ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

 

  • ସରକାରଙ୍କୁ ନିରଞ୍ଜନଙ୍କ ତୀର
  • ସରକାର ଆମ କଥା ଶୁଣୁ ନାହାନ୍ତି
  • କାହା ସହିତ ଆଲୋଚନା କରୁ ନାହାନ୍ତି
  • ଟ୍ରେନ୍‌ ଭଡ଼ା ଦେବାକୁ କଂଗ୍ରେସ ପ୍ରସ୍ତୁତ ଥିଲା
  • ପରିବହନ ମନ୍ତ୍ରୀ କହିଲେ – କଂଗ୍ରେସ ରାଜନୀତି ନକରୁ

ପ୍ରବାସୀ ଓଡ଼ିଆଙ୍କୁ ନେଇ ରାଜନୀତି ତେଜିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସିଧାସଳଖ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ରାଜ୍ୟ ବାହାରେ ଫସିଥିବା ଓଡ଼ିଆଙ୍କୁ ଯଦି ସରକାର ଦୁଇ ମାସ ଆଗରୁ ଫେରାଇ ଆଣିଥାନ୍ତେ ତାହାଲେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା ବୋଲି ନିରଞ୍ଜନ କହିଛନ୍ତି।

‘‘ରାଜ୍ୟ ବାହାରେ ଯେଉଁ ଓଡ଼ିଆ ଭାଇ ଭଉଣୀମାନେ ଥିଲେ ସେମାନଙ୍କୁ ଫେରାଇ ଆଣିବା ପାଇଁ ଆମେ ସରକାରଙ୍କୁ ପ୍ରସ୍ତାବ ଦେଇଥିଲୁ। ସେମାନଙ୍କ ଟ୍ରେନ୍‌ ଭଡ଼ା ଦେବାକୁ କଂଗ୍ରେସ ପ୍ରସ୍ତୁତ ଥିଲା। ଏନେଇ ଆମେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲୁ। ହେଲେ ସରକାର ଆମ କଥା ଶୁଣିଲେ ନାହିଁ। ଯଦି ସେମାନେ ଦୁଇ ମାସ ଆଗରୁ ଓଡ଼ିଶାକୁ ଫେରିଥାନ୍ତେ ତାହାଲେ ଅସୁବିଧା ହୋଇ ନଥାନ୍ତା’’, କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

ନିରଞ୍ଜନ ଆହୁରି କହିଛନ୍ତି, ‘‘ସରକାର କାହା ସହିତ ଆଲୋଚନା କରୁ ନାହାନ୍ତି। କେବଳ କିଛି ଆଇଏଏସ୍‌ ଅଫିସରମାନଙ୍କୁ ନେଇ କାମ କରୁଛନ୍ତି। ନିଜ ଦଳର ନେତୃମଣ୍ଡଳୀଙ୍କ ସହ ବି ଆଲୋଚନା କରୁ ନାହାନ୍ତି। ଅନ୍ୟ ରାଜ୍ୟରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯାଉଛି। କିନ୍ତୁ ଓଡ଼ିଶାରେ ଓଲଟା।’’

‘‘କଂଗ୍ରେସ ସବୁବେଳେ ଓଡ଼ିଶାବାସୀଙ୍କ ସହିତ ରହିଛି। ବିପଦ ବେଳେ ଲୋକଙ୍କୁ ସାହାଯ୍ୟ କରିବାକୁ ଆମ ଦଳ ସବୁବେଳେ ପ୍ରସ୍ତୁତ ରହିଛି। ହେଲେ ରାଜ୍ୟ ସରକାର ଆମଠାରୁ ସହଯୋଗ ନେବାକୁ ପ୍ରସ୍ତୁତ ନାହାନ୍ତି। ଲକ୍‌ଡାଉନ୍‌ ବେଳେ ରାଜ୍ୟ ବାହାରୁ ଆମ ପାଖକୁ ବହୁ ସଂଖ୍ୟାରେ ଓଡ଼ିଆ ଲୋକ ଫୋନ୍‌ କରୁଛନ୍ତି। ହେଲେ ସରକାର ସହଯୋଗ ନକରିବାରୁ ଆମେ କିଛି କରିପାରିଲୁ ନାହିଁ’’, କହିଛନ୍ତି ନିରଞ୍ଜନ।

ରାଜ୍ୟ ବାହାରୁ ଏବେ ହଜାର ହଜାର ଓଡ଼ିଆ ନିଜ ଭିଟାମାଟିକୁ ଫେରୁଛନ୍ତି। ଫଳରେ ଓଡ଼ିଶାରେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାକୁ ନେଇ କଂଗ୍ରେସ ସରକାରଙ୍କ କୋଭିଡ୍‌ ପରିଚାଳନାକୁ ଘେରିଛି।

ପିସିସି ସଭାପତିଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟ ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ସେ କହିଛନ୍ତି, ‘‘ଓଡ଼ିଶାରେ କରୋନା ମୁକାବିଲା ଠିକ୍‌ରେ ଚାଲିଛି। ବର୍ତ୍ତମାନ ରାଜନୀତି କରିବାର ବେଳ ନୁହେଁ। ରାଜ୍ୟ ବାହାରୁ ଓଡ଼ିଆ କେମିତି ଫେରିବେ ସେ ବିଷୟରେ ସରକାର ଅବଗତ ଅଛନ୍ତି। କଂଗ୍ରେସ ଏହାକୁ ନେଇ ତୁଚ୍ଛା ରାଜନୀତି ନକରୁ।’’

Comment