ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିନା ଭକ୍ତରେ ଏଥର ଆୟୋଜନ ହେବ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି। କମ୍‌ ସେବାୟତରେ ନୀତି ହେବ ସମ୍ପନ୍ନ।

କମ୍‌ ସେବାୟତଙ୍କୁ ନେଇ ଏଥର ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ। ୧୦ ନିଯୋଗ ସହିତ ଆଲୋଚନା କରିବା ପରେ ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ସ୍ନାନ ଯାତ୍ରା ସର୍ମ୍ପକରେ ନିଷ୍ପତ୍ତି ହେବା ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମଧ୍ୟ ବାଟ ଫିଟିଛି। ରଥଯାତ୍ରା ଆୟୋଜନ ନେଇ ସମ୍ଭାବନା ଦେଖାଦେଇଛି। ହେଲେ ପ୍ରଶ୍ନ ଉଠୁଛି ରଥଯାତ୍ରା କେମିତି ଆୟୋଜନ ହେବ? ସ୍ନାନପୂର୍ଣ୍ଣିମା ଭଳି କେବଳ ସେବାୟତଙ୍କୁ ନେଇ ଶ୍ରୀମନ୍ଦିର ପ୍ରଶାସନ ରଥଯାତ୍ରା ଆୟୋଜନ କରିବେ ବୋଲି ଚର୍ଚ୍ଚା ହେଉଛି।

ଆଜି ଦେବସ୍ନାନ ପୂର୍ଣ୍ଣିମା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ବସିଥିଲା। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଜିଲ୍ଲାପାଳ ୧୦ ନିଯୋଗଙ୍କ ସହ ଆଲୋଚନା କରିଥିଲେ। ପୂଜାପଣ୍ଡା ନିଯୋଗ, ପୁଷ୍ପାଳକ ନିଯୋଗ, ପ୍ରତିହାରି, ସୁଆର ବଡୁ, ପତ୍ରୀ ବଡୁ, ମେକାପ, ଖୁଣ୍ଟିଆ, ଗରାବଡ଼, ମହାଜନ, ସୁଆର, ମହାସୁଆର ନିଯୋଗକୁ ନେଇ ବୈଠକ ହୋଇଥିଲା। ଏହି ବୈଠକରେ କମ୍‌ ସେବାୟତଙ୍କୁ ନେଇ ସ୍ନାନ ପୂର୍ଣ୍ଣିମା ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ଛତିଶା ନିଯୋଗ ସହିତ ଆଲୋଚନା କରିବେ। ଆସନ୍ତା ୨୫ ତାରିଖ ସୁଦ୍ଧା ସେବାୟତଙ୍କ ତାଲିକା ଦେବାକୁ ସେବାୟତମାନଙ୍କୁ କୁହାଯାଇଛି। ତାଲିକା ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ସେବାୟତମାନଙ୍କୁ ପାସ୍‌ ଦେବ। ପାସ୍‌ ଦେଖାଇ ସେବାୟତମାନେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବେ ଏବଂ ସ୍ନାନ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ। ସବୁଠୁ ବଡ଼ କଥା ହେଉଛି ଏଥର ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ।

ରଥଯାତ୍ରା ସମ୍ପର୍କରେ ଏହି ବୈଠକରେ କୌଣସି ଆଲୋଚନା ହୋଇନାହିଁ। ଲକ୍‌ଡାଉନ୍‌ ୪.୦ ଶେଷ ହେବା ପରେ ଯେଉଁ ନୂଆ ଗାଇଡ୍‌ଲାଇନ୍‌ ଆସିବ ତାକୁ ଭିତ୍ତି କରି ରଥଯାତ୍ରା ଉପରେ ଆଲୋଚନା କରାଯିବ। ତେବେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ବିନା ଭକ୍ତରେ ଆୟୋଜନ ହେଉଥିବାରୁ ରଥଯାତ୍ରା ମଧ୍ୟ ସେହିଭଳି ଆାୟୋଜନ କରାଯିବ ବୋଲି ଆଲୋଚନା ହେଉଛି।

ଏବେ ରଥ ଖଳାରେ ରଥ ନିର୍ମାଣ କାମ ଆଗେଇ ଚାଲିଛି। କେନ୍ଦ୍ର ସରକାର ରଥ ନିର୍ମାଣ କରିବାକୁ ସବୁଜ ସଙ୍କେତ ଦେବା ପରେ କରୋନା କଟକଣା ଭିତରେ ମହାରଣା, ଭୋଇ ଓ କମାର ସେବାୟତମାନେ ରଥ ନିର୍ମାଣରେ ଲାଗି ପଡ଼ିଛନ୍ତି। ସ୍ନାନପୂର୍ଣ୍ଣିମା ଦିନ ତିନି ରଥର ଚାରି ନାହାକା ଟେକା ଯିବ। ରଥ ନିର୍ମାଣ କାମ ଚାଲିଥିଲେ ମଧ୍ୟ ଏଯାଏଁ ରଥଯାତ୍ରା ହେବ କି ନାହିଁ ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ରଥ ଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କର ବୋଲି କେନ୍ଦ୍ର ସରକାର କହିଛନ୍ତି। ରଥଯାତ୍ରା ସମ୍ପର୍କରେ ଏଯାଏଁ ରାଜ୍ୟ କୌଣସି ନିଷ୍ପତ୍ତି ନେଇ ନାହିଁ। ଦେବସ୍ନାନ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେଉଥିବାରୁ ଏଥର ରଥ ଯାତ୍ରା ହେବ ବୋଲି ସମ୍ଭାବନା ଦେଖାଦେଇଛି। ରଥଯାତ୍ରା ବିନା ଭକ୍ତରେ ହୋଇପାରେ ବୋଲି କୁହାଯାଉଛି।

ରଥଯାତ୍ରା ଦେଖିବା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ଶ୍ରୀଗୁଣ୍ଡିଚା ଯାତ୍ରା, ସୁନାବେଶରେ ୧୦ରୁ ୧୨ ଲକ୍ଷ ଭକ୍ତ ପୁରୀକୁ ଆସିଥାନ୍ତି। ବର୍ତ୍ତମାନ କରୋନା ସଙ୍କଟ ଚାଲିଥିବାରୁ ସାମାଜିକ, ସାଂସ୍କୃତିକ, ଧାର୍ମିକ ସମ୍ମିଳନୀ ଉପରେ କଟକଣା ଲାଗିଛି। ଏଭଳିସ୍ଥଳେ ଲକ୍ଷ ଲକ୍ଷ ଭକ୍ତଙ୍କୁ ନେଇ ରଥଯାତ୍ରା ଆୟୋଜନ କରିବା ସମ୍ଭବ ନୁହେଁ ବୋଲି କୁହାଯାଉଛି। କାରଣ ଲକ୍ଷ ଲକ୍ଷ ଭକ୍ତ ଆସିଲେ ସାମାଜିକ ଦୂରତା ରକ୍ଷା କରିବା ସମ୍ଭବ ହେବ ନାହିଁ। ସ୍ନାନଯାତ୍ରା ଭଳି ରଥଯାତ୍ରା ମଧ୍ୟ ସେବାୟତଙ୍କୁ ନେଇ ଆୟୋଜନ ହୋଇପାରେ ବୋଲି କୁହାଯାଉଛି।

ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରିବାକୁ ବହୁ ସେବାୟତ ଏବଂ ଜଗନ୍ନାଥ ସଂସ୍କୃତି ଗବେଷକମାନେ ଦାବି କରିଥିଲେ। ରଥଯାତ୍ରା ପାଇଁ ସେବାୟତମାନଙ୍କୁ ଚିହ୍ନଟ କରାଯାଉ ଏବଂ ସେମାନଙ୍କ କୋଭିଡ୍‌ ପରୀକ୍ଷା କରାଯାଇ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ରଖିବାର ବ୍ୟବସ୍ଥା କରିବାକୁ ପୂର୍ବରୁ ପ୍ରସ୍ତାବ ଦିଆଯାଇଥିଲା। ଯଦି ରଥଯାତ୍ରା ହୁଏ ତାହାଲେ ଏହି ଫର୍ମୁଲାକୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି।

ଆଜିକୁ ଆଉ ଠିକ୍‌ ୩୨ ଦିନ ପରେ ଅର୍ଥାତ ଜୁନ୍‌ ୨୩ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ହେବ କି ନାହିଁ ଏବଂ ଯଦି ହେବ କେମିତି ହେବ ସେନେଇ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଲକ୍‌ଡାଉନ୍‌ ୪.୦ ପରେ ରଥଯାତ୍ରା ସମ୍ପର୍କରେ ସରକାର ନିଷ୍ପତ୍ତି ନେବେ ବୋଲି କୁହାଯାଉଛି।

ଜଗନ୍ନାଥ ହେଉଛନ୍ତି ଭକ୍ତ ଓ ଭାବର ଠାକୁର। ବିଭିନ୍ନ ବର୍ଗର ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବର୍ଷକେ ଥରେ ମହାପ୍ରଭୁ ରତ୍ନବେଦୀ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି। ମହାପ୍ରଭୁଙ୍କ ଏହି ଲୀଳାଖେଳା ଦେଖିବା ପାଇଁ ବିଶ୍ୱର କୋଣ ଅନୁକୋଶରୁ ଭକ୍ତମାନେ ପୁରୀକୁ ଦାଇଁ ଆସନ୍ତି। ରଥ ଉପରେ ତିନି ଠାକୁରଙ୍କୁ ଦେଖି ଭକ୍ତି ଓ ଭାବରେ ହଜି ଯାଆନ୍ତି। କରୋନା ସଙ୍କଟ ପାଇଁ ରଥଯାତ୍ରା ଆୟୋଜନ କିପରି ହେଉଛି ତାହା ଅପେକ୍ଷା କରି ଦେଖିବାର କଥା।

Comment