ଓଡ଼ିଶାଲାଇଭ୍ ବ୍ୟୁରୋ
ଶନିବାର ସନ୍ଧ୍ୟାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବା ପାଇଁ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅପିଲ୍ କରିବା ପରେ ଏହାକୁ ନେଇ କେଁ ପଶିଛି। ବିରୋଧୀ କଂଗ୍ରେସ ଓ ବିଜେପି ନେତା ଏହି ଅପିଲ୍କୁ ସ୍ୱାଗତ କରିଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ଏହି ସଙ୍ଗୀତ ନିଜେ ଗାନ କରିବାକୁ କହି ତେରଚ୍ଛା ତୀର ମାରିଛନ୍ତି।
‘‘କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ। ହେଲେ ମୁଖ୍ୟମନ୍ତ୍ରୀ ନିଜେ ଏହି ସଙ୍ଗୀତ ଗାନ କରନ୍ତୁ। ଶନିବାର ସନ୍ଧ୍ୟାରେ ସେ ନିଜେ ସବୁ ଦଳର ନେତାଙ୍କୁ ଲୋକସେବା ଭବନ ସମ୍ମୁଖକୁ ଡାକନ୍ତୁ। ସାମାଜିକ ଦୂରତା ରକ୍ଷା କରାଯାଉ। ସମସ୍ତଙ୍କ ଆଗରେ ମୁଖ୍ୟମନ୍ତ୍ରୀ ଏହି ସଙ୍ଗୀତ ଗାନ କରନ୍ତୁ। ଆମେ ତାଙ୍କ ସ୍ୱରରେ ସ୍ୱର ମିଶାଇବୁ’’, କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।
ଏପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବି ବାଣ ମାରିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ବିଧାନସଭା ସମ୍ମୁଖକୁ ଆମମାନଙ୍କୁ ଡାକନ୍ତୁ। ସମସ୍ତଙ୍କ ସାମ୍ନାରେ ସେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରନ୍ତୁ।
ବିଜେପି ଏବଂ କଂଗ୍ରେସ ନେତାଙ୍କର ଏହି ପ୍ରତିକ୍ରିୟା ପରେ ବିଜେଡି ମତ ରଖିଛି। ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି ଯେ, କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ପରାମର୍ଶ ଦେଇଛନ୍ତି ତାହାକୁ ସମସ୍ତେ ମାନିବା ଦରକାର। ଏହାକୁ ନେଇ ଅଯଥା ରାଜନୀତି କରାନଯାଉ।


















