ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୨୧ରେ ମିନପା ଜଙ୍ଗଲରେ ଯବାନ-ମାଓବାଦୀଙ୍କ ଭିତରେ ହୋଇଥିଲା ଗୁଳିବିନିମୟ।

ମାଓବାଦୀ ସଙ୍ଗଠନ ନିଷ୍କ୍ରିୟ ହୋଇନି, ଏବେ ବି ସକ୍ରିୟ ରହିଛି। ମାଓବାଦୀ ସଙ୍ଗଠନ ସୁଦୃଢ଼ ଥିବା ଆଜି ଏକ ଭିଡିଓରୁ ଜଣାପଡ଼ିଛି। ଏହି ଭିଡିଓ ସିପିଆଇ ମାଓବାଦୀ ସଙ୍ଗଠନ, ଦଣ୍ଡକାରଣ୍ୟ ପକ୍ଷରୁ ଜାରି କରାଯାଇଛି। ମାର୍ଚ୍ଚ ୨୧ ତାରିଖରେ ସୁକ୍‌ମାର ମିନପା ଜଙ୍ଗଲରେ କେମିତି ମାଓବାଦୀ ଓ ଯବାନ ମୁହାଁମୁହିଁ ହୋଇଥିଲେ ସେହି ଦୃଶ୍ୟ ଏହି ଭିଡିଓରେ ରହିଛି।

ମାର୍ଚ୍ଚ ୨୧ର ଘଟଣା। ଛତିଶଗଡ଼ ସୁକ୍‌ମା ଜିଲ୍ଲାର ବୁର୍କାପାଲ ଥାନା ଅଞ୍ଚଳର ମିନପା ଜଙ୍ଗଲରେ ମୁହାଁମୁହିଁ ହୋଇଥିଲେ ମାଓବାଦୀ ଓ ଯବାନ। ମାଓବାଦୀମାନେ ଏହି ଜଙ୍ଗଲରେ ସଙ୍ଗଠିତ ହେଉଥିବା କବରପାଇ ପ୍ରାୟ ୬୦୦ରୁ ଅଧିକ ଯବାନ କୋମ୍ବିଂ ଅପରେସନ କରିଥିଲେ। ଏତିକି ବେଳେ ମାଓବାଦୀ ଓ ଯବାନଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା। ଗୋଟିଏପଟେ ୬୦୦ରୁ ଅଧିକ ଯବାନ ରହିଥିବା ବେଳେ ଅନ୍ୟପଟେ ୨୫୦ରୁ ଅଧିକ ମାଓବାଦୀ ଥିଲେ।

ଏହି ଗୁଳିବିନିମୟରେ ୧୯ ଜଣ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ମାଓ ନେତା ପ୍ରାଣ ହରାଇଥିବା ମାଓବାଦୀ ସଙ୍ଗଠନ ଏହି ଭିଡିଓରେ ଦାବି କରିଛି। ଏହାସହ ବିପୁଳ ପରିମାଣର ଅସ୍ତ୍ର ଶସ୍ତ୍ର ଲୁଟି ନେଇଥିବା ଭିଡିଓରେ ଦର୍ଶାଇଛନ୍ତି ମାଓବାଦୀ। ସ୍ଥାନୀୟ ଲୋକଙ୍କ ସମର୍ଥନ ମାଓବାଦୀ ସଙ୍ଗଠନ ସହ ରହିଥିବା ଦର୍ଶାଯାଇଛି।

ଏହି ୧୨ ମିନିଟର ଭିଡିଓରେ ମାଓବାଦୀମାନେ ମୃତ ଯବାନଙ୍କ ଫଟୋ ଦେଖାଇଥିବା ବେଳେ ସେମାନେ ସଙ୍ଗବଦ୍ଧ ହୋଇ ଶୋଭାଯାତ୍ରା କରୁଥିବା ବେଳର ଦୃଶ୍ୟ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଓ ଦମନ ନୀତିକୁ ବିରୋଧ କରି ମାଓବାଦୀମାନେ ବିଭିନ୍ନ ସ୍ଲୋଗାନ ମଧ୍ୟ ଦେଇଥିଲେ।

୧୯ ଜଣ ଯବାନ ସହିଦ ହେବା ଏବଂ ଅସ୍ତ୍ର ଶସ୍ତ୍ର ଲୁଟ୍‌ ହେବା ଘଟଣାରେ ମାଓବାଦୀ ସଙ୍ଗଠନ ପ୍ରଧାନମନ୍ତ୍ରୀ ଏବଂ ସୁରକ୍ଷା ପରାମର୍ଶଦାତା ବିଜୟ କୁମାର ସିଧାସଳଖ ଦାୟୀ କରିଛନ୍ତି।

ବର୍ତ୍ତମାନ କରୋନକୁ ନେଇ ସାରା ଦେଶରେ ଆତଙ୍କ ଦେଖାଦେଇଛି। ସରକାର କରୋନା ମୁକାବିଲା କରୁଥିବା ବେଳେ ମାଓବାଦୀମାନେ ଦୁଇ ମାସ ତଳର ମାଓବାଦୀ-ଯବାନ ଲଢ଼େଇର ଭିଡିଓ ଜାରି କରି ସୁରକ୍ଷା ବ୍ୟବସ୍ଥା ଉପରେ ଚାଲେଞ୍ଜ ସୃଷ୍ଟି କରିଛନ୍ତି। ଏହାସହ ମାଓବାଦୀ ସଙ୍ଗଠନ ଦୁର୍ବଳ ନୁହେଁ, ସୁଦୃଢ଼ ଥିବାର ବାର୍ତ୍ତା ଦେଇଛନ୍ତି। ଗତ କିଛି ମାସ ହେଲା ମାଓବାଦୀ କାର୍ଯ୍ୟକଳା କମିଥିବା ବେଳେ ଏହି ଭିଡିଓ ଜାରି କରି ମାଓବାଦୀମାନେ ପୁଣିଥରେ ହଲଚଲ ସୃଷ୍ଟି କରିଛନ୍ତି।

Comment