ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ରାଜ୍ୟ ସରକାର ୯ ଆଇଏଏସ୍‌ ଅଫିସରଙ୍କୁ ସ୍ୱତନ୍ତ୍ର ଦାୟିତ୍ୱରୁ ଦେଲେ ଅବ୍ୟାହତି।

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ି ଚାଲିଛି। ପ୍ରତିଦିନ ସଙ୍ଗରୋଧ କେନ୍ଦ୍ର ଏବଂ ସ୍ଥାନୀୟ ଅଞ୍ଚଳରୁ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟ ସରକାର କୋଭିଡ୍‌-୧୯ ପରିଚାଳନା ଦାୟିତ୍ୱରେ ଥିବା ୯ ଜଣ ଆଇଏଏସ୍‌ ଅଫିସରଙ୍କୁ ଅବ୍ୟାହତି ଦେଇଛନ୍ତି।

ଏହି ୯ ଆଇଏଏସ୍‌ ଅଫିସର ହେଉଛନ୍ତି ସୁରେନ୍ଦ୍ର କୁମାର, ବିଶାଳ କୁମାର ଦେବ, ଡକ୍ଟର କ୍ରିଷନ କୁମାର, ଅରବିନ୍ଦ ଅଗ୍ରୱାଲ, ସଚିନ ରାମଚନ୍ଦ୍ର ଯାଦବ, ଭୁପେନ୍ଦ୍ର ସିଂ ପୁନିଆ, ରଶ୍ମିତା ପଣ୍ଡା, ଅନୁ ଗର୍ଗ ଏବଂ ଆର୍‌ ଭିନିଲ କ୍ରିଷ୍ଣା। ଏହି ଅଫିସରମାନେ ଏବେ ସେମାନଙ୍କ ମୂଳ ଦାୟିତ୍ୱ ସମ୍ଭଳିବେ।

ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଥିବା ସୁରେନ୍ଦ୍ର କୁମାରଙ୍କୁ କୋଭିଡ୍‌-୧୯ ମୁକାବିଲା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନର ନୋଡାଲ ଅଫିସର ଭାବେ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଥିଲା। ଏବେ ତାଙ୍କୁ ଏହି ସ୍ୱତନ୍ତ୍ର ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି।

ଆଇଏଏସ୍‌ ବିଶାଲ ଦେବଙ୍କୁ କୋଭିଡ୍‌ ୧୯ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଓଏସ୍‌ଡି ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ଵତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଥିଲା। ତାଙ୍କୁ ଏବେ ଏହି ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି। ସେ ଏବେ କ୍ରୀଡ଼ା, ଯୁବ ସେବା ଏବଂ ପର୍ଯ୍ୟଟନ ବିଭାଗର ମୂଳ ଦାୟିତ୍ୱ ସମ୍ଭାଳିବେ।

ଡକ୍ଟର କ୍ରିଷନ କୁମାରଙ୍କୁ ୧୦୪ କଲ ସେଣ୍ଟର ଏବଂ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ ଥିବା ପୋର୍ଟାଲ ପରିଚାଳନା ଦାୟିତ୍ୱରେ ରହିଥିଲେ। ଏବେ ତାଙ୍କୁ ଏହି ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି। ସେ ଏବେ ତାଙ୍କ ମୂଳ ଦାୟିତ୍ୱ ପୂର୍ତ୍ତ ବିଭାଗ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ପୁରୀ-କୋଣାର୍କ ଉନ୍ନୟନ ପରିଷଦ କଥା ବୁଝିବେ।

ଆଇଏଏସ୍‌ ଅଫିସର ଅରବିନ୍ଦ ଅଗ୍ରୱାଲଙ୍କୁ କୋଭିଡ ପରିଚାଳନାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ସହଯୋଗ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ତାଙ୍କ ହାତରୁ ଏହି ସ୍ୱତନ୍ତ୍ର ଦାୟିତ୍ୱ କାଢ଼ି ନିଆଯାଇ ତାଙ୍କୁ ମୂଳ ଦାୟିତ୍ଵକୁ ଫେରାଇ ଦିଆଯାଇଛି। ସେ ସମାଜ ମଙ୍ଗଳ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶକ ଥିଲେ।

ଆଇଏଏସ୍‌ ଅଫିସର ସଚିନ ରାମଚନ୍ଦ୍ର ଯାଦବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଓଏସ୍‌ଡି ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଥିଲା। ଏବେ ସେ ତାଙ୍କ ମୂଳ ଦାୟିତ୍ୱ କଥା ବୁଝିବେ। ସେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଥିଲେ।

ଭୁପେନ୍ଦ୍ର ସିଂ ପୁନିଆଙ୍କୁ କୋଭିଡ୍‌ ମାମଲାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ସହଯୋଗ କରିବା ଲାଗି ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଥିଲା। ଏବେ ତାଙ୍କୁ ଏଥିରୁ ଅବ୍ୟାହତି ଦିଆଯାଇ ମୂଳ ଦାୟିତ୍ୱକୁ ଫେରାଇ ଦିଆଯାଇଛି। ସେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଆରଏମଏସ, ଭୁବନେଶ୍ୱରର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ।।

ରଶ୍ମିତା ପଣ୍ଡାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତିର ପ୍ରମୁଖ ଶାସନ ସଚିବ, ଶ୍ରମ ଓ ଇଏସ୍‌ଆଇର ଶାସନ ସଚିବଙ୍କୁ ସହଯୋଗ କରିବା ଲାଗି ଦାୟିତ୍ୱ ଦିଆଯାଇଥିଲା। ତାଙ୍କୁ ମଧ୍ୟ ଅବ୍ୟାହତି ଦିଆଯାଇଛି। ତାଙ୍କ ମୂଳ ଦାୟିତ୍ଵକୁ ଫେରି ଆସିଛନ୍ତି। ସେ ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ ଥିଲେ।

ଶ୍ରମ ଏବଂ କର୍ମଚାରୀ ବୀମା ନିଗମ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କୁ କୋଭିଡ୍‌ ୧୯ ସମ୍ପର୍କୀତ ତାଲିମ ଏବଂ ଆଇଇସି ଦାୟିତ୍ୱ ଦିଆଯାଇଥିଲା। ଏବେ ତାଙ୍କୁ ଏହି ସ୍ୱତନ୍ତ୍ର ଦାୟିତ୍ୱରୁ ହଟାଇ ଦିଆଯାଇ ମୂଳ ଦାୟିତ୍ୱକୁ ଫେରାଇ ଦିଆଯାଇଛି।

ସେହିପରି ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଏବଂ କ୍ରୀଡ଼ା ଓ ଓଏମଇସିଏଲର ଅତିରିକ୍ତ ଦାୟିତ୍ୱରେ ଥିବା ଅଫିସର ଆର୍‌ ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତାଙ୍କ ଓଏସ୍‌ଡି ଭାବେ ଦାୟିତ୍ୱ ଦିଆଯାଇଥିଲା। ଏବେ ତାଙ୍କୁ ଏହି ଦାୟିତ୍ୱରୁ ହଟାଇ ଦିଆଯାଇ ମୂଳ ଦାୟିତ୍ୱକୁ ଫେରାଇ ଦିଆଯାଇଛି।

ଏହି ୯ ଅଫିସର କୋଭିଡ୍‌ ପରିଚାଳନା ବେଳେ ନିଜ ଦାୟିତ୍ୱ ଠିକ୍‌ ଭାବେ ତୁଲାଇ ଥିବାରୁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଟୁଇଟ୍‌ କରି ପ୍ରଶଂସା କରିଛନ୍ତି।

ମାର୍ଚ୍ଚ ୧୫ ପରେ ଜଣକ ପରେ ଜଣେ କରୋନା ଆକ୍ରାନ୍ତ ଓଡ଼ିଶାରୁ ଚିହ୍ନଟ ହେବା ପରେ ରାଜ୍ୟ ସରକାର ତତ୍ପର ହୋଇ ଉଠିଥିଲେ। କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରି ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଥିଲେ। କରୋନା ମୁକାବିଲା ପାଇଁ ପ୍ରମୁଖ ଆଇଏଏସ୍‌ ଅଫିସରମାନଙ୍କୁ ନେଇ ରାଜ୍ୟ ସରକାର ଟାସ୍କ ଫୋର୍ସ ଗଠନ କରିଥିଲେ। ଅଫିସରମାନଙ୍କୁ କୋଭିଡ୍‌ ପରିଚାଳନାର ଗୁରୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ବଢୁଥିବା ବେଳେ ସରକାର ୯ ଜଣ ଅଫିସରଙ୍କୁ କାହିଁକି କୋଭିଡ୍‌ ପରିଚାଳନା ଦାୟିତ୍ୱରୁ ଅବ୍ୟାହତି ଦେଲେ ତାକୁନେଇ ତର୍ଜମା ଚାଲିଛି।

Comment