ଓଡ଼ିଶାଲାଇଭ୍‌ ବ୍ୟୁରୋ

ରଥ ନିର୍ମାଣ କାମ ଆରମ୍ଭ କରିବାକୁ ଅନୁମତି ଦେଲା କେନ୍ଦ୍ର।

ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣକୁ ସବୁଜ ସଙ୍କେତ ଦେଇଛନ୍ତି କେନ୍ଦ୍ର ସରକାର। ରଥ ଖଳାରେ ରଥ ନିର୍ମାଣ ହେବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ତେବେ ରଥଯାତ୍ରା ହେବ କି ନାହିଁ ସେ ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।

ଲକ୍‌ଡାଉନ୍‌ ବେଳେ ରଥ ନିର୍ମାଣ ହେବ କି ନାହିଁ ସେ ସମ୍ପର୍କରେ ରାଜ୍ୟ ସରକାର ଗତକାଲି କେନ୍ଦ୍ର ସରକାରଙ୍କ ଅନୁମତି ମାଗିଥିଲେ। ହେଲେ କେନ୍ଦ୍ର ସରକାର ରଥ ନିର୍ମାଣକୁ ଅନୁମତି ଦେଇଥିବା ବେଳେ ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ି ଦେଇଛନ୍ତି। ଏବେ ରଥଯାତ୍ରା ସମ୍ପର୍କରେ ରାଜ୍ୟ ସରକାର କ’ଣ ନିଷ୍ପତ୍ତି ନେବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ହେବା ପରେ ରଥ ନିର୍ମାଣ କାମ ଆରମ୍ଭ ହୋଇଥାଏ। ହେଲେ ଲକ୍‌ଡାଉନ୍‌ ନିୟମ ପାଇଁ ଏଥର ରଥଖଳାରେ ରଥକାଠ ଅନୁକୂଳ ହୋଇ ନଥିଲା। ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ରଥକାଠ ଶ୍ରୀମନ୍ଦିର ଭିତରେ ଅନୁକୂଳ ହୋଇଥିଲା।

ଗତକାଲି ଶ୍ରୀମନ୍ଦିରରେ ନୃସିଂହ ଚତୁର୍ଦ୍ଦଶୀ ଅନୁଷ୍ଠିତ ହୋଇଥିଲା। ରଥ ନିର୍ମାଣ ଆରମ୍ଭ କରିବାର ଶୁଭ ମୁହୂର୍ତ୍ତ। ହେଲେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିବାରୁ ରଥ ନିର୍ମାଣ କାମ ଆରମ୍ଭ ହୋଇପାରି ନଥିଲା। ଫଳରେ ଏଥର ରଥଯାତ୍ରାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା।

ଆଜି ସନ୍ଧ୍ୟାରେ କେନ୍ଦ୍ର ସରକାର ରଥ ନିର୍ମାଣ ପାଇଁ ଅନୁମତି ଦେଇଥିବାରୁ ରଥଯାତ୍ରା ସମ୍ଭାବନା ଦେଖାଦେଇଛି। ହେଲେ ରାଜ୍ୟ ସରକାର ଅଡୁଆରେ ପଡ଼ି ଯାଇଛନ୍ତି। ସାମାଜିକ ଦୂରତା ରକ୍ଷା କରି କେମିତି ରଥଯାତ୍ରା ଆୟୋଜନ କରିବେ ତାକୁନେଇ ରାଜ୍ୟ ସରକାର ଅଡୁଆରେ ପଡ଼ିଯାଇଥିବା କୁହାଯାଉଛି।

ରଥ ନିର୍ମାଣ ନେଇ ରାଜ୍ୟ ସରକାର କୌଣସି ରିସ୍କ ନେବାକୁ ଚାହିଁଲେନି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ବଲ୍‌ ଫିଙ୍ଗି ଦେଇଥିଲେ। ଏବେ କେନ୍ଦ୍ର ସରକାର ମଧ୍ୟ ସମାନ ଫର୍ମୁଲା ଆପଣାଇଛନ୍ତି। ରଥଯାତ୍ରା ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନିଅନ୍ତୁ କହି ରାଜ୍ୟ ସରକାରଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି।

ରଥ ନିର୍ମାଣ କାମକୁ ଇତିମଧ୍ୟରେ ୧୨ ଦିନ ବିଳମ୍ବ ହୋଇଗଲାଣି। ଯଦି ଆସନ୍ତାକାଲିଠୁ ରଥ ନିର୍ମାଣ କାମ ଚାଲେ ତାହାଲେ ନିର୍ଦ୍ଧାରିତ ତିଥି ଅନୁସାରେ ଯାହା ଯାହା ହେବା କଥା ତାହା କେମିତି ହେବ ସେନେଇ ମଧ୍ୟ ଚାଲେଞ୍ଜ ରହିଛି।

ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ନିୟମରେ ନିର୍ମାଣ କାମକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଅନୁମତି ଦେଇଥିଲେ। ଏହି ନିୟମ ଅନୁସାରେ ରଥ ନିର୍ମାଣକୁ ରାଜ୍ୟ ସରକାର ଅନୁମତି ଦିଅନ୍ତୁ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ଚିଠି ଲେଖିଥିଲା। ହେଲେ ରାଜ୍ୟ ସରକାର କରୋନା ସଙ୍କଟ ବେଳେ ରଥ ନିର୍ମାଣ ପ୍ରସଙ୍ଗରେ କୌଣସି ରିସ୍କ ନେବାକୁ ଚାହିଁଲେନି। ଏବେ ରଥଯାତ୍ରା ସମ୍ପର୍କରେ କି ନିଷ୍ପତ୍ତି ନେବେ ତାହା ଦେଖିବାକୁ ବାକି ରହିଲା।

Comment