ଓଡ଼ିଶାଲାଇଭ୍‌ ବ୍ୟୁରୋ

ବସ୍‌ ଚଳାଚଳ ପାଇଁ ସରକାର ଦେବେ କି ସବୁଜ ସଙ୍କେତ?

କରେନା ଲକ୍‌ଡାଉନ୍‌ ପାଇଁ ସାରା ଦେଶରେ ଟ୍ରେନ୍‌, ବିମାନ ଏବଂ ବସ୍‌ ଚଳାଚଳ ବନ୍ଦ କରିଥିଲେ ସରକାର। ମାର୍ଚ୍ଚ ୨୪ରୁ ଟ୍ରେନ୍‌, ବିମାନ ଏବଂ ବସ୍‌ ସେବା ବନ୍ଦ ରହିଛି। ହେଲେ ଲକ୍‌ଡାଉନ୍‌ ୪.୦ରେ ବିମାନ ଏବଂ ଟ୍ରେନ୍‌ ଚଳାଚଳକୁ ସବୁଜ ସଙ୍କେତ ମିଳିଛି। ଜୁନ୍‌ ୧ରୁ ଟ୍ରେନ୍‌ ଚାଲିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଟିକେଟ ବୁକିଂ ମଧ୍ୟ ଆରମ୍ଭ ହୋଇଛି। ସେହିପରି ଆସନ୍ତା ୨୫ରୁ ଘରୋଇ ବିବାନ ସେବା ଆରମ୍ଭ ହେବାକୁ ଯାଉଛି। ତେବେ ଏସବୁ ଭିତରେ ବସ୍‌ ସେବା କେବେଠୁ ଆରମ୍ଭ ହେବ ବୋଲି ପ୍ରଶ୍ନବାଚୀ ଉଠିଛି।

ମାର୍ଚ୍ଚ ୨୪ରୁ ଲକ୍‌ଡାଉନ୍‌ ୧.୦ ଆରମ୍ଭ ହେବା ଦିନରୁ କରୋନା ନିୟନ୍ତ୍ରଣ ପାଇଁ ସରକାର ଆନ୍ତଃରାଜ୍ୟ ଏବଂ ଆନ୍ତଃଜିଲ୍ଲା ବସ୍‌ ଚଳାଚଳ ବନ୍ଦ କରିଥିଲେ। ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଥିଲେ। କେବଳ ଜରୁରୀ କାମ ଥିଲେ ପାସ୍‌ ନେଇ ଯିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଏବେ ଲକ୍‌ଡାଉନ୍‌ ନିୟମ ଧୀରେ ଧୀରେ କୋହଳ ହେଉଛି। ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଦୋକାନ ବଜାର ଖୋଲା ରହୁଛି। ନିର୍ମାଣ କାମ ଏବଂ କୃଷି କାମ ମଧ୍ୟ ଆରମ୍ଭ ହୋଇଛି। ଲୋକେ ବିଭିନ୍ନ କାମରେ ବଜାରକୁ ଆସିଲେଣି। ଏଣୁ ବସ୍‌ ଚାଲିବା ନିହାତି ଦରକାର ବୋଲି ବିଭିନ୍ନ ମହଲରେ ଦାବି ହେଉଛି।

ଟ୍ରେନ୍‌ ଏବଂ ବିମାନ ଅପେକ୍ଷା ବସ୍‌ ଯାତ୍ରୀଙ୍କ ସଂଖ୍ୟା ଅଧିକ। ଓଡ଼ିଶାର ବିଭିନ୍ନ ସ୍ଥାନକୁ ଟ୍ରେନ୍‌ କିମ୍ବା ବିମାନର ସୁବିଧା ନାହିଁ। ଏଣୁ ଲୋକେ ଯିବା ଆସିବା ପାଇଁ ବସ୍‌ ଉପରେ ହିଁ ନିର୍ଭର କରିଥାନ୍ତି। ସେହିପରି ରାଜ୍ୟର ପ୍ରମୁଖ ସହରରେ ଲୋକେ ସିଟି ବସ୍‌ ଉପରେ ବି ନିର୍ଭର କରିଥାନ୍ତି। ଏବେ ଦୋକାନ ବଜାର ଏବଂ ବିଭିନ୍ନ ଅଫିସ୍‌ ଖୋଲୁଥିବାରୁ ଲୋକେ ଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି। ଟ୍ରେନ୍‌ ଓ ବିମାନ ଚଳାଚଳ ପାଇଁ ସରକାର ନିଷ୍ପତ୍ତି ନେଇଥିବା ବସ୍‌ ଚଳାଚଳ ପାଇଁ କାହିଁକି ନିଷ୍ପତ୍ତି ନେଉ ନାହାନ୍ତି ସେନେଇ ଯାତ୍ରୀମାନେ ପ୍ରଶ୍ନ ଉଠାଇଛନ୍ତି।

ଲକ୍‌ଡାଉନ୍‌ ୩.୦ରେ କେନ୍ଦ୍ର ସରକାର ଗ୍ରୀନ ଜୋନ୍‌ରେ ବସ୍‌ ଚଳାଚଳକୁ ଅନୁମତି ଦେଇଥିଲେ। ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍‌ ଚାଲି ପାରିବ ବୋଲି ସରକାର ନିର୍ଦ୍ଦେଶନାମୋ ଜାରି କରିଥିଲେ। ରାଜ୍ୟ ସରକାର ମଧ୍ୟ ତାଙ୍କ ଗାଇଡ୍‌ଲାଇନ୍‌ରେ ସମାନ ନିୟମ ବଳବତ୍ତର ରଖିଥିଲେ। ହେଲେ ଘରୋଇ ବସ୍‌ ମାଲିକ ସଂଘ ଏଥିରେ ରାଜି ହେଲେନି।

ଗ୍ରୀନ ଜୋନରୁ ଗ୍ରୀନ ଜୋନକୁ ବସ୍‌ ଚଲାଇବାରେ ଅସୁବିଧା ହେବ ବୋଲି ମାଲିକ ସଂଘ କହିଥିଲେ। ଏହାସହ ଅଧା ଯାତ୍ରୀଙ୍କୁ ନେଇ ବସ୍‌ ଚଲାଇଲେ ଲାଭ କିଛି ମିଳିବନି ବୋଲି ମାଲିକ ସଂଘ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ତାଛଡ଼ା କରୋନା ସଙ୍କଟ ବେଳେ ବସ୍‌ କର୍ମଚାରୀମାନେ ଗାଡ଼ି ଚଲାଇବାକୁ ରାଜି ହେଉ ନଥିବା ସଂଘ କହିଥିଲା। ସରକାର ଏଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ସଂଘ ପ୍ରସ୍ତାବ ଦେଇଥିଲା। ହେଲେ ସରକାର ଏଦିଗରେ କିଛି ପଦକ୍ଷେପ ନେଲେ ନାହିଁ।

ଲକ୍‌ଡାଉନ୍‌ ୪.୦ରେ ବସ୍‌ ଚାଲିବ ବୋଲି ଆଶା ରହିଥିଲା। ବସ୍‌ ଚଳାଚଳ ଉପରେ ସରକାର କିଛି ନୂଆ ଗାଇଡଲାଇନ୍‌ ଜାରି କରିପାରନ୍ତି ବୋଲି ମାଲିକ ସଂଘ ଆଶା ରଖିଥିଲା। ହେଲେ ସେମିତି କିଛି ହେଲାନି। ଏଣୁ ବସ୍‌ କେବେ ଚାଲିବ ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି।

ବସ୍‌ ଚଳାଚଳ ଉପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ‘‘ପରିବହନ ଅଧିକାରୀ, ମୁଖ୍ୟ ଶାସନ ସଚିବଙ୍କୁ ନେଇ ଖୁବ୍‌ଶୀଘ୍ର ବୈଠକ ବସିବ। ଏହି ବୈଠକରେ ବସ୍‌ ଚଳାଚଳ ସମ୍ପର୍କରେ ଆଲୋଚନା ହେବ। ବୈଠକରେ ଯାହା ନିଷ୍ପତ୍ତି ନିଆଯିବ ସେ ସମ୍ପର୍କରେ ବସ୍‌ ମାଲିକ ସଂଘଙ୍କୁ ଜଣାଇ ଦିଆଯିବ।’’

ବସ୍‌ ଚାଲୁ ନଥିବାରୁ ବିଭିନ୍ନ ସ୍ଥାନରୁ ଲୋକେ ଯାଇ ଆସି ପାରୁ ନାହାନ୍ତି। ଯାହାର ଜରୁରୀ କାମ ପଡୁଛି ସେ ବାଧ୍ୟ ହୋଇ କାର୍‌ ଭଡ଼ା କରି ଆସୁଛି। ହେଲେ କାର୍‌ରେ ସରକାର କଟକଣା କରିଛନ୍ତି। ଡ୍ରାଇଭରକୁ ମିଶାଇ କେବଳ ଜଣେ ଯାତ୍ରୀ ଆସି ପାରିବେ। ବହୁ ଖର୍ଚ୍ଚାନ୍ତ ହୋଇ ଲୋକେ ଦୂର ଦୂରାନ୍ତରୁ ଆସୁଛନ୍ତି। ଏହାସହ ରାସ୍ତାରେ ଚେକିଂ ହେଉଥିବାରୁ କାର୍‌ ଡ୍ରାଇଭର ଗାଡ଼ି ଚଲାଇବାକୁ ରାଜି ହେଉ ନାହାନ୍ତି। ଫଳରେ ଲୋକେ ହଇରାଣ ହେଉଛନ୍ତି। ବସ୍‌ ଚଳାଇବା ଉପରେ ସରକାର ଗୁରୁତ୍ୱ ଦେବାକୁ ଦାବି ହେଉଛି।

Comment