ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମୁଦ୍ର କୂଳିଆ ଗାଁମାନଙ୍କରେ କଚା ଚାଳଛପର ଘର ରହିବା ଠିକ୍ ନୁହେଁ। ଏସବୁ ଘର ପକ୍କା ହେବା ଆବଶ୍ୟକ ବୋଲି ପେଣ୍ଠ ଗାଁର ଅମ୍ଫନ ପରର ଚିତ୍ର ଦେଖି ମତ ଦେଇଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ। ଅମ୍ପନ କ୍ଷୟକ୍ଷତିର ଆକଳନ ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ୩ ଜଣିଆ କେନ୍ଦ୍ରୀୟ ଟିମ୍‌  ଆଜି କେନ୍ଦ୍ରାପଡ଼ା ଆସିଥିଲେ। ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ଶେଷକରି ଅମ୍ପନ କ୍ଷତିଗ୍ରସ୍ତ ରାଜନଗର ବ୍ଲକ ଗସ୍ତ କରିଥିଲେ।

ଏହି କେନ୍ଦ୍ରୀୟ ଟିମର ନେତୃତ୍ୱ ନେଇଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଅମରିଶ ପାଲସିଂହ। ଏହି ଦଳର ଅନ୍ୟ ଦୁଇ ସଦସ୍ୟ ହେଲେ କେନ୍ଦ୍ର ଶକ୍ତି ମନ୍ତ୍ରାଳୟର ନିର୍ଦ୍ଦେଶକ ଏନ୍ ଆର୍ ଏଲ୍ କେ ପ୍ରସାଦ ଓ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଯୁଗ୍ମ ନିର୍ଦ୍ଦେଶକ ସୂରଜ ପ୍ରଧାନ। ଆଜି ପୂରବାହ୍ନରେ ଏହି ଦଳ କେନ୍ଦ୍ରାପଡା ଜିଲ୍ଲାରେ ପହଞ୍ଚିବା ପରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନଙ୍କ ସହିତ ଆଲୋଚନା କରିଥିଲେ।

କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଏହି ପ୍ରତିନିଧି ଦଳଙ୍କୁ ଜିଲ୍ଲାର ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲାର ୯ଟି ବ୍ଲକର ୧୫୯୨ ଟି ଗାଁର ୧୫ଲକ୍ଷ ୨୨ହଜାର ୯୦୧ ଜଣ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି ଓ ଜିଲ୍ଲାର ୨ ଲକ୍ଷ ୬୪୪ ହେକ୍ଟର ଅଞ୍ଚଳ କ୍ଷୟକ୍ଷତି ପରିସରଭୁକ୍ତ ହୋଇଥିବା ଜିଲ୍ଲାପାଳ କହିଥିଲେ।  ୪୭୮ ହେକ୍ଟର ଚାଷ ଜମିର ପ୍ରାୟ ୫, ୯୯୩୧ ଲକ୍ଷ ଟଙ୍କାର ଫସଲ କ୍ଷତି ଘଟିଛି। ୧୪୫୧ଟି ଘର କ୍ଷତି ଘଟିଛି। ୨ଟି କଚ୍ଚା ଘର ସର୍ବାଧିକ କ୍ଷତି ହୋଇଛି। ୨୦ ଟି ପକ୍କାଘର ଆଂଶିକ କ୍ଷତି ଘଟିଛି। ୧୧୧୨ଟି କଚ୍ଚା ଘର ଆଂଶିକ କ୍ଷତି ଘଟିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪୭.୭୮ ଲକ୍ଷ ଟଙ୍କା ହେବ।

ଜିଲ୍ଲାରେ ୮ ଲକ୍ଷ ୭୧ ହଜାର ୯୪୩ ପଶୁ ସମ୍ପଦ ପ୍ରଭାବିତ ହୋଇଥିବା ବେଳେ ୭୦ଟି ପଶୁଙ୍କର ମୃତ୍ୟୁ ଘଟିଛି। ୧୨ ଟି ମାଛଧରା ଡଙ୍ଗା ଭାଙ୍ଗିଛି। ୦ .୪୯୨ ଲକ୍ଷ ଠଙ୍କାର ମତ୍ସ୍ୟ ସମ୍ପଦ କ୍ଷତିଗ୍ରସ୍ତ ହୋଇଛି। ୬୬ଟି ରାସ୍ତା ଭାଙ୍ଗି ଥିବା ବେଳେ  ୧୫୨ଟି ସରକାରୀ କୋଠାଘର ଓ ୫ଟି କଲଭର୍ଟ ନଷ୍ଟ ହୋଇଛି। ଏହାର ଆନୁମାନିକ ମୂଲ୍ୟ ହେବ ୯୧୭.୯ ଲକ୍ଷ ଟଙ୍କା ହେବ।

ଏହାଛଡା ପାନୀୟଜଳ ଯୋଗାଣ ବିଭାଗର ୩୩ଟି ପାଇପ୍ ଲାଇନ୍ କ୍ଷତିଗ୍ରସ୍ତ ହୋଇଛି ଯାହାର ମୂଲ୍ୟ ୪୯.୫୦ ଲକ୍ଷ ଟଙ୍କା ହେବ। ବିଦ୍ୟୁତ ବିଭାଗର ୪୫୫ଟି ଏଲ୍ ଟି ଖୁଣ୍ଟ ଭାଙ୍ଗିଛି ଓ ୧୬୨.୬୬ କିଲୋମିଟର ଏଚ୍ ଟି କଣ୍ଡକ୍ଟର ଛିଡିଛି। ଜିଲ୍ଲାର ୫୩୪ଟି ବାତ୍ୟାଆଶ୍ରୟସ୍ଥଳକୁ ୩୯ ହଜାର ୮୬୪ ଜଣ ବାତ୍ୟା ବିପନ୍ନଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କୁ ଚୁଡା, ଗୁଡ, ବିସ୍କୁଟ ଓ ରନ୍ଧାଖାଦ୍ୟ ବାବଦକୁ ୯୨ ଲକ୍ଷ ୬୭ ହଜାର ୭୦୫ ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ବାତ୍ୟାରେ ଜିଲ୍ଲାର ୯ଟି ବ୍ଲକରେ ମୋଟ ସରକାରୀ ଓ ବେସରକାରୀ କ୍ଷତିଗ୍ରସ୍ତ ୪୬୩.୬୭୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହାର ଏକ ଲିଖିତ ରିପୋର୍ଟ ଜିଲ୍ଲା ପ୍ରଶାସନ ଏହି ପ୍ରତିନିଧି ଦଳଙ୍କୁ ପ୍ରଦାନ କରିଛି।

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ପିଡି ଡିଆରଡିଏ ଦିଲ୍ଲିପ ପରିଡା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସମ୍ବିତ ଶତପଥୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ ଓ ଜିଲ୍ଲାର ବିଭିନ୍ନ ବିଭାଗର ମୁଖ୍ୟ ମାନେ ଉପସ୍ଥିତ ରହିଥିଲେ।

ଏହାପରେ ରାଜନଗର ବ୍ଲକର ପେଣ୍ଠ ନିକଟରେ କୂଳ ଖାଉଥିବା ସମୁଦ୍ର ଅଞ୍ଚଳରେ ପହଞ୍ଚିଥିଲା ଏହି ଦଳ। ସମୁଦ୍ର କବଳରୁ କୂଳ ରକ୍ଷା ପାଇଁ କରାଯାଇଥିବା ଜିଓ ଟ୍ୟୁବ୍ ବନ୍ଧ ପରିଦର୍ଶନ କରିଥିଲେ। ଏମାନଙ୍କ ସହିତ ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା, ତଟବନ୍ଧ ବିଭାଗର ବରିଷ୍ଠ ଯନ୍ତ୍ରୀ ଯୁଗଳ ତ୍ରିପାଠୀ ଓ ତାଙ୍କର ବୈଷୟିକ ଟିମ୍ ଓ ଜିଲ୍ଲାର ବରିଷ୍ଠ ଅଧିକାରୀ ଗଣ ଉପସ୍ଥିତ ଥିଲେ। ଏହି ଟିମ୍ ସମୁଦ୍ର କୂଳଠାରୁ ପେଣ୍ଠ ବାତ୍ୟା ଆଶ୍ରୟସ୍ଥଳ ପର୍ଯ୍ୟନ୍ତ ଚାଲିଚାଲି ଆସିବା ବେଳେ ସ୍ଥାନୀୟ ଲୋକମାନଙ୍କ ସହିତ ଅମ୍ପନର ଭୟଙ୍କର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ସମୁଦ୍ର କୂଳର ଏହି ପେଣ୍ଠ ଗାଁରେ ଅନେକ ଚାଳଛପର ଘର ଦେଖି ବିସ୍ମିତ ହୋଇଥିଲେ।

Comment