ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼ରେ ପଙ୍ଗପାଳ ଆସିବା ଖବର ଜଣାପଡ଼ିବା ପରେ ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ସମ୍ବଲପୁରରେ ଚାଲିଛି ଜୋରଦାର ପ୍ରସ୍ତୁତି। ପଙ୍ଗପାଳ ଦମନ ପାଇଁ ଆଜି ସମ୍ବଲପୁରରେ କୃଷି ବିଭାଗର ଅଧିକାରୀମାନଙ୍କୁ ନେଇ ବୈଠକ ବସିଥିଲା। ପଙ୍ଗପାଳ ଦମନ ପାଇଁ ଏହି ବୈଠକରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

ପଙ୍ଗପାଳ ମୁକାବିଲା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଏହି କଣ୍ଟ୍ରୋଲ ରୁମ୍‌ ସବୁବେଳେ ଖୋଲା ରହିବ। କୃଷି ଅଧିକାରୀ ଓ କର୍ମଚାରୀମାନେ ଏଠାରେ ରହିବେ। ଏହାସହ ପଞ୍ଚାୟତ ଓ ବ୍ଲକ ସ୍ତରରେ କମିଟି ଗଠନ କରାଯାଇଛି। ସମ୍ବଲପୁର ଜିଲ୍ଲା ସୀମାନ୍ତକୁ ପଙ୍ଗପାଳ ଆସିବା ମାତ୍ରେ ପଞ୍ଚାୟତ ସ୍ତରରେ ଥିବା ଟିମ୍‌ ଜିଲ୍ଲା କଣ୍ଟ୍ରୋଲ ରୁମ୍‌କୁ ଖବର ଦେବେ। ଏହାପରେ ପଙ୍ଗପାଳ ଦମନ ଆରମ୍ଭ କରାଯିବ।

ପଙ୍ଗପାଳ ଦମନ ପାଇଁ କ୍ଲୋରପାରିଫସ୍‌, ମାଲାଥିଆନ୍‌ ନିମ୍ବ ଔଷଧ ରହିଛି। ଏସବୁକୁ ପ୍ରୟୋଗ କରାଯିବ।

‘‘ଆଜିର ବୈଠକରେ ଜଙ୍ଗଲ ବିଭାଗ, ଅଗ୍ନିଶମ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ପଙ୍ଗପାଳ ଦମନ ଲାଗି ଆଲୋଚନା ହୋଇଥିଲା। ଯେଉଁ ଅଞ୍ଚଳରେ ପଙ୍ଗପାଳ ଆସିବେ ବୋଲି ଜଣାପଡ଼ିବ ସେଠାରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ’’, କହିଛନ୍ତି କୃଷି ବିଭାଗ ଅଧିକାରୀ।

ପଙ୍ଗପାଳ ଛତିଶଗଡ଼ର ତିନୋଟି ଗାଁରେ ଗତକାଲି ପହଞ୍ଚି ଯାଇଥିଲେ। ଫଳରେ ଛତିଶଗଡ଼ରେ ଆଲର୍ଟ ଜାରି କରାଯାଇଥିଲା। ଛତିଶଗଡ଼ରେ ପଙ୍ଗପାଳ ପହଞ୍ଚି ଯାଇଥିବାରୁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା ବୈଠକ କରିଥିଲେ। ପଙ୍ଗପାଳ ଦମନ ପାଇଁ ପ୍ରସ୍ତୁତ ରହିବାକୁ କୃଷି ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Comment