ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସିଟି ହସ୍ପିଟାଲ ଶିଶୁ ରୋଗ ଆଉଟଡୋର ବନ୍ଦ
  • ବିଶୋଧନ କଲା ପ୍ରଶାସନ
  • କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ
  • ସିଟି ହସ୍ପିଟାଲର ୨୦ ଜଣଙ୍କ ସ୍ୱାବ୍‌ ସଂଗ୍ରହ
  • ୧୯ ପରଠୁ ଡାକ୍ତର ଆସି ନଥିଲେ ହସ୍ପିଟାଲ

କଟକ ସିଟି ହସ୍ପିଟାଲର ଜଣେ ଶିଶୁ ରୋଗ ବିଶେଷଜ୍ଞ କରୋନା ଆକ୍ରାନ୍ତ ହେବା ପରେ ଏବେ ପ୍ରଶାସନ ଖୋଳତାଡ଼ ଆରମ୍ଭ କରିଛି। ଡାକ୍ତରଙ୍କୁ କେମିତି କରୋନା ଆକ୍ରାନ୍ତ କଲା ଏବଂ ସେ କୁଆଡ଼େ ଯାଇଥିଲେ ତାକୁନେଇ କଟକ ଜିଲ୍ଲା ପ୍ରଶାସନ ଏବଂ ମହାନଗର ନିଗମ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଖୋଳତାଡ଼ ଆରମ୍ଭ କରିଛନ୍ତି।

ଡାକ୍ତର ଜଣକ କିଛିଦିନ ଭିତରେ ଅନେକ ଶିଶୁ ରୋଗୀଙ୍କୁ ଚିକିତ୍ସା କରିଥିବା ବେଳେ ବିଭିନ୍ନ ଲୋକଙ୍କ ସହ ମିଶିଥାଇ ପାରନ୍ତି। ଏଣୁ ତାଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ଏବଂ ସେ କେଉଁମାନଙ୍କୁ ଚିକିତ୍ସା କରିଛନ୍ତି ତାହା ଜାଣିବା ପାଇଁ ପ୍ରଶାସନ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି। ଏପଟେ ଡାକ୍ତରଙ୍କୁ କରୋନା ହୋଇଥିବାରୁ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି।

corona testସିଟି ହସ୍ପିଟାଲର ଶିଶୁ ରୋଗ ବିଭାଗ ଆଉଟ୍‌ଡୋରକୁ ଅସ୍ଥାୟୀ ଭାବେ ପ୍ରଶାସନ ବନ୍ଦ କରିଛି। ଉଭୟ ଇନଡୋର ଏବଂ ଆଉଟଡୋରକୁ ବିଶୋଧନ କରାଯାଇଛି।

ସିଟି ହସ୍ପିଟାଲର ୧୬ ଜଣ କର୍ମଚାରୀଙ୍କୁ ମିଶାଇ ମୋଟ ୨୦ ଜଣଙ୍କର ସ୍ୱାବ୍‌ ସଂଗ୍ରହ କରାଯାଇଛି। ଡାକ୍ତର ଜଣକ ସିଡିଏ ସେକ୍ଟର-୬ରେ ରହୁଥିଲେ। ସେଠାରେ ୨୩ ଜଣ ପଡୋଶୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇଛି।

ଡାକ୍ତର ଯେଉଁ ଶିଶୁ ରୋଗୀଙ୍କୁ ଚିକିତ୍ସା କରିଥିଲେ ସେମାନଙ୍କୁ ଠାବ କରାଯାଉଛି। ଆବଶ୍ୟକପଡ଼ିଲେ ସେମାନଙ୍କ ସ୍ୱାବ ମଧ୍ୟ ସଂଗ୍ରହ କରାଯିବ। ଏହି ଡାକ୍ତର ଜଣକ ରାଜ୍ୟ ବାହାରକୁ ଯାଇ ନଥିବାରୁ ସେ କାହା ସଂସ୍ପର୍ଶରେ ଆସି ଆକ୍ରାନ୍ତ ହେଲେ ତାକୁନେଇ ପ୍ରଶାସନର ଚିନ୍ତା ବଢ଼ିଛି।

Comment