ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାହାର ରାଜ୍ୟରୁ ଆସିବାକୁ ଚାହୁଁଥିବା ଓଡ଼ିଆଙ୍କର କରୋନା ଟେଷ୍ଟିଂ ହେବ। ନେଗେଟିଭ୍‌ ଥିଲେ ଓଡ଼ିଶା ଆସିବାକୁ ମିଳିବ ଅନୁମତି।

କରୋନା ନିୟନ୍ତ୍ରଣ ପାଇଁ ସାରା ଦେଶ ଲକ୍‌ଡାଉନ୍‌। ବିଭିନ୍ନ ଶିଳ୍ପ ସଂସ୍ଥା, ଦୋକାନ ବଜାର ବନ୍ଦ। ଭଲ ଦି ପଇସା ରୋଜଗାର ଆଶାରେ ଓଡ଼ିଶାର ଯେଉଁ ଲୋକ ବାହାର ରାଜ୍ୟକୁ ଯାଇଥିଲେ। ଏବେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭିଟାମାଟିକୁ ଫେରିବାକୁ ଚାହିଁ ରହିଛି ଓଡ଼ିଆ ପୁଅ। ସେମାନଙ୍କ ଭିତରୁ କିଛି ଲୋକ ଆସିଥିବା ବେଳେ ଆଉ କିଛି ଲୋକ ଆସିବାକୁ ଅପେକ୍ଷା କରି ରହିଛନ୍ତି। ହେଲେ ଏତିକି ବେଳେ ଓଡ଼ିଶା ହାଇକୋର୍ଟଙ୍କ ଛାଟ ବାଜିଛି।

ଯେଉଁମାନେ ବାହାର ରାଜ୍ୟରୁ ଆସିବେ ସେମାନଙ୍କର ପ୍ରଥମେ କରୋନା ନମୁନା ପରୀକ୍ଷା କରାଯିବ। ଆର୍‌ଟି-ପିସିଆର୍‌ ଟେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିବ ସେମାନଙ୍କୁ ଓଡ଼ିଶା ଆସିବା ପାଇଁ ଅନୁମତି ଦିଆଯାଉ ବୋଲି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି ନିର୍ଦ୍ଦେଶନାମା ଆସିବା ପରେ ଆସନ୍ତକାଲି ସୁରତ ଛାଡ଼ିବାକୁ ଥିବା ୩ଟି ଟ୍ରେନ୍‌ ବାତିଲ କରିଛନ୍ତି ରାଜ୍ୟ ସରକାର। ଏହି ନିର୍ଦ୍ଦେଶନାମା ଏବେ ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କୁ ଅଡୁଆରେ ପକାଇଛି। ସେମାନେ କେମିତି ଓଡ଼ିଶା ଫେରିବେ ତାକୁ ନେଇ ଭାଳେଣି ପଡ଼ିଛି।

ସେମାନଙ୍କ ନମୁନା କିଏ ପରୀକ୍ଷା କରିବ? ପରୀକ୍ଷା କରିବା ପାଇଁ କହା ପାଖରେ ଆବେଦନ କରିବେ? ଏଥିରେ ସଂପୃକ୍ତ ରାଜ୍ୟ ସରକାରମାନେ ସହଯୋଗ କରିବେ କି ନାହିଁ? ଓଡ଼ିଶା ସରକାର ଏଦିଗରେ କ’ଣ ସହାୟତା କରିବେ? ଏସବୁ ପ୍ରଶ୍ନ ଏବେ ବାହାର ରାଜ୍ୟର ଓଡ଼ିଆଙ୍କ ମନରେ ଉଙ୍କି ମାରୁଛି।

ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ପରେ ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କୁ ଓଡ଼ିଶା ଆଣିବାକୁ ରାଜ୍ୟ ସରକାର ଉଦ୍ୟମ କରିଥିଲେ। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଥିଲେ। ଇତିମଧ୍ୟରେ ୩୯ ହଜାର ୭୬୫ ଲୋକ ଓଡ଼ିଶାକୁ ଫେରିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ବାକି ଯେଉଁମାନେ ଆସିପାରି ନାହାନ୍ତି ସେମାନେ କେମିତି ଫେରିବେ ତାକୁନେଇ ଏବେ ଚିନ୍ତା ଘାରିଛି।

ରାଜ୍ୟ ସରକାର ଆକଳନ କରିଥିଲେ ଯେ, ରାଜ୍ୟ ବାହାରୁ ୫ ଲକ୍ଷ ଓଡ଼ିଆ ଓଡ଼ିଶା ଫେରିବେ। ଯେଉଁମାନେ ଓଡ଼ିଶା ଆସୁଛନ୍ତି ସେମାନଙ୍କ ପାଇଁ ପଞ୍ଚାୟତ ସ୍ତରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରତି ପଞ୍ଚାୟତରେ କ୍ୱାରେଣ୍ଟାଇନ ସେଣ୍ଟର କରାଯାଇଛି। ଖାଇବା, ପିଇବା ବ୍ୟବସ୍ଥା ମଧ୍ୟ କରାଯାଇଛି। ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ରାଜ୍ୟ ସରକାର କ’ଣ କରିବେ ତାକୁନେଇ ଚର୍ଚ୍ଚା ବଢ଼ିଛି।

ରାଜ୍ୟ ବାହାରୁ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ସମବେଦନା ଏବଂ ସହାନୁଭୂତି ଦେଖାଇବା ପାଇଁ ରାଜ୍ୟ ସରକାର ନିବେଦନ କରିଥିଲେ। ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ରାଜ୍ୟ ସରକାରଙ୍କ ସବୁ ଯୋଜନା ପାଣିରେ ପଡ଼ିଯାଇଛି।

ରାଜ୍ୟ ବାହାରେ ସାଢ଼େ ଚାରି ଲକ୍ଷରୁ ଅଧିକ ଓଡ଼ିଆ ଏବେ ବି ରହିଛନ୍ତି। ସେମାନଙ୍କ କରୋନା ନମୁନା ପରୀକ୍ଷା ସଂପୃକ୍ତ ରାଜ୍ୟମାନଙ୍କରେ କରାଯିବ। ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିବ ସେମାନେ ଓଡ଼ିଶା ଆସିବେ ଏବଂ ଯେଉଁମାନଙ୍କର ପଜିଟିଭ୍‌ ଆସିବ ସେମାନେ କ’ଣ କରିବେ ଏବଂ କେର୍ଉଠି ରହିବେ ତାହା ଏବେ ଚିନ୍ତାର ବିଷୟ ପାଲଟିଛି।

Comment