ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କରୋନା ମହାମାରୀ ସମୟରେ ପିଡିଏସ୍‌ ସାମଗ୍ରୀ ଦେବାରେ ଘୋଟାଲା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତରେ। ପଞ୍ଚାୟତ ଅଧିକାରୀ ଦେବେନ୍ଦ୍ର ସ୍ଵାଇଁ ଖାଉଟିମାନଙ୍କୁ କିରୋସିନ ଲିଟର ୪୦ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ପରେ ସ୍ଥାନୀୟ ଲୋକେ ପଞ୍ଚାୟତ ଅଧିକାରୀଙ୍କୁ ଘେରିଥିଲେ।

ଶନିବାର ସକାଳୁ ତାଳଦା ପଞ୍ଚାୟତରେ ୧୫ଟି ୱାର୍ଡର ହିତାଧିକାରୀ ଏପ୍ରିଲ୍, ମେ’ ଓ ଜୁନ୍ ମାସ  ବାବଦରେ ପିଡିଏସ୍ କିରୋସିନ୍ ନେବା ପାଇଁ ଆସିଥିଲେ। ଗୋଟିଏ ମାସର ୨ଲିଟର ହିସାବରେ  ସେମାନଙ୍କୁ ୬ ଲିଟର କିରୋସିନ ଦେବା କଥା। ପଞ୍ଚାୟତ ଅଧିକାରୀ ଦେବେନ୍ଦ୍ର ସ୍ଵାଇଁ ତାଙ୍କୁ ୫ ଲିଟର କିରୋସିନ ଦେବା ସହ ଲିଟର ପିଛା ୪୦ ଟଙ୍କା ନେବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା।

ପରେ ପଞ୍ଚାୟତ ଅଧିକାରୀଙ୍କୁ ଲୋକେ ଘେରି ଯାଇଥିଲେ। ପ୍ରଥମେ ସରକାରୀ ଚାର୍ଟ ଦେଖାଅ ପରେ ତେଲ ଦେବ ବୋଲି କେତେକ ଲୋକ ଜିଦ କରିଥିଲେ। ପରେ ଉତ୍ତେଜନା ବଢ଼ିବାରୁ ପଞ୍ଚାୟତ ଅଧିକାରୀ ଜଣକ ସେଠାରୁ କୌଶଳରେ ଚମ୍ପଟ ମାରିଥିଲେ।

ଯୋଗାଣ ବିଭାଗ ସରକାରୀ ମୂଲ୍ୟ ଅନୁଯାୟୀ ଏପ୍ରିଲ ମାସରେ ତେଲ ମୂଲ୍ୟ ୨୫ଟଙ୍କା ୪୭ ପଇସା ଓ ମେ’ ମାସଠାରୁ ଜୁନ୍ ପର୍ଯ୍ୟନ୍ତ ୧୩ଟଙ୍କା ୬୦ ପଇସା କିଣାବିକା କରିବାକୁ ଧାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ହେଲେ ପଞ୍ଚାୟତ ଅଧିକାରୀ ଲୋକଙ୍କଠାରୁ ଲିଟର ପିଛା ୪୦ ଟଙ୍କା ରଖୁଥିଲେ। ସେଥିପାଇଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା।

Comment