ଓଡ଼ିଶାଲାଇଭ୍‌ ବ୍ୟୁରୋ

ପହଣ୍ଡି ହୋଇ ଅଣସର ଘରକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜି ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ। ଏବେ ମହାପ୍ରଭୁଙ୍କୁ ଅଣସର ଘରକୁ ନିଆଯିବ। ସେଠାରେ ୧୫ ଦିନ ଅଣସର ଘରେ ରହିବେ ମହାପ୍ରଭୁ।

ସ୍ନାନଯାତ୍ରା ପାଇଁ କାଲି ବିଳମ୍ଵିତ ରାତିରୁ ଶ୍ରୀଜିଉଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ରାତି ୧ଟା ୨୫ରେ ମଙ୍ଗଳର୍ପଣ ହୋଇ ୧ଟା ୪୦ରେ ପହଣ୍ଡି ହୋଇଥିଲା। ରାତି ୧ଟା ୪୦ ପହଣ୍ଡି ଆରମ୍ଭ ହୋଇ ୩ଟା ୧୦ରେ ସରିଥିଲା। ପରେ ରାତି ୩ଟା ୪୦ରେ ସ୍ନାନ ମଣ୍ଡପରେ ବିଜେ ହେଲେ ମଦନମୋହନ।

ପରେ ଭୋର ୪ଟା ୨୦ରେ ମଙ୍ଗଳ ଆଳତି ଓ ୪ଟା ୩୫ରେ ମଇଲମ, ତଡ଼ପଲାଗି ହୋଇଥିଲା। ଭୋର ୪ଟା ୫୦ରେ ମହାପ୍ରଭୁଙ୍କ ଅଧର ପୋଛା ନୀତି ସମ୍ପନ୍ନ ହୋଇଥିଲା। ମହାପ୍ରଭୁଙ୍କ ମଙ୍ଗଳ ଆଳତି ଅବକାଶ ନୀତି ଓ ବେଶ ଶେଷ ଶେଷ ହେବା ପରେ ସୂର୍ଯ୍ୟ ଓ ଦ୍ଵାରପାଳ ପୂଜା ମଧ୍ୟ ସମ୍ପର୍ଣ୍ଣ ହୋଇଥିଲା। ଏହା ପରେ ମହାପ୍ରଭୁଙ୍କ ମହାସ୍ନାନ ହୋଇଥିଲା।

ଏହାପରେ ଛେରାପହଁରା ସେବା ହୋଇଥିଲା। ସ୍ନାନଯାତ୍ରାକୁ ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବ ଆସି ନଥିଲେ। ସେଥିପାଇଁ ସ୍ନାନଯାତ୍ରାରେ ମୁଦିରସ୍ତ ଛେରପହଁରା କରିଛନ୍ତି। ଗଜପତି ମହାରାଜାଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ଛେରାପହଁରା କରିଥିଲେ। ମଇଲମ, ମେକାପ ସର୍ବାଙ୍ଗ ଓ ନୂଆଲୁଗା ବେଶ ପରେ ଛେରାପହଁରା ସେବା ହୋଇଥିଲା।

ଏହାପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ହାତୀ ବେଶ ହୋଇଥିଲା। ସ୍ନାନମଣ୍ଡପରେ ହାତୀ ବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ। ହେଲେ ଏଥର କୋଭିଡ କଟକଣା ଯୋଗୁଁ ଭକ୍ତମାନଙ୍କ ଦର୍ଶନ ମନା ହୋଇଥିଲା। ଏହାସହ ବଡ଼ଦାଣ୍ଡରେ ୧୪୪ ଧାରା ଲାଗୁ କରାଯାଇଥିଲା।

Comment