ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବାବୁ ସିଂହ ଯେଉଁଦିନ ଭୁବନେଶ୍ୱର ଜିଲ୍ଲା ସଭାପତି ହେଲେ ସେହିଦିନ ଜଗନ୍ନାଥ ପ୍ରଧାନ ଇସ୍ତଫା ଦେଲେ।

କରୋନା ସଙ୍କଟ ଭିତରେ ବିଜେପି ରାଜନୀତି ଜୋର୍‌ ଧରିଛି। ଲକ୍‌ଡାଉନ୍‌ ଖୋଲୁ ନଖୋଲୁଣୁ ବିଜେପିକୁ ବଡ଼ ଝଟ୍‌କା ଲାଗିଛି। ନୂଆ ରାଜ୍ୟସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସୁଦୃଢ଼ ହେବା ପାଇଁ ଅଙ୍କ କଷୁଥିବା ବେଳେ ଜଗନ୍ନାଥ ପ୍ରଧାନ ଇସ୍ତଫା ଦେଇ ବିଜେପି ଶିବିରକୁ ହଲଚଲ କରିଦେଇଛନ୍ତି।

କରୋନା ଲକ୍‌ଡାଉନ୍‌ ପୂର୍ବରୁ ବିଜେପିର ନୂଆ ରାଜ୍ୟ ସଭାପତି ହୋଇଥିଲେ ସମୀର ମହାନ୍ତି। ସେ ଉପକୂଳ ଅଞ୍ଚଳର ନେତା ହୋଇଥିବାରୁ ଏବଂ ବିଜେପିର ସାଙ୍ଗଠନିକ କାର୍ଯ୍ୟରେ ସେ ଦୀର୍ଘ ଦିନ ହେଲା ଜଡ଼ିତ ଥିବାରୁ ସର୍ବସମ୍ମତିକ୍ରମେ ସେ ବିଜେପିର ମଙ୍ଗ ଧରିଥିଲେ। ତାଙ୍କ ନେତୃତ୍ୱରେ ବିଜେପି ଆଗକୁ ଯିବା ପାଇଁ ଅଣ୍ଟା ଭିଡୁଥିବା ବେଳେ କରୋନା ମୁକାବିଲା ପାଇଁ ସାରା ଦେଶ ଲକ୍‌ଡାଉନ୍‌ ହୋଇଗଲା। ଫଳରେ ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ହୋଇଗଲା।

ଏବେ ସାରା ଦେଶରେ ଲକ୍‌ଡାଉନ୍‌ କେନ୍ଦ୍ର ସରକାର ହଟାଇ ଦେଇଛନ୍ତି। ହେଲେ ଓଡ଼ିଶାରେ କଟକଣା କୋହଳ ହୋଇନି। ଏହି କଟକଣା ଭିତରେ ଆଜି ରାଜ୍ୟ ବିଜେପିକୁ ବଡ଼ ଝଟ୍‌କା ଲାଗିଛି। ଗତ ୨୦୧୪ ଏବଂ ୨୦୧୯ରେ ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ ପାଖକୁ ପଠାଇ ଦେଇଛନ୍ତି। ଜଗନ୍ନାଥଙ୍କ ଇସ୍ତଫା ଦଳ ପାଇଁ ଏବଂ ଭୁବନେଶ୍ୱରରେ ସଙ୍ଗଠନ ସୁଦୃଢ଼ ପାଇଁ ମହଙ୍ଗା ପଡ଼ିପାରେ ବୋଲି ଆଲୋଚନା ହେଉଛି।

କାହିଁକି ବିଜେପି ଛାଡ଼ିଲେ ଜଗନ୍ନାଥ?

ଇସ୍ତଫାପତ୍ରରେ ଜଗନ୍ନାଥ କୌଣସି ସ୍ପଷ୍ଟ କାରଣ ଉଲ୍ଲେଖ କରି ନାହାନ୍ତି। ସେ ବ୍ୟକ୍ତିଗତ କାରଣ ପାଇଁ ଦଳ ଛଡ଼ିଥିବା ଦର୍ଶାଇଛନ୍ତି। ହେଲେ ଏହାକୁ ରାଜନୀତିକ ପର୍ଯ୍ୟବେକ୍ଷକ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଗୋଟିଏ ଦିନରେ ବାବୁ ସିଂହଙ୍କୁ ଭୁବନେଶ୍ୱର ଜିଲ୍ଲା ବିଜେପିର ସଭାପତି କରାଯିବା ଏବଂ ସେହିଦିନ ଜଗନ୍ନାଥ ପ୍ରଧାନ ଇସ୍ତଫା ଦେବା ପ୍ରସଙ୍ଗକୁ ନେଇ ରାଜନୀତି ପାଣିପାଗ ସରଗରମ ରହିଛି।

କୁହାଯାଉଛି ଜଗନ୍ନାଥ ପ୍ରଧାନ ଭୁବନେଶ୍ୱର ଜିଲ୍ଲା ବିଜେପିର ସଭାପତି ହେବା ପାଇଁ ଆଶା ବାନ୍ଧିଥିଲେ। ହେଲେ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଶିବିର ଛାଡ଼ି ବିଜେପିରେ ଯୋଗ ଦେଇଥିବା ବାବୁ ସିଂହ ସଭାପତି ହୋଇଯିବାରୁ ଜଗନ୍ନାଥ ଏବଂ ତାଙ୍କ ସମର୍ଥକ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ। ବାବୁ ସିଂହଙ୍କୁ ସଭାପତି ଘୋଷଣା କରାଯିବାର ମାତ୍ର ଅଳ୍ପ କେଇଟା ସମୟ ଭିତରେ ଜଗନ୍ନାଥ ଇସ୍ତଫା ଦେଇଛନ୍ତି। ଏଣୁ ଏହି କାରଣ ପାଇଁ ଜଗନ୍ନାଥ ଦଳ ଛାଡ଼ିଥିବା ଚର୍ଚ୍ଚା ହେଉଛି।

ଜଗନ୍ନାଥ ପ୍ରଧାନ ବିଜେପିର ଆଗଧାଡ଼ିର ନେତା ଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ସେ ଆଗରେ ରହୁଥିଲେ। ଦଳର ରାଲି, ବିକ୍ଷୋଭ ହେଉ କି କେନ୍ଦ୍ର ନେତାମାନେ ଓଡ଼ିଶା ଗସ୍ତରେ ଆସିବା ହେଉ। ଏ ସବୁ କାମରେ ସମର୍ଥକଙ୍କୁ ନେଇ ଜଗନ୍ନାଥ ଆଗରେ ରହୁଥିଲେ। ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ବାବୁ ସିଂହଙ୍କ ପତିଆରାକୁ ଜଗନ୍ନାଥ ସହଜରେ ଗ୍ରହଣ କରିପାରି ନଥିବା ଏବେ କୁହାଯାଉଛି।

ବାବୁ ସିଂହଙ୍କୁ ନେଇ ବିଜେପି ଆଗକୁ ବଢ଼ିବ!

ବାବୁ ସିଂହଙ୍କୁ ନେଇ ୨୦୧୯ ନିର୍ବାଚନ ବେଳେ ବିଜେପିରେ ମହାଭାରତ ସୃଷ୍ଟି ହୋଇଥିଲା। ବିଜେଡିରୁ ସେ ଆସିଥିବାରୁ ଦଳ ତାଙ୍କୁ ଏକାମ୍ର-ଭୁବନେଶ୍ୱର ପାଇଁ ପ୍ରାର୍ଥୀ କରିଥିଲା। ଏହାକୁ ବିରୋଧ କରି ସେତେବେଳେ ହଙ୍ଗାମା ହୋଇଥିଲା। ଏକାମ୍ର-ଭୁବନେଶ୍ୱର ପାଇଁ ଆଶାୟୀ ଥିବା ଅମୀୟ ଦାସ ଏବଂ ତାଙ୍କ ସମର୍ଥକମାନେ ବାବୁଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଥିଲେ। ଏପରିକି ରାଜ୍ୟ ବିଜେପି ପାର୍ଟି ଅଫିସରେ ତାଲା ପକାଇଥିଲେ। ଧାରଣା ବି ଦେଇଥିଲେ। ଶେଷରେ ଅମୀୟଙ୍କୁ ବିଜେପିର ଶୀର୍ଷ ନେତୃତ୍ୱ ବୁଝାସୁଝା କରି ଚୁପ୍‌ କରି ଦେଇଥିଲେ।

ବାବୁ ସିଂହ ବିଜେପି ଟିକେଟରେ ଲଢ଼ିଥିଲେ। ହେଲେ ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡାଙ୍କଠାରୁ ସେ ପରାଜିତ ହୋଇଥିଲେ। ଅମୀୟ ଦାସ ବିଜେପିର ଶୀର୍ଷ ନେତୃତ୍ୱଙ୍କ ଚାପରେ ଚୁପ୍‌ ହୋଇଥିଲେ ମଧ୍ୟ ସେ ବାବୁ ସିଂହଙ୍କୁ ଗ୍ରହଣ କରିପାରୁ ନାହାନ୍ତି। ସେବେଠୁ ତାଙ୍କ ମନରେ ଅସନ୍ତୋଷ ରହିଛି। ଏବେ ଭୁବନେଶ୍ୱରର ଆଉ ଜଣେ ଟାଣୁଆ ନେତା ଜଗନ୍ନାଥ ପ୍ରଧାନ ବାବୁ ସିଂହଙ୍କୁ ସଭାପତି ଘୋଷଣା କରାଯିବା ପରେ ଦଳ ଛାଡ଼ିଛନ୍ତି। ଏଣୁ ଆଗାମୀ ଦିନରେ ଭୁବନେଶ୍ୱରରେ ବିଜେପି ପାଇଁ ବଡ଼ ଚାଲେଞ୍ଜ ହୋଇପାରେ ବୋଲି କୁହାଯାଉଛି।

ଆଗକୁ ଆସୁଛି ମହାନଗର ନିଗମ ନିର୍ବାଚନ। ଏହି ନିର୍ବାଚନରେ ବିଜେଡିକୁ ଚେକ୍‌ ଦେବା ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରୁଛି। କରୋନା ମହାମାରୀ ପରେ କେଉଁ ମୁହୂର୍ତ୍ତରେ ନିର୍ବାଚନ ବିଗୁଲ ବାଜିପାରେ। ହେଲେ ବିଜେପିରେ ଏବେ ଯେଉଁ ପାଲା ଚାଲିଛି ସେଥିରେ ଦଳ କେମିତି ନିର୍ବାଚନ ଲଢ଼ିବ ଏବଂ ବିଜେଡିକୁ କେମିତି ଚେକ୍‌ ଦେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here