ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ଦୀର୍ଘ ଦିନର ନୀରବତା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମାତିଲେ ଦୁର୍ବୃତ୍ତ। ନିଛାଟିଆ ଅଞ୍ଚଳରେ ଥିବା ଗୋଟିଏ ଘରର ଝରକା ତାଡ଼ି ବନ୍ଧୁକ ଓ ଭୁଜାଲି ଦେଖାଇ ନଗଦ ୧ ଲକ୍ଷ ୬୦ ହଜାର ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଲେ ଦୁର୍ବୃତ୍ତ। ଏହି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କୋଇଲିପୁର ଗାଁରେ। ଗତକାଲି ବିଳମ୍ବିତ ରାତିରେ ଗାଁର ଫକିର ପ୍ରଧାନଙ୍କ ଘରେ ୮ ଜଣ ଦୁର୍ବୃତ୍ତ କଳାକନା ବୁଲାଇ ଦେଇଥିବା ଅଭିଯୋଗ ହୋଇଛି।

ଫକିର ଏବଂ ତାଙ୍କ ସ୍ତ୍ରୀ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଖଡ଼ଖଡ଼ ଶବ୍ଦ ଶୁଭିଥିଲା। ଏହି ଶବ୍ଦ ଶୁଣି ଫକିର ଏବଂ ତାଙ୍କ ସ୍ତ୍ରୀ ବାହାରକୁ ଆସିଥିଲେ। ଏତିକି ବେଳେ ଦୁର୍ବୃତ୍ତ ଫକିରଙ୍କ ମୁଣ୍ଡରେ ବନ୍ଧୁକ ଏବଂ ଭୁଜାଲି ଲଗାଇ ଭୟଭୀତ କରାଇ ଲକ୍କର ଓ ଆଲମିରା ଚାବି ମାଗିଥିଲେ।

ଭୟରେ ଦୁର୍ବୃତ୍ତଙ୍କ ହାତକୁ ଚାବି ବଢ଼ାଇ ଦେଇଥିଲେ ଫକିର। ଫଳରେ ଦୁର୍ବୃତ୍ତ ଆଲମିରା ଲକ୍କରରୁ ନଗଦ ୧ ଲକ୍ଷ ୬୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ। ଖାଲି ସେତିକି ନୁହେଁ,  ଫକିର ପିନ୍ଧିଥିବା ସୁନା ମୁଦି ଓ ତାଙ୍କ ସ୍ତ୍ରୀ ପିନ୍ଧିଥିବା ସୁନା ଅଳଙ୍କାର ଲୁଟି ନେଇଥିଲେ। ଏହାପରେ ତାଙ୍କ ପୁଅ ଶୋଉଥିବା ଘରେ ପଶି ତାଙ୍କୁ ନିର୍ଦ୍ଧୁମ ଛେଚି ଖଣ୍ଡିଆ ଖାବରା କରି ସୁନା ମୁଦି ଛଡାଇ ନେଇଥିଲେ। ଫକିରଙ୍କ ସମେତ ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ ଖଟରେ ବାନ୍ଧି ଦେଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ।

କୌଶଳକ୍ରମେ ଫକିର ଦାନ୍ତରେ ଦଉଡି କାଟି ବନ୍ଧନ ମୁକ୍ତ ହେବାପରେ ସ୍ତ୍ରୀ ଓ ପୁଅକୁ ବନ୍ଧନ ମୁକ୍ତ କରିଥିଲେ। ଆଜି ସକାଳୁ ଏହି ଖବର ପ୍ରଚାର ହେବାପରେ ପୋଲିସକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ରାଜନଗର ଥାନା ଅଧିକାରୀ ତପନ କୁମାର ନାୟକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଏହି ତଦନ୍ତ ପ୍ରକ୍ରିୟାରେ ଡଗ୍ ସ୍କ୍ୱାର୍ଡ ଓ ସାଇଣ୍ଟିଫିକ୍ ଟିମର ସହିୟତା ନିଆଯାଇଥିବା ରାଜନଗର ଆଇଆଇସି ତପନ ନାୟକ କହିଛନ୍ତି। ଘଟଣାର ଗୁରୁତ୍ୱ ଅନୁଭବ କରି କେନ୍ଦ୍ରାପଡା ଏସ୍‌ପି ନିତିଶେଖର ଘଟଣାସ୍ଥଳ ପରିଦର୍ଶନ କରିଥିଲେ।

Comment