ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାସେ ତଳେ କଟକ ସହରରୁ ଜଣେ ନିଜାମୁଦ୍ଦିନ ଫେରନ୍ତାଙ୍କଠାରୁ କରୋନା ଚିହ୍ନଟ ହୋଇଥିଲା। ଏବେ ତିଗିରିଆରୁ ଆଉ ଜଣେ।

ମାସେ ପରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କୁ ନେଇ କଟକ ଜିଲ୍ଲା ଚର୍ଚ୍ଚାକୁ ଆସିଛି। ଗତ ଏପ୍ରିଲ ୪ ତାରିଖରେ କଟକ ସହରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ତିଗିରିଆ ବ୍ଲକରୁ ଜଣଙ୍କର ନମୁନା ପଜିଟିଭ୍‌ ବାହାରିଛି। କଟକ ସହରରୁ ଯେଉଁ ଆକ୍ରାନ୍ତ ବାହାରିଥିଲେ ସେ ଥିଲେ ନିଜାମୁଦ୍ଦିନ ଫେରନ୍ତା। ଏବେ ତିଗିରିଆ ଆକ୍ରାନ୍ତ ସୁରତରୁ ଫେରିଛନ୍ତି। ଏବେ ସୁରତ ଫେରନ୍ତାଙ୍କୁ ନେଇ କଟକ ଜିଲ୍ଲାରେ ଭୟ ବଢ଼ିବା ସହ ପ୍ରଶାସନ ମଧ୍ୟ ଚିନ୍ତାରେ ପଡ଼ିଛି।

ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଇଟାଲିରୁ ଭୁବନେଶ୍ୱର ଆସିଥିବା ଜଣେ ଯୁବକଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା। ଭୁବନେଶ୍ୱର ପରେ ଭଦ୍ରକକୁ କରୋନା ଡେଇଁଥିଲା। ହେଲେ କଟକ ଜିଲ୍ଲା ସୁରକ୍ଷିତ ଜୋନ୍‌ରେ ରହିଯାଇଥିଲା।

ଯେତେବେଳେ ନିଜାମୁଦ୍ଦିନ ଫେରନ୍ତାଙ୍କୁ ନେଇ ରାଜ୍ୟରେ ଚର୍ଚ୍ଚା ଚାଲିଲା ସେତେବେଳେ କଟକ ସରକାରଙ୍କ ସ୍କାନରରେ ରହିଥିଲା। କଟକ ସହରରେ ଅଧିକ ମୁସଲିମ୍‌ ସଂପ୍ରଦାୟର ଲୋକ ବସବାସ କରୁଥିବାରୁ କିଏ ନିଜାମୁଦ୍ଦିନରୁ ଫେରିଛନ୍ତି ତାକୁ ନେଇ ପ୍ରଶାସନ ଖୋଳତାଡ଼ କରିଥିଲା।

ଏହି ଖୋଳତାଡ଼ ଭିତରେ କଟକ ବକ୍ସିବଜାର ଅଞ୍ଚଳର ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତାଙ୍କ ନମୁନା ପଜିଟିଭ୍‌ ଆସିବା ପରେ ତାଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକ ଲୋକଙ୍କ ମନରେ ଭୟ ବଢ଼ିଥିଲା। ସଂକ୍ରମଣ ରୋକିବା ପାଇଁ କଟକ ମହାନଗର ନିଗମ ପକ୍ଷରୁ ପଟ୍ଟାପୋଲ ଏବଂ ବକ୍ସି ବଜାର ଅଞ୍ଚଳରୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା। ଏହି ଜୋନ୍‌ରେ ରାପିଡ୍‌ ଟେଷ୍ଟିଂ କରାଯାଇଥିଲା। ତାଙ୍କ ସଂସ୍ପର୍ଶରେ ଆସିଥିବା ୧୯ ଜଣଙ୍କ ନମୁନା ପରୀକ୍ଷା ହୋଇଥିଲା। ସବୁ ରିପୋର୍ଟ ନେଗେଟିଭ୍‌ ଆସିଥିଲାବ ଏବଂ ଆକ୍ରାନ୍ତି ଜଣକ ସୁସ୍ଥ ହେବା ପରେ ପରେ କଣ୍ଟେନମେଣ୍ଟ ହଟିଥିଲା।

ଏହି ଗୋଟିଏ କେସ୍‌ ପରେ ପ୍ରାୟ ମାସେ ପର୍ଯ୍ୟନ୍ତ ଆଉ କିଛି ପଜିଟିଭ୍‌ କେସ୍‌ ବାହାରି ନଥିଲା। ଫଳରେ କଟକ ଜିଲ୍ଲା ଗ୍ରୀନ ଜୋନ୍‌ରେ ରହିଥିଲା। ଗ୍ରୀନ ଜୋନ୍‌ ଘୋଷଣା ହେବାର ମାତ୍ର ଦୁଇ ଦିନ ପରେ କଟକ ଜିଲ୍ଲା ତିଗିରିଆରୁ ଜଣେ ସୁରତ ଫେରନ୍ତା ଯୁବକଙ୍କ ନମୁନା ପଜିଟିଭ୍‌ ଆସିଛି। ଏବେ ତାଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ସେନେଇ ପ୍ରଶାସନ ଖୋଳତାଡ଼ କରୁଛି।

Comment