ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଚିର ସ୍ମରଣୀୟ ପଣ୍ଡିତ ଭୁବନେଶ୍ୱର ମିଶ୍ର। ୧୯୯୩, ମେ’ ୭ରେରେ ତାଙ୍କ ଭଳି ଜଣେ ମହାନ ସଙ୍ଗୀତଜ୍ଞଙ୍କୁ ହରାଇଥିଲା ସଙ୍ଗୀତ ଜଗତ।

ପଣ୍ଡିତ ଭୁବନେଶ୍ୱର ମିଶ୍ର ଓଡ଼ିଶାର ଜଣେ ମହାନ ସଙ୍ଗୀତକାର ଥିଲେ। ବିଶେଷ କରି ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ।

ଏକାଧାରରେ ସେ ଜଣେ ଜଣେ ଓଡ଼ିଶୀ ସଙ୍ଗୀତଜ୍ଞ, ସଙ୍ଗୀତ ନିର୍ଦ୍ଦେଶକ ଏବଂ ବେହେଲା ବାଦକ ଥିଲେ। ପିଲାବେଳରୁ ସେ ଶାସ୍ତ୍ରୀୟ ସଙ୍ଗୀତରେ ତାଲିମ ଲାଭ କରିଥିଲେ। ଦ୍ୱାରମ ଭେଙ୍କଟସ୍ୱାମୀ ନାଇଡୁ ଓ ଦ୍ୱାରମ ନରସିଂହ ରାଓ ନାଇଡୁଙ୍କଠାରୁ ସେ ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ଶୈଳୀରେ ବେହେଲା ବାଦନ ଶିକ୍ଷା କରିଥିଲେ।

ଓଡ଼ିଶୀ ନୃତ୍ୟ ପାଇଁ ସେ ଗବେଷଣା କରି ଓଡ଼ିଶୀ ସଙ୍ଗୀତର ପାରମ୍ପରିକ ଶୈଳୀରେ ଅନେକ ପଲ୍ଲବୀ ରଚନା କରିଥିଲେ। ଗୁରୁ କେଳୁଚରଣ ମହାପାତ୍ରଙ୍କ ସହିତ ମିଶି ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପାଇଁ ବିଶ୍ୱବ୍ୟାପି ଆଦୃତି ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।

ସେହିପରି ହରିପ୍ରସାଦ ଚୌରାଶିଆଙ୍କ ସହ ମିଶି ଭୁବନ-ହରି ନାମରେ ବହୁ ଓଡ଼ିଆ ଏବଂ ହିନ୍ଦୀ ଫିଲ୍ମରେ ବି ଭୁବନେଶ୍ୱର ମିଶ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏକକ ଭାବେ ସେ ସଙ୍ଗୀତରେ ନିର୍ଦ୍ଦେଶନା ଦେବା ସହିତ ଅନ୍ୟମାନଙ୍କ ସହ ମିଶି ମଧ୍ୟ ସେ କାମ କରିଥିଲେ।

ପଣ୍ଡିତ ଭୁବନେଶ୍ୱର ମିଶ୍ର ୧୯୭୯ରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୮୬ରେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ।

ସଙ୍ଗୀତ ପ୍ରତି ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ଅବଦାନକୁ ସମ୍ମାନ ଜଣାଇ ସାଂସ୍କୃତିକ ଅନୁଷ୍ଠାନ ଶ୍ରୁତି ପକ୍ଷରୁ ପ୍ରତିବର୍ଷ ‘ପଣ୍ଡିତ ଭୁବନେଶ୍ୱର ମିଶ୍ର ମେମୋରିଆଲ’ ସମ୍ମାନ ପ୍ରଦାନ କରାଯାଉଛି। ପଣ୍ଡିତ ମିଶ୍ର ୧୯୨୭, ଜୁଲାଇ ୧୫ ତାରିଖରେ ପାରଳାଖେମୁଣ୍ଡିରେ ଜନ୍ମ ହୋଇଥିଲେ।

ପଣ୍ଡିତ ମିଶ୍ର ତାଙ୍କ ଜୀବନରେ ଦୁଇଟି କଥାକୁ  ଶତ୍ରୁ ବୋଲି ମାନୁଥିଲେ। ଗୋଟିଏ ହେଲା ‘ବେସୁରା’ ଅନ୍ୟଟି ‘ବେତାଳ’। ଅର୍ଥାତ୍‌ ସଙ୍ଗୀତ ଥିଲା ପଣ୍ଡିତ ମିଶ୍ରଙ୍କ ଜୀବନ। ସଙ୍ଗୀତ ବେସୁରା ହେଲେ ଓ ବାଦ୍ୟରେ ତାଳ ଭୁଲ ହେଲେ ସେ ଆଦୌ ଗ୍ରହଣ କରିପାରୁନଥିଲେ।

Comment