଥିଲା। ହେଲେ ବର୍ତ୍ତମାନ ଏହା ଖସି ୨୦ରେ ପହଞ୍ଚିଛି। ଗତ ଫେବ୍ରୁଆରି ୨୨ରୁ ମାର୍ଚ୍ଚ ୨୨ ମଧ୍ୟରେ ୨୪୦ରୁ ୨୫୦ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୧୦ଟି ଦୁର୍ଘଟଣା ମାମଲା ରହିଥିଲା। ହେଲେ ଗତ ମାସ ମଧ୍ୟରେ ୧୫ ଦୁର୍ଘଟଣା ମାମଲା ଡାକ୍ତରଖାନାକୁ ଆସିଛି।

ସେହିପରି ଏହି ଲକ୍‌ଡାଉନ୍‌ ସମୟ ମଧ୍ୟରେ ଏମ୍ସ ଟ୍ରମା ସେଣ୍ଟରରେ ଘରୋଇ ହିଂସା ମାମଲା ସାମ୍ନାକୁ ଆସିଛି। ଗତ ଏକ ମାସରେ ୫୦ରୁ ୭୦ ରୋଗୀଙ୍କୁ ଏମ୍ସ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା, ଯେଉଁଥିରେ ୪୦ରୁ ଅଧିକ ରୋଗୀ ପାରସ୍ପରିକ ହିଂସା ସହ ଜଡ଼ିତ ଥିଲେ।

ସାରା ଦେଶରେ କରୋନା ଯୋଗୁଁ ବର୍ତ୍ତମାନ ଲକ୍‌ଡାଉନ୍‌ କରାଯାଇଛି। ଏହି ଲକ୍‌ଡାଉନ୍‌ ଆସନ୍ତା ମେ’ ୩ ତାରିଖ ଯାଏଁ ରହିବ। ତେବେ ଏହି ଲକ୍‌ଡାଉନ୍‌କୁ ଆଗକୁ ବଢ଼ାଯିବ କି ନାହିଁ, ସେନେଇ କେନ୍ଦ୍ର ସରକାର ଏଯାଏଁ ନିଷ୍ପତ୍ତି ନେଇ ନାହାନ୍ତି।

Comment