ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଏଣିକି ପ୍ରତିଦିନ କନକ ନ୍ୟୁଜ୍‌ରେ ପ୍ରସାରଣ କରାଯିବ। ପ୍ରତିଦିନ ପୂର୍ବାହ୍ନ ସାଢ଼େ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମକୁ ଦର୍ଶକମାନେ ଦେଖି ପାରିବେ ବୋଲି ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

‘‘ଆମ ଲୋକକଳା ଆମ ସଂସ୍କୃତି କାର୍ଯ୍ୟକ୍ରମ ମାଧ୍ୟରେ ଓଡ଼ିଶାର ଅନେକ ଲୋକକଳା ପ୍ରଦର୍ଶନ କରାଯାଉଛି। ଆମ ପାରମ୍ପରିକ ଲୋକକଳାକୁ ବର୍ତ୍ତମାନ ପିଢ଼ିର ପିଲାମାନଙ୍କ ସହ ଯୋଡ଼ିବା ପାଇଁ ଉଦ୍ୟମ କରାଯାଉଛି। ଏହାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଏହି କାର୍ଯ୍ୟକ୍ରମକୁ ଲୋକେ ଉପଭୋଗ କରିବେ ବୋଲି ଆଶା ରହିଛି’’, କହିଛନ୍ତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।

ଓଡ଼ିଶାର ଲୋକକଳାକୁ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ପ୍ରତି ମାସରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉ ଥିଲା। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଏହି କାର୍ଯ୍ୟକ୍ରମ  ହେଉଥିଲା।  ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଓଡ଼ିଆ ଲୋକକଳାକାରମାନଙ୍କୁ ନିଜର କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିଥାଏ।

ଏହି କାର୍ଯ୍ୟକ୍ରମରେ ଦାସକାଠିଆ, ଶବର ଶବରୁଣୀ ନୃତ୍ୟ, ମୟୂରଭଞ୍ଜ ଛଉ, ରାବଣଛାୟା ନୃତ୍ୟ, ଛାୟା କଣ୍ଢ଼େଇ ନୃତ୍ୟ, ପହଲ୍ଲାଦ ନାଟକ, ଘୁଡୁକି, ସମ୍ବଲପୁରୀ ଲୋକନୃତ୍ୟ, ସିଂଘବାଦ୍ୟ, ଘୁମୁରା, ଢେମ୍‌ସା ନୃତ୍ୟ ଆଦି ପରିବେଷଣ କରାଯାଇଛି।

Comment