ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ବାତ୍ୟା ଅମ୍ପନ ଓଡ଼ିଶାର ୪ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଛି। ୮୯ ବ୍ଲକର ୧୫୦୦ ପଞ୍ଚାୟତରେ ବାତ୍ୟା ପ୍ରଭାବ ପକାଇଛି। ପ୍ରାୟ ୪୪ ଲକ୍ଷ ୮୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଆଜି ଏହି ଆକଳନ କରିଛନ୍ତି ରାଜ୍ୟ ସରକାର। ଏନେଇ ଏକ ରିପୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ଦିଆଯାଇଛି।

ବାତ୍ୟା ଯିବା ପରେ ଆଜି କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ। ବାତ୍ୟା କ’ଣ କ୍ଷୟକ୍ଷତି କରିଛି ତାର ଏକ ପ୍ରାଥମିକ ରିପୋର୍ଟ କେନ୍ଦ୍ରକୁ ଦେଇଥିଲେ।

ବାତ୍ୟା ଅମ୍ପନ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ଅଧିକ କ୍ଷୟକ୍ଷତି କରିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ୧ ଲକ୍ଷ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ୩୪ ଲକ୍ଷ ବିଦ୍ୟୁତ ଉପଭୋକ୍ତା ପ୍ରଭାବିତ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ଏହି ଆଲୋଚନା ବେଳେ ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଡି ମଧ୍ୟ ଉପସ୍ଥିତ ଥିଲେ। ସେ କହିଥିଲେ ଯେ କେଉଁ ଜିଲ୍ଲାରେ ବାତ୍ୟା ଅମ୍ପନ କେତେ କ୍ଷୟକ୍ଷତି କରିଛି ତାର ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଜିଲ୍ଲାପାଳମାନେ ଆସନ୍ତାକାଲି ସୁଦ୍ଧା ପ୍ରାଥମିକ ରିପୋର୍ଟ ଦେବେ। ଏହାପରେ ଆଉ ଏକ ବିସ୍ତୃତ ରିପୋର୍ଟ ଦେବେ। ରିପୋର୍ଟ ଆସିବା ପରେ ସରକାର ତାକୁ ତଜର୍ମ କରି ସହାୟତା ପ୍ରଦାନ କରିବେ।

ବାତ୍ୟା ଅମ୍ପନ ଗତକାଲି ୪ଟି ଜିଲ୍ଲାରେ ପ୍ରକୋପ ଦେଖାଇଥିଲେ। ଏହାର ପ୍ରଭାବରେ କିଛି ସ୍ଥାନରେ କଚ୍ଚା ଘର ଭାଙ୍ଗିଥିବା ବେଳେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା। ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଥିଲା।

Comment