ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଗଷ୍ଟ ଶେଷ ଯାଏଁ ଇଏମ୍‌ଆଇ ପୈଠ କରିବାକୁ ଗ୍ରାହକଙ୍କୁ କୌଣସି ବ୍ୟାଙ୍କ ବାଧ୍ୟ କରିପାରିବେ ନାହିଁ।

କରୋନା ସଙ୍କଟ ଏବଂ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଇଏମ୍‌ଆଇକୁ ଆଉ ତିନି ମାସ କୋହଳ କରିଛନ୍ତି। ଅର୍ଥାତ୍‌ ଅଗଷ୍ଟ ମାସ ଶେଷ ଯାଏଁ ଗ୍ରାହକଙ୍କୁ ଇଏମ୍‌ଆଇ ଦେବାକୁ ପଡ଼ିବ ନାହିଁ। ଇଏମ୍‌ଆଇ ପାଇଁ ବ୍ୟାଙ୍କମାନେ ଗ୍ରାହକଙ୍କ ଉପରେ ଚାପ ପକାଇବେ ନାହିଁ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଲକ୍‌ଡାଉନ୍‌ ଆରମ୍ଭରୁ ଆର୍‌ବିଆଇ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଜୁନ୍‌ ମାସ ଯାଏଁ ଇଏମ୍‌ଆଇ କୋହଳ କରାଯାଇଥିଲା। ଏବେ ଆଉ ୩ ମାସ କୋହଳ କରାଯାଇଛି। ଯେଉଁମାନେ ଚାହିଁବେ ସେମାନେ ଅଗଷ୍ଟ ଶେଷ ଯାଏଁ ନିଜ ୠଣ ଉପରେ କୌଣସି ଇଏମ୍‌ଇ ପୈଠ କରିବେ ନାହିଁ।

ସେହିପରି ରେପୋ ରେଟ୍‌କୁ ୪୦ ବେସିସ୍‌ ପଏଣ୍ଟକୁ ହ୍ରାସ କରିଛି ଆର୍‌ବିଆଇ। ଏବେ ରେପୋ ରେଟ୍‌ ୪.୪ ପ୍ରତିଶତରୁ ୪ ପ୍ରତିଶତକୁ ହ୍ରାସ ପାଇଛି। ରିଭର୍ସ ରେପୋ ରେଟ୍‌ ମଧ୍ୟ ୩.୫ ପ୍ରତିଶତକୁ ହ୍ରାସ ପାଇଛି। ଏହି ନୂଆ ନିୟମ ଯୋଗୁଁ ବ୍ୟାଙ୍କ ୠଣ ଶସ୍ତା ହେବ।

କରୋନା ମାହାମାରୀ ଯୋଗୁଁ ଘରୋଇ କ୍ଷେତ୍ରଗୁଡ଼ିକ ପ୍ରଭାବିତ ହୋଇଛନ୍ତି। ଇନଭେଷ୍ଟମେଣ୍ଟ ଡିମାଣ୍ଡ ମଧ୍ୟ ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରେପୋ ରେଟ୍‌ ହ୍ରାସ କରାଯାଇଥିବା ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି।

‘‘ଇଏମ୍‌ଆଇ ପୈଠ ଅବଧିକୁ ଜୁନ୍‌ ୧ରୁ ଅଗଷ୍ଟ ୩୧ ଯାଏଁ କୋହଳ କରିବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ଏହା ୩ ମାସ କୋହଳ କରାଯାଇଥିଲା। ଆଗକୁ ଆଉ ୩ ମାସ କୋହଳ କରାଯାଇଛି। ୬ ମାସ ଯାଏଁ ବ୍ୟାଙ୍କ ଗ୍ରାହକଙ୍କୁ ଇଏମ୍‌ଆଇ ପୈଠ କରିବାକୁ ବାଧ୍ୟ କରିପାରିବେ ନାହିଁ। ଆଗାମୀ ଦିନରେ ଯେକୌଣସି ଆର୍ଥିକ ସଙ୍କଟକୁ ମୁକାବିଲା କରିବା ପାଇଁ ଆର୍‌ବିଆଇ ପ୍ରସ୍ତୁତ ରହିଛି’’, କହିଛନ୍ତି ଶକ୍ତିକାନ୍ତ ଦାସ।

ମାର୍ଚ୍ଚ ୨୭ରେ ରେପୋ ରେଟ୍‌ ୦.୭୫ ପ୍ରତିଶତ ହ୍ରାସ ପାଇଥିଲା। ଫଳରେ ବ୍ୟାଙ୍କଗୁଡ଼ିକ ସୁଧ ହାର କମ୍‌ କରିଥିଲେ। ଏବେ ପୁଣି ରେପୋ ରେଟ୍‌ ହ୍ରାସ ହୋଇଥିବାରୁ ବ୍ୟାଙ୍କ ୠଣ କିସ୍ତି ଆହୁରି ଶସ୍ତା ହେବ।

LEAVE A REPLY

Please enter your comment!
Please enter your name here