ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା କହ୍ନେଇପୁର ଗାଁରେ ଆଧ୍ୟାତ୍ମିକ ପରିବେଶ। ଘର ଦୁଆର ଲିପାପୋଛା। ଗାଁର ହନୁମାନ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଛି କରୋନା ଶାନ୍ତି ଯଜ୍ଞ। ବ୍ରାହ୍ମଣମାନଙ୍କୁ ଡକାଇ କରିଛନ୍ତି ବିଶାଳ ଯଜ୍ଞର ଆୟୋଜନ। କରୋନା ଏବେ ସାରା ବିଶ୍ଵରେ ଆଣାୟତ ହେବାରେ ଲାଗିଛି। ସେଥିପାଇଁ କହ୍ନେଇପୁର ଗାଁ ଲୋକ ଏବେ ଭଗବାନଙ୍କ ଭରସାରେ ଏହି ଯଜ୍ଞ କରୁଥିବା କହିଛନ୍ତି।

ଦିନିକିଆ ଏହି ଯଜ୍ଞରେ ପୂର୍ଣ୍ଣାହୁତି କରାଯାଇଛି। ପୂର୍ଣ୍ଣାହୁତି ସମୟରେ ପ୍ରତି ଘରର ଜଣେ ଲେଖାଁଏ ଲୋକ ଯଜ୍ଞ ମଣ୍ଡପ ନିକଟରେ ପହଞ୍ଚିଥିଲେ। ମଣ୍ଡପ ନିକଟରେ ଭିଡ଼ ନକରି ସାମାଜିକ ଦୂରତା ବଜାୟ ରଖିବାପାଇଁ ଆଗରୁ ଚୂନରେ ଗୋଲ କଟାଯାଇଥିଲା। ଏହାସହ ଯଜ୍ଞରେ ବ୍ରାହ୍ଣଣଙ୍କଠାରୁ ଆରମ୍ଭ କରି ଗାଁଲୋକ ସମସ୍ତେ ମାସ୍କ ବ୍ୟବହାର କରିଥିଲେ।

କରୋନା ପାଇଁ ଏବେ ସାରା ବିଶ୍ଵ ଚିନ୍ତାରେ। ବହୁତ ବଡ଼ ବଡ଼ ଦେଶ ଏବେ କରୋନା କବଳରୁ ମୁକୁଳି ପାରୁନାହାନ୍ତି। ହେଲେ ଭାରତରେ ଏହା ପ୍ରଭାବ ବାହାର ଦେଶ ତୁଳନାରେ କମ୍ ରହିଛି। ତେଣୁ ଏହାର ଅଧିକ ପ୍ରଭାବ କିପରି ଭାରତ ଉପରେ ନପଡ଼େ ସେଥିପାଇଁ ଏହି ଯଜ୍ଞର ଆୟୋଜନ କରାଯାଇଛି ବୋଲି ଗ୍ରାମବାସୀ କହିଛନ୍ତି।

ସେହିପରି ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ପ୍ରଭାବ କମ ରହିଛି। ବର୍ତ୍ତମାନ ରାଜ୍ୟରେ ୧୫୪ କରୋନା ଆକ୍ରାନ୍ତ ଥିବା ବେଳେ ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯୮ ଜଣ ସକ୍ରିୟ ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ହେଲେ କେନ୍ଦ୍ରାପଡ଼ା ଜିଲ୍ଲାରେ କରୋନାର ପ୍ରଭାବ ଦେଖିବାକୁ ମିଳିନାହିଁ। ଜିଲ୍ଲାରେ ୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ବର୍ତ୍ତମାନ ସେମାନେ ସୁସ୍ଥ ହୋଇ ସାରିଛନ୍ତି।

















