ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ।

ସମୁଦ୍ର ଭିତରେ ମହାବତ୍ୟା ରୂପ ନେଇ ଆସୁଛି ବାତ୍ୟା ଅମ୍ପନ। ପାରାଦୀପଠାରୁ ଦକ୍ଷିଣରେ ୭୮୦ କିଲୋମିଟର ଦୂରରେ ରହିଛି। ଘଣ୍ଟାକୁ ୧୩ କିଲୋମିଟର ବେଗରେ ଆସୁଛି ବାତ୍ୟା। ଏହାର ପ୍ରଭାବରେ ଆଜି ରାତିରୁ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ଏସ୍‌ଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ଆସନ୍ତାକାଲି ବାତ୍ୟାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୨୦ ତାରିଖରେ ୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଏସ୍‌ଆର୍‌ସି କହିଛନ୍ତି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜରେ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ପବନ ବହିବାର ସମ୍ଭାବନା ରହିଛି।

ପବନ ବହିବା ବେଳେ ଘରୁ ନବାହାରିବାକୁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି। ପବନ ବହୁଥିବା ବେଳେ ସାଇକେଲ, ବାଇକ୍‌, ଚାରି ଚକରିଆ ଗାଡ଼ି ନଚଲାଇବାକୁ ଏସ୍‌ଆର୍‌ସି କହିଛନ୍ତି।

ବାତ୍ୟା ଅମ୍ପନ ଓଡ଼ିଶାର ଧାମରା, ଚାନ୍ଦବାଲି ବନ୍ଦର ଦେଇ ଅତିକ୍ରମ କରିବ। ଏଥିପାଇଁ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ।

Comment