ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରବାସୀ ଓଡ଼ିଆଙ୍କୁ କାମ ଯୋଗାଇବେ ରାଜ୍ୟ ସରକାର। ଏଥିପାଇଁ ମୋଟ ୧୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ ଆଜି କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ।

ଲକଡାଉନ୍ କାରଣରୁ ଏବେ ହଜାର ହଜାର ପ୍ରବାସୀ ଶ୍ରମିକ ଓଡ଼ିଶା ଫେରିଛନ୍ତି। ଏହି ଶ୍ରମିକମାନଙ୍କୁ କାମ ଯୋଗାଇଦେବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ଜୁନ୍ ୨୦୨୦ ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ମୋଟ ୧୭ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କୁହାଯାଇଛି।

ମୁଖ୍ୟତଃ ଗ୍ରାମାଞ୍ଚଳରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କୁ କାମ ଯୋଗାଇବାକୁ ରାଜ୍ୟ ସରକାର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଏହି ପ୍ରବାସୀମାନଙ୍କୁ କାମ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଏଥିସହ ରାଜ୍ୟରେ ଦୁଇଟି ଇଣ୍ଡଷ୍ଟ୍ରିଆଲ୍ ପାର୍କ ପ୍ରତିଷ୍ଠା ହେବ ବୋଲି ସୂଚନା ଦିଆଯାଇଛି। ଧାମରାରେ ଟେକ୍ସଟାଇଲ ଓ ଢେଙ୍କାନାଳରେ ମେଡିକାଲ୍ ପାର୍କ ପ୍ରତିଷ୍ଠା କରାଯିବ। ଏଥିପାଇଁ ମୋଟ ୬ରୁ ୭ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ। ଯେଉଁ କାରଣରୁ ରାଜ୍ୟରେ ପ୍ରାୟ ୩୬ ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ଏଥିସହ ଆଜି କ୍ୟାବିନେଟ୍ ବୈଠକରେ ମୋଟ ୨୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ଯେଉଁଥିରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ସ୍ଥାନ ଦିଆଯାଇଛି।

Comment