ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିପିଲିରେ କାର୍ଯ୍ୟକ୍ଷମ ହେଲା ପୁରୀ ଜିଲ୍ଲା କୁକୁଡ଼ା ଚିଆଁ ୟୁନିଟ୍‌। ପୁରୀ ସିଡ଼ିଭିଓଙ୍କ ନିର୍ଦ୍ଦେଶରେ ପିପିଲି ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଶୁଭ୍ରାଂଶୁ ସାହୁ ଏହାର ପୁନରୁଦ୍ଧାର କରିଥିଲେ। ଫନିରେ ଭାଙ୍ଗି ଯାଇଥିବା ଯନ୍ତ୍ରାଂଶକୁ ମରାମତି କରିବା ସହିତ ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇଛି। ଏହାସହ ଚଳିତ ବର୍ଷ ଏହି ୟୁନିଟରେ ଅଣ୍ଡା ବସାଇବା କାର୍ଯ୍ୟ ଆରମ୍ଭ କରାଯାଇଛି।

ଏହାକୁ ପ୍ରାଣୀ ଓ ପଶୁ ସମ୍ପଦ ବିଭାଗ କଟକର ସହକାରୀ ନିର୍ଦ୍ଦେଶକ ଦିଗମ୍ବର ନାୟକ ଏବଂ ଜିଲ୍ଲା ପ୍ରାଣୀ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରସନ୍ନ ପୃଷ୍ଟି ଉଦ୍‌ଘାଟିତ କରିଥିଲେ। ଏହି ୟୁନିଟ୍ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଆଦି ଜିଲ୍ଲାମାନଙ୍କୁ କୁକୁଡ଼ା ଚିଆଁର ଆବଶ୍ୟକତାକୁ ପୂରଣ କରି ପାରିବ।

ଅନ୍ୟମାନଙ୍କ ମଧ୍ୟରେ ପୁରୀ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଉମେଶ ଚନ୍ଦ୍ର ବେହେରା ପିପିଲି ବ୍ଳକ ପ୍ରାଣୀ ଚିକିତ୍ସା ଅଧିକାର ଡାକ୍ତର ସୁରେଶ ଚନ୍ଦ୍ର ବେହେରା ଓ ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଶୁଭ୍ରାଂଶୁ ସାହୁ, ଡାକ୍ତର ପିନାକୀ ସାମଲ ପ୍ରମୁଖ ଯୋଗ ଦେଇଥିଲେ।

ଏହି କୁକୁଡ଼ା ଚିଆଁ ୟୁନିଟଟି ଡାକ୍ତର ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆରମ୍ଭ ହୋଇଥିବା ବେଳେ ଏଠାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇଦ୍ରାବାଦର ସିଜିଜିକେଜ ଫାର୍ମାରୁ ଅଣ୍ଡାକୁ ଅଣାଯାଇ ଏଠାରେ ବଛାଯାଇଥାଏ।

କୁକୁଡ଼ା ଚିଆଁ ବାହାରିବା ପରେ ଏହାକୁ ୨୪ ଟଙ୍କା ହିସାବରେ ଦିନିକିଆ ଚିଆଁ ଏବଂ ୬୫ ଟଙ୍କା ହିସାବରେ ମାସିକିଆ ଚିଆଁକୁ ନେଇ ପାରିବେ। ତେବେ ଏହାକୁ ମୁଖ୍ୟତଃ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଆର୍ଥିକ ସହାୟତା କ୍ଷେତ୍ରରେ ସହାୟକ ହେବ। ଯେଉଁମାନେ କୁକୁଡ଼ା ଚିଆଁ ନେବା ପାଇଁ ଉଚ୍ଛୁକ ଥିବେ ସେମାନେ ଏଠାରୁ ନେଇ ପାରିବେ ବୋଲି ପୁରୀ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରସନ୍ନ ପୃଷ୍ଟି କହିଛନ୍ତି।

ପିପିଲି ପ୍ରାଣୀ ଚିକିତ୍ସାଳୟ ପରିସରରେ ପୁରୀ ଜିଲ୍ଲା କୁକୁଡ଼ା ଉତ୍ପାଦନ କେନ୍ଦ୍ର ରହିଛି। ଏହି କେନ୍ଦ୍ରଟି ୨୦୧୫ ମସିହାରେ ଖୋଲାଯାଇଥିଲା। ଏହି ୟୁନିଟଟି ଦୁଇ ବର୍ଷ ଧରି କାର୍ଯ୍ୟକ୍ରମ ହେବା ପରେ ଏହା ବନ୍ଦ ହୋଇଯାଇଥିଲା। ଏହା ପରେ ଗତ ବର୍ଷ ବାତ୍ୟା ଫନିରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଚଳିତ ବର୍ଷ ଏହାକୁ ପୁନରୁଦ୍ଧାର କରିବା ପାଇଁ ଆଗେଇ ଆସିଥିଲା ପିପିଲି ପ୍ରାଣୀ ଚିକିତ୍ସାଳୟ।

Comment