ଓଡ଼ିଶାଲାଇଭ୍ ବ୍ୟୁରୋ

“‘ସ୍କିଲ୍ଡ ଇନ୍ ଓଡ଼ିଶାବ୍ରାଣ୍ଡ ସାରା ବିଶ୍ଵକୁ ଆଲୋକିତ କରିବା ଲାଗି ପ୍ରସ୍ତୁତ ହୋଇଛି। କ୍ଲାଉଡ୍ କମ୍ପ୍ୟୁଟିଂ, କୃତ୍ରିମ ବୈଷୟିକ ବିଦ୍ୟା, ଡାଟା ସାଇନ୍ସ ଅନ୍ୟାନ୍ୟ ଭବିଷ୍ୟତବାଦୀ ଜ୍ଞାନ ନିମନ୍ତେ ଯୁବପିଢ଼ିଙ୍କୁ ତାଲିମ ଦେଇନୂଆ ଓଡ଼ିଶାଗଠନ କରିବା ଲକ୍ଷ୍ୟରେ ଚଳିତ ବର୍ଷ ବଜେଟରେ ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି,” ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତଓଡ଼ିଶା ସ୍କିଲ କନକ୍ଲେଭ୨୦୨୩କୁ ଗୁରୁବାର ଦିନ ଉଦଘାଟନ କରିବା ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଦକ୍ଷତା ବିକାଶକୁ ପ୍ରୋତ୍ସହନ ଦେବା ସହ ନିଯୁକ୍ତି ବଜାରରେ ଏହି ଦକ୍ଷତାକୁ ସ୍ଵୀକୃତି ଏବଂ ଉପଯୁକ୍ତ ମୂଲ୍ୟ ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରୀୟ ମନ୍ତ୍ରାଳୟ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ଶିଳ୍ପାନୁଷ୍ଠାନ, ଶିକ୍ଷାବିତ ଓ ନାଗରିକ ସମାଜ ଏକାଠି ହୋଇ ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡ଼ିଶା ଏହି ଉଦ୍ଦେଶ୍ୟରେ ମିଶନ ଶକ୍ତି ପରି ପ୍ରତିବଦ୍ଧ ଅଭିଯାନ ଆରମ୍ଭ କରି ୭୦ ଲକ୍ଷ ମହିଳାଙ୍କୁ ଉଦ୍ୟୋଗୀରେ ପରିଣତ କରିବାରେ ସହାୟତା ପ୍ରଦାନ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଉଲ୍ଲେଖନୀୟ ପରିବର୍ତ୍ତନ, ଦ୍ରୁତ ବୈଷୟିକ ପ୍ରଗତି ଏବଂ ପରିବର୍ତ୍ତିତ ବଜାର ବ୍ୟବସ୍ଥା କାରଣରୁ ମାନବ ସଂସାଧନ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ସମେତ ଏକବିଂଶ ଶତାବ୍ଦୀରେ ସଫଳତା ଅର୍ଜନ ପାଇଁ ଯୁବପିଢ଼ିଙ୍କୁ ଦକ୍ଷ କରି ଗଢ଼ିତୋଳିବା ଅପରିହାର୍ଯ୍ୟ ହୋଇପଡ଼ିଛି।

ଭାରତୀୟ ଶିଳ୍ପ ବାଣିଜ୍ୟ ମହାସଂଘ (ଫିକି)ର ସହଯୋଗରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଓଡ଼ିଶା ସ୍କିଲ କନକ୍ଲେଭ୨୦୨୩ଆୟୋଜନ କରାଯାଇଛି। ଏପ୍ରିଲ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି କନକ୍ଲେଭ ଚାଲିବ। ୩ ଦିନ ଧରି ଚାଲିବାକୁଥିବା ଏହି କନକ୍ଲେଭରେ ୭ଟି ସେସନ ରହିବ।

“ରାଜ୍ୟ ସରକାରଙ୍କ ଉଦ୍ୟମ ତଥା ଅନୁକୂଳ ପଦକ୍ଷେପ ଯୋଗୁଁ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ବିଶେଷ ଅଗ୍ରଗତି ହୋଇପାରିଛି। ତେଣୁ ଆଧୁନିକ ଓ ଭବିଷ୍ୟତ ପ୍ରଯୁକ୍ତି ଜ୍ଞାନରେ ଅଧିକ ସୁଫଳ ପାଇବା ନିମନ୍ତେ ଶିଳ୍ପାନୁଷ୍ଠାନଗୁଡ଼ିକ ସହ ସହଯୋଗ ଅବ୍ୟାହତ ରଖାଯାଇଛି,” କହିଛନ୍ତି ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ।

“ରୋବୋଟିକ୍ସ ଓ କୃତ୍ରିମ ବୁଦ୍ଧିମତ୍ତାର ବିକାଶ ଯୋଗୁଁ ବୈଷୟିକ କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ହୋଇପାରିଛି। ବର୍ତ୍ତମାନ ସମୟରେ ଦକ୍ଷତା ବିକାଶ ଏକ ଆବଶ୍ୟକତା ଭାବେ ଉଭା ହୋଇଛି। ଏହିପରି କନକ୍ଲେଭ ନୀତିନିର୍ଦ୍ଧାରକ, ଶିଳ୍ପାନୁଷ୍ଠାନ ପ୍ରତିନିଧି, ଶିକ୍ଷାବିତ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଲୋଚନା, ସମନ୍ଵିତ ଉଦ୍ୟମ ଓ ସହଯୋଗର ଏକ ମଞ୍ଚ ହୋଇପାରିବ”, କହିଛନ୍ତି ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ଡକ୍ଟର ସୁବ୍ରତ ବାଗ୍‍ଚୀ ‘ଓଡ଼ିଶା ସ୍କିଲ କନକ୍ଲେଭ’କୁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଏକ ପ୍ରମାଣ ବୋଲି ଅବିହିତ କରି ରୂପାନ୍ତରଣ ପ୍ରଯୁକ୍ତି ବିଦ୍ୟା, ସାହିତ୍ୟ, ସଂସ୍କୃତି, କ୍ରୀଡ଼ା, ସ୍ଵାସ୍ଥ୍ୟ ପରି ଦକ୍ଷତା ବିକାଶ ଯୋଗୁଁ ଓଡ଼ିଶା ବିଶ୍ଵସ୍ତରୀୟ ମାନଦଣ୍ଡରେ ପରିଣତ ହୋଇପାରିବ ବୋଲି କହିଛନ୍ତି।

ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ସ୍ଵାଗତ ଭାଷଣ ଦେଇ କହିଥିଲେ, “ଓଡ଼ିଶାର ଦକ୍ଷତା ବିକାଶ କେବଳ ଏକ ତାଲିମ ପ୍ରକ୍ରିୟା ନହୋଇ ଜୀବନଧାରା ପରିବର୍ତ୍ତନର ଲକ୍ଷ୍ୟ ଭାବରେ ସ୍ଵୀକୃତ ହୋଇଛି। ଏହି କନକ୍ଲେଭ ଦକ୍ଷତା ବିକାଶ କ୍ଷେତ୍ରରେ ସମସ୍ତ ଅଂଶୀଦାରଙ୍କୁ ଗୋଟିଏ ଛାତତଳେ ଏକାଠି କରିବାରେ ସଫଳ ହୋଇପାରିଛି।”

ନିଯୁକ୍ତି ସୁଯୋଗ ବୃଦ୍ଧି ଉପରେ ଗୁରତ୍ଵ ଦେଇ ଆରମ୍ଭ ହୋଇଥିବା ଏହି କନକ୍ଲେଭ ଓଡ଼ିଶାବାସୀଙ୍କ ପାଇଁ ନୂତନ ନିବେଶ ସମେତ ଦକ୍ଷତା ବିକାଶକୁ ଉଚ୍ଚସ୍ତରକୁ ନେଇପାରିବ ବୋଲି ଭାରତୀୟ ଶିଳ୍ପ, ବାଣିଜ୍ୟ ମହାସଂଘ (ଫିକି)ର ଅଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା ନିଜ ଅଭିଭାଷଣରେ କହିଛନ୍ତି।

‘ଓଡ଼ିଶା ସ୍କିଲ କନକ୍ଲେଭ’ର ଉଦଘଟନୀ ଅବସରରେ କେତେକ ବୁଝାମଣାପତ୍ର ସ୍ଵାକ୍ଷର ହୋଇଥିଲା। ସିଙ୍ଗାରପୁର ଆଇଟିଇ ଶିକ୍ଷାସେବା ଓ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ମିଶନ ଶକ୍ତି ଓ ବିଶ୍ଵ ଦକ୍ଷତା କେନ୍ଦ୍ର, ସିଙ୍ଗାପୁରର ଆଇଟିଇ ଶିକ୍ଷା ସେବା ଓ ବିଦ୍ୟାଳୟ ତଥା ଗଣଶିକ୍ଷା ବିଭାଗ, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ) ଓ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ, ଭାରତୀୟ ଡ୍ରୋନ ଫେଡେରେସନ ଓ ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ଏହି ଅବସରରେ ପୁଞ୍ଜି ନିବେଶ ଲାଗି କେତେକ ବିଶ୍ଵସ୍ତରୀୟ ପ୍ରତିଷ୍ଠାନ ସମ୍ମତି ପତ୍ର ଉପସ୍ଥାପନ କରିଥିଲେ।

ଦେଶରେ ଦକ୍ଷତା ବୃଦ୍ଧି ଓ ଯୁବଶକ୍ତି ନିମନ୍ତେ ଜୀବିକା ଅର୍ଜନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି ‘ଓଡ଼ିଶା ସ୍କିଲ କନକ୍ଲେଭ’। ଗତିଶୀଳ ପରିବେଶକୁ ଦୃଷ୍ଟିରେ ରଖି ରୋଡମ୍ୟାପ ପ୍ରସ୍ତୁତ କରିବା ସହ ଦେଶର ଯୁବକ ଯୁବତୀମାନଙ୍କ  ନିଯୁକ୍ତି ଅନୁକୂଳ ଦକ୍ଷତାର ଅଭିବୃଦ୍ଧି ଦିଗରେ ଏହା ସହାୟକ ହେବ ବୋଲି କୁହାଯାଇଛି।

Tags: #SkillDevelopment #SkilledInOdisha #OdishaSkillConclave2023 #OdishaGovernment #CMOdisha #NaveenPatnaik #Inauguration

LEAVE A REPLY

Please enter your comment!
Please enter your name here