ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ାରେ କରୋନା ପଜିଟିଭ୍ ସଂଖ୍ୟା ୯ ହେଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣରେ ରହିଛି। ବର୍ତ୍ତମାନ ଏହି ୯ ଜଣରୁ ୨ ଜଣ ସୁସ୍ଥ ହୋଇ ସାରିଛନ୍ତି। ତେଣୁ ଜିଲ୍ଲାର ଜନସାଧାରଣ ଆଦୌ ନଡରିବା ଉଚିତ୍ ବୋଲି ପରାମର୍ଶ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା।

ଜିଲ୍ଲାର ଜନସାଧାରଣ ବିଗତ ଦିନମାନଙ୍କରେ ସରକାରଙ୍କର କୋଭିଡ କଟକଣାକୁ ମାନି ଚଳିଥିବାରୁ ଜିଲ୍ଲା ଏପର୍ଯ୍ୟନ୍ତ କରୋନାର ସଙ୍କଟ ଟାଳି ପାରିବାରେ ସଫଳ ହୋଇଛି। ସରକାରୀ କ୍ଵାରେଣ୍ଟିନ୍ କେନ୍ଦ୍ରରରେ ରହୁଥିବା ଅନ୍ୟରାଜ୍ୟ ଫେରନ୍ତାମାନେ ଯଦି ଠିକ ଭାବେ ସରକାରୀ ନିୟମ ପାଳନ କରିବେ ତେବେ ଜିଲ୍ଲା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ନିଜ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ସମର୍ଥ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

ଜିଲ୍ଲାରେ ଏପର୍ଯ୍ୟନ୍ତ ୯ଟି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପ୍ରଥମ ପଜିଟିଭ୍ ଜଣକ ଆଳି ଥାନା ଅଞ୍ଚଳର ଦୁବାଇ ଫେରନ୍ତା। ଏହି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଆସିଛନ୍ତି।
ଜିଲ୍ଲାର ଦ୍ଵିତୀୟ କରୋନା ପଜିଟିଭ୍ ଜଣକ ରାଜନଗର ଅଞ୍ଚଳର ଜଣେ ଯୁବତୀ। ସେ କୋଲକାତାରୁ ଏକ ଆମ୍ବୁଲାନ୍ସରେ ଲୁଚି ଘରକୁ ଆସିଥିଲେ। ଯୁବତୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ରିପେର୍ଟ ନେଗେଟିଭ ଆସିଥିଲା। ବର୍ତ୍ତମାନ ଯୁବତୀ ଜଣକ ସୁସ୍ଥ ହୋଇ ଫେରିଆସିଛନ୍ତି।

ଜିଲ୍ଲାର ତୃତୀୟ କରୋନା ପଜିଟିଭ୍ ଜଣକ ମଧ୍ୟ ଆଳି ବ୍ଲକ ଅଞ୍ଚଳର। ଗତ ୭ ମାସ ତଳୁ ସେ କେନ୍ଦ୍ରାପଡ଼ା ଛାଡି କୋଲକାତା ଯାଇଥିଲେ। କୋଲକାତାରେ ସେ ଅସୁସ୍ଥ ହେବାପରେ ତାଙ୍କ ପରିବାର ସହ କେନ୍ଦ୍ରାପଡ଼ା ନଆସି ସିଧା ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ ଯାଇଥିଲେ। ସେଠାରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଏହାପରେ ଗତ ୩ଦିନ ତଳେ ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ କଟକର କୋଭିଡ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି। ଏମାନେ ସମସ୍ତେ ସୁରତ ଫେରନ୍ତା। ଗତ ୩ ତାରିଖରେ ଏହି ଆକ୍ରାନ୍ତ ସୁରତରୁ ଫେରି କ୍ଵାରେଣ୍ଟିନ୍ରେ ରହିଥିଲେ।

ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଜିଲ୍ଲାରୁ ଏପର୍ଯ୍ୟନ୍ତ ୨,୩୪୯ ଜଣଙ୍କର ସ୍ଵାବ ପରୀକ୍ଷା ପାଇଁ ପଠା ଯାଇଛି। ସେଥିରୁ ୧,୬୭୪ଟି ରିପୋର୍ଟ ହସ୍ତଗତ ହୋଇଛି। ଯେଉଁଥିରେ କେବଳ ୭ ଜଣ ପଜିଟିଭ୍ ଆସିଛନ୍ତି।

















