ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ନେତୃତ୍ୱରେ ମୋଦୀ ସରକାରଙ୍କୁ ଘେରିବା ପାଇଁ ଭିଡିଓ କନଫରେନ୍ସିଂରେ ଏକାଠି ହେଲେ ୨୦ରୁ ଅଧିକ ବିରୋଧୀ ଦଳ।

କୋହଳ ହେଲା ଲକ୍‌ଡାଉନ୍‌। ତେଜିଲା ରାଜନୀତି। କରୋନା ଲକ୍‌ଡାଉନ୍‌କୁ ନେଇ ମୋଦୀ ସରକାରଙ୍କୁ ଘେରିବା ଲାଗି ବିରୋଧୀ ଦଳ ସଜବାଜ ହେଉଛନ୍ତି। ଏହାର ଚିତ୍ର ଆଜି ଦେଖିବାକୁ ମିଳିଛି। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଆଜି ପ୍ରମୁଖ ବିରୋଧୀ ଦଳର ନେତା ଏକାଠି ହୋଇ ରଣନୀତି ପ୍ରସ୍ତୁତ କରିଛନ୍ତି।

ଦିଲ୍ଲୀରେ ଥିଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଅନ୍ୟପଟେ ସୀତାରାମ ୟେଚୁରୀ, ଶରଦ ପାୱାର, ତେଜସ୍ୱୀ ଯାଦବ, ଏମ୍‌ କେ ଷ୍ଟାଲିନ୍‌, ସଞ୍ଜୟ ରାୱତଙ୍କ ଭଳି ହେଭିୱେଟ ବିରୋଧୀ ନେତା। ଲକ୍‌ଡାଉନ୍‌ରେ ଅର୍ଥନୀତି କେମିତି ବାଟକୁ ଆସିବ ସେନେଇ ସରଗରମ ଆଲୋଚନା ହୋଇଥିଲା। ଭିଡିଓ କନଫରେନ୍ସିଂରେ ମାରାଥନ ଆଲୋଚନା ଚାଲିଥିଲା।

ଆରଜେଡିର ମନୋଜ ଝା, ଆର୍‌ଏଲ୍‌ଏସ୍‌ପି ଅଧ୍ୟକ୍ଷ ଉପେନ୍ଦ୍ର କୁଶବାହ, ସିପିଆଇର ଡି ରାଜା, ଶରଦ ଯାଦବ, ତେଜସ୍ୱୀ ଯାଦବ, ନାସନାଲ କନଫରେନ୍ସର ଓମାର ଅବଦୁଲ୍ଲା, ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଞ୍ଝି, ଏନସିପି ନେତା ପ୍ରଫୁଲ୍ଲ ପଟେଲ, ରାହୁଲ ଗାନ୍ଧୀ ବି ସାମିଲ ହୋଇଥିଲେ।

‘‘କରୋନା ଲକ୍‌ଡାଉନ୍‌ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ବଡ଼ ବଡ଼ କମ୍ପାନି ବିପର୍ଯ୍ୟସ୍ତ ହେବାକୁ ବସିଛନ୍ତି। ଏଥିପାଇଁ ମୋଦୀ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। କେବଳ ୨୦ ଲକ୍ଷ ଟଙ୍କାର ପ୍ରାକେଜ ଘୋଷଣା କରିଛନ୍ତି। ଏହାପରେ ତାଙ୍କ ଅର୍ଥମନ୍ତ୍ରୀ ୫ ଦିନ ଧରି ସାମ୍ବାଦିକ ସମ୍ମିଳନୀ କରି ୨୦ ଲକ୍ଷ ଟଙ୍କାର ହିସାବ ଦେଇଛନ୍ତି। ଏହା ଭାରତୀୟ ଅର୍ଥ ବ୍ୟବସ୍ଥା ପ୍ରତି ଉପହାସ’’, କହିଛନ୍ତି ସୋନିଆ ଗାନ୍ଧୀ।

ମୋଦୀ ସରକାରଙ୍କୁ ଟାର୍ଗେଟ କରି ସୋନିଆ ଆହୁରି କହିଛନ୍ତି, ‘’୨୧ ଦିନ ଭିତରେ କରୋନା ଭାଇରସ୍‌କୁ ଖତମ୍‌ କରିବା ଲାଗି ମୋଦୀ ସରକାର ଦାବି କରିଥିଲେ। ଏଥିପାଇଁ ପ୍ରଥମେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ହେଲେ ତାହା କାମ ଦେଇନି। ସରକାରଙ୍କ ପାଖରେ ଲକ୍‌ଡାଉନ୍‌ ପାଇଁ କିଛି ବି ଯୋଜନା ନଥିଲା। କରୋନାକୁ ହରାଇବା ପାଇଁ କିଛି ନୀତି ସ୍ପଷ୍ଟ ନଥିଲା। ଯାହା ହୋଇଛି ସବୁ ତରବରିଆ ନିଷ୍ପତ୍ତି। ଏହି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ଭାରତର ଅର୍ଥନୀତି ଭୁଶୁଡ଼ି ଯିବାକୁ ବସିଛି।’’

ଲକ୍‌ଡାଉନ୍‌ ଯୋଗୁଁ ଗରିବ ପରିବାରଙ୍କ ଘରେ ଖାଇବାକୁ ନାହିଁ। ସେମାନଙ୍କୁ କେମିତି ଖାଦ୍ୟ ମିଳିବ ଏବଂ ଶ୍ରମିକମାନେ କିପରି ନିଜ ଘରକୁ ଯାଇପାରିବେ ସେଥିପାଇଁ ମୋଦୀ ସରକାର କୌଣସି ଯୋଜନା କରି ନାହାନ୍ତି।

Comment