ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୪୩ ବର୍ଷ ବୟସରେ ଆଜି ପାଦ ଦେଇଛନ୍ତି ଓଡ଼ିଆ ଅଭିନେତା ପପୁ ପମ୍‌ ପମ୍‌। ଏହି ଅବସରରେ ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି।

‘ଯେଉଁଠି ସଂଘର୍ଷ, ସେଇଠି ସଫଳତା’ ଏହି କଥା ଆପଣ ଅନେକଙ୍କ ମୁହଁରୁ ଶୁଣିଥିବେ। କିନ୍ତୁ ଓଡ଼ିଆ ଅଭିନେତା ପପୁ ପମ୍‌ ପମ୍‌ଙ୍କୁ ଯଦି ଏହାର ଉଦାହରଣ କୁହାଯାଏ ତବେ ଭୁଲ ହେବ ନାହିଁ। କାରଣ ପପୁ ଓରଫ୍‌ ତତ୍ୱ ପ୍ରକାଶ ଶତପଥୀ ତାଙ୍କ ଜୀବନରେ ବହୁ ସଂଘର୍ଷ କରି ସଫଳତା ପାଇଛନ୍ତି।

ଜଣେ ଓଡ଼ିଆ କଥାଚିତ୍ର, ଟେଲିଭିଜନ ଓ ମଞ୍ଚ ହାସ୍ୟ ଅଭିନେତା ଭାବେ ଓଲିଉଡରେ ପରିଚୟ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ଯାଏଁ ଅନେକ ଫିଲ୍ମରେ ଅଭିନୟ କରି ସେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଛନ୍ତି।

ପପୁ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାରେ ମେ’ ୨୬ରେ  ଜନ୍ମ ଗ୍ରହଣ କରିଥିଲେ। ସେ ଉଦଳା କଲେଜରୁ ରସାୟନ ବିଜ୍ଞାନରେ ସ୍ନାତକ ଶିକ୍ଷା ଲାଭ କରିଛନ୍ତି।

ପପୁ ଜଣେ ତାଲିମ ପ୍ରାପ୍ତ ହିନ୍ଦୁସ୍ଥାନୀ ଗାୟକ। ସ୍ନାତକ କରିବା ପରେ ଗାୟନ ଓ ଅଭିନୟରେ ନିଜର ବୃତ୍ତି କରିବା ଲାଗି ସେ ଭୁବନେଶ୍ୱର ଚାଲି ଆସିଲେ। ପ୍ରଥମେ ସେ କାମ ପାଇବା ପାଇଁ ଅସମର୍ଥ ହେଲେ। ପ୍ରଥମେ ପପୁ ଓଡ଼ିଆ ଆଲବମ ଗୀତରେ ଗାଇଥିଲେ ଏବଂ ୬୦ଟି ଆଲବମ ଗୀତରେ ନିଜର ସ୍ୱର ଦେଇଥିଲେ ଯାହା ସଫଳତା ପାଇଲା ନାହିଁ। ସେ ୨୦୦୨ ମସିହାରେ ନିଜ ପରିବାରର ଇଛା ବିରୁଦ୍ଧରେ ବାହା ହୋଇଥିଲେ ଓ ଏହାପରଠାରୁ ତାଙ୍କ ଘରର କବାଟ ସବୁଦିନଧରି ତାଙ୍କ ପାଇଁ ବନ୍ଦ ହୋଇଗଲା। ୨୦୦୭ ମସିହାରେ ତାଙ୍କ ପୁଅ ଜନ୍ମ ହେଲାପରେ ପରିବାର ତାଙ୍କୁ ଆପଣେଇଥିଲେ। ଏହାପରେ ସେ ରେଡିଓ ଚକୋଲେଟ ୧୦୪ ଏଫଏମରେ ପପୁ ପମ ପମ ନାମରେ ଉପସ୍ଥାପକ ଭାବେ କିଛିଦିନ କାମ କରିଥିଲେ।

ଏହାପରେ ତାଙ୍କ ଭାଗ୍ୟ ଭଲ ମୋଡ଼ ନେଲା। ୨୦୦୯ ମସିହାରେ ତରଙ୍ଗ ଟିଭି ସହିତ କମେଡି ଧାରାବାହିକରେ ଅଭିନୟ କରିବା ପାଇଁ ଚୁକ୍ତି କରିଥିଲେ। ଏହାପରଠାରୁ ସେ ତରଙ୍ଗ ଟିଭି ଓ ତରଙ୍ଗ ମ୍ୟୁଜିକର ଅନେକ ଧାରାବାହିକରେ କମେଡିଆନ ଭୁମିକାରେ ଅଭିନୟ କରିଥିଲେ। ତା’ ପରେ ପପୁଙ୍କର ଫିଲ୍ମ ଦୁନିଆରେ ଏଣ୍ଟ୍ରି ହୋଇଥିଲା। ତୋ ଆଖିରେ ମୁଁ, ସଞ୍ଜୁ ଆଉ ସଞ୍ଜନା, ଦିୱାନା, ବାଳୁଙ୍ଗା ଟୋକା ଏପରି ଅନେକ ଫିଲ୍ମରେ ସେ ତାଙ୍କର ଅଭିନୟର ଯାଦୁ ଦେଖାଇଥିଲେ।

ଫିଲ୍ମ ବ୍ୟତୀତ ସେ ରାଜନୀତିରେ ମଧ୍ୟ ଭାଗ୍ୟ ପରୀକ୍ଷା କରିସାରିଛନ୍ତି। ୨୦୧୪ ବିଧାନ ସଭା ନିର୍ବାଚନରେ ସେ ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରୁ ଲଢ଼ି ପରାଜିତ ହୋଇଥିଲେ।

Comment