ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଗୋଟିଏ ଦିନରେ କେବଳ ଗଞ୍ଜାମରୁ ୪୩ ଆକ୍ରାନ୍ତ ଚିହ୍ନଟ।

ଓଡ଼ିଶାର ଗଞ୍ଜାମ ଜିଲ୍ଲା ଏବେ ‘ସୁପର ହଟ୍‌ସ୍ପଟ୍‌’ ପାଲଟି ଯାଇଛି। ଏହି ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ଗଞ୍ଜାମ ଜିଲ୍ଲାରେ କେମିତି କରୋନା ନିୟନ୍ତ୍ରଣ କରାଯିବ ସେନେଇ ସରକାର ୩ ଆଇଏଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି।

ଗଞ୍ଜାମ ଜିଲ୍ଲାରୁ ଯେଉଁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେମାନେ ସମସ୍ତେ ସୁରତ ଫେରନ୍ତା। ଗତ କିଛିଦିନ ହେଲା ସୁରତରୁ ଶହ ଶହ ଲୋକ ଗଞ୍ଜାମ ଆସିଥିବାରୁ ସେମାନଙ୍କ ନମୁନା ପରୀକ୍ଷା ହେବା ପରେ ପଜିଟିଭ୍‌ କେସ୍‌ ବାହାରୁଛି।

ସବୁଠୁ ବଡ଼ କଥା ହେଉଛି ଏବେସୁଦ୍ଧା ଗଞ୍ଜାମର ଶହ ଶହ ଲୋକ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି। ସେମାନେ କିଛିଦିନ ଭିତରେ ଆସି ପହଞ୍ଚିବେ। ଯଦି ଏମିତି ହୁଏ ତାହାଲେ ସ୍ଥିତି ଅଧିକ ବିଗିଡ଼ି ଯିବାର ସମ୍ଭାବନା ରହିଛି।

କାହିଁକି ସୁପର ହଟ୍‌ସ୍ପଟ୍‌?

ଖୋର୍ଦ୍ଧା ଜିଲ୍ଲା ଆଗରୁ ହଟ୍‌ସ୍ପଟ୍‌ ତାଲିକାରେ ରହିଥିଲା। ଏହି ଜିଲ୍ଲାରେ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଖୋର୍ଦ୍ଧାକୁ ହଟ୍‌ସ୍ପଟ୍‌ ଜୋନ୍‌ରେ ରହିଥିଲା। ଏହାପରେ ଯାଜପୁର, ବାଲେଶ୍ୱର ଏବଂ ଭଦ୍ରକ ରହିଥିଲା ହଟ୍‌ସ୍ପଟ ଜୋନ୍‌ରେ। ଯାଜପୁରରେ ୫୫, ବାଲେଶ୍ୱର ୨୭ ଏବଂ ଭଦ୍ରକରେ ୨୪ ଆକ୍ରାନ୍ତ ବର୍ତ୍ତମାନସୁଦ୍ଧା ଚିହ୍ନଟ ହୋଇଛନ୍ତି।

ହେଲେ ଏସବୁ ସଂଖ୍ୟାକୁ ଟପି ଯାଇଛି ଗଞ୍ଜାମ ଜିଲ୍ଲା। ଆଜି କେବଳ ଗୋଟିଏ ଦିନରେ ଏହି ଜିଲ୍ଲାରୁ ୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୨ ଜଣ ସୁରତ ଫେରନ୍ତା ହୋଇଥିବା ବେଳେ ଜଣେ କେରଳ ଫେରନ୍ତା ବୋଲି କୁହାଯାଉଛି। ଫଳରେ ଗଞ୍ଜାମ ଜିଲ୍ଲାର ମୋଟ ଆକ୍ରାନ୍ତ ସଂଖ୍ୟା ୭୧ରେ ପହଞ୍ଚି ଯାଇଛି। ଅନ୍ୟ ୪ଟି ହଟ୍‌ସ୍ପଟ୍‌ ଜିଲ୍ଲାର ଆକ୍ରାନ୍ତ ସଂଖ୍ୟା ୬୦ ଡେଇଁ ନଥିବା ବେଳେ ଗଞ୍ଜାମରେ ୭୦ ଟପିଯାଇଛି।

୭ ଦିନରେ ୭୦

ମାର୍ଚ୍ଚ ୧୫ରେ ପ୍ରଥମ କରୋନା ରୋଗୀ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ। ଇଟାଲି ଫେରନ୍ତା ଯୁବକଙ୍କଠାରୁ ଏହି ଭୂତାଣୁ ଚିହ୍ନଟ ହୋଇଥିଲା। ଏହାପରେ ଭିବନେଶ୍ୱରରେ ହୁ ହୁ ହୋଇ ବଢ଼ି ଚାଲିଲା କରୋନା ରୋଗୀଙ୍କ ସଂଖ୍ୟା।

ଭୁବନେଶ୍ୱର ପରେ ଭଦ୍ରକ, ଯାଜପୁର, ବାଲେଶ୍ୱର, କଟକରୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପଶ୍ଚିମ ଓଡ଼ିଶାର କଳାହାଣ୍ଡି ଏବଂ ସୁନ୍ଦରଗଡ଼ରୁ ବି ଆକ୍ରାନ୍ତ ଚିହ୍ନଟ ହେଲେ। ହେଲେ ଜନବହୁଳ ଜିଲ୍ଲା ଗଞ୍ଜାମ ସୁରକ୍ଷିତ ରହିଥିଲା। ଯେବେଠୁ ସୁରତରୁ ଶହ ଶହ ଓଡ଼ିଆ ଗାଁକୁ ଆସିଲେ ସେବେଠୁ କରୋନା ଭୟ ସାରା ଜିଲ୍ଲାବାସୀଙ୍କୁ ଭୟଭୀତ କରିଥିଲା।

ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ ହେବା ପୂର୍ବରୁ ସୁରତରୁ ୪ଟି ବସ୍‌ ଗଞ୍ଜାମ ଆସିଥିଲା। ୨୦୦ରୁ ଅଧିକ ଲୋକ ଏହି ବସ୍‌ରେ ଆସିଥିଲେ। ସୁରତ ଜିଲ୍ଲା ପ୍ରଶାସନର ଅନୁମତିରେ ଏପ୍ରିଲ ୨୭ରେ ବାହାରିଥିବା ବସ୍‌ ୩୦ରେ ଗଞ୍ଜାମ ଜିଲ୍ଲାରେ ପହଞ୍ଚିଥିଲା।

ଏହାପରେ ଗୋଟିଏ ଗୋଟିଏ ବସ୍‌ ଗଞ୍ଜାମର ବିଭିନ୍ନ ଅଞ୍ଚଳକୁ ଆସିଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା।

ମେ’ ୨ରେ କରୋନା ଭାଇରସ୍‌ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲ୍ଲା ଛୁଇଁଥିଲା। ସୁରତ ଫେରନ୍ତା ୨ ଜଣଙ୍କଠାରୁ ଭାଇରସ୍‌ ଚିହ୍ନଟ ହୋଇଥିଲା। ଏହାପରେ ୪ରେ ଜଣେ ଏବଂ ୫ ତାରିଖରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ଏହାପରେ ସ୍ଥିତି ଗମ୍ଭୀର ହୋଇଯାଇଥିଲା। ଗୋଟିଏ ଦିନରେ ୨୦ରୁ ଅଧିକ ଆକ୍ରାନ୍ତ ବାହାରିବାରୁ ସଂଖ୍ୟା ୭୧ ଛୁଇଁଛି।

Comment