ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାର ସ୍ନାନ ପୂର୍ଣ୍ଣିମା ପରେ ଏବେ ଅଣସର ଘରେ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଜରରେ ପଡ଼ିବା ପରେ ଅଣସର ପିଣ୍ଡିରେ ରହିଛନ୍ତି ମହାପ୍ରଭୁ। ଅନ୍ୟପକ୍ଷରେ ସେବାୟତଙ୍କ ଦ୍ଵାରା ଗୁପ୍ତ ସେବା ନୀତି ମଧ୍ୟ ଆରମ୍ଭ ହୋଇଛି। ଏହି ସେବା ୧୪ ଦିନ ଧରି ଚାଲିବ।

ମହାପ୍ରଭୁ ଅଣସରରେ ଥିବାରୁ ରତ୍ନ ସିଂହାସନରେ ପଟିଦିଅଁ ପୂଜା ପାଉଛନ୍ତି। ସେହିପରି ଆଜିଠୁ ପୁରୀ ଅଲାରନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ହୋଇଥାନ୍ତା। ହେଲେ କୋଭିଡ୍‌ କଟକଣା ଯୋଗୁଁ ଅଲାରନାଥରେ ୧୪୪ ଧାରା ଜାରି କରାଯାଇଛି। ଭକ୍ତମାନଙ୍କୁ ଦର୍ଶନ ପାଇଁ ବାରଣ କରାଯାଇଛି।

ଶ୍ରୀମନ୍ଦିର ରତ୍ନସିଂହାସନରେ ଜଗନ୍ନାଥଙ୍କ ବାଡ଼ରେ ପ୍ରଭୁ ନାରାୟଣ, ବଳଭଦ୍ରଙ୍କ ବାଡ଼ରେ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ଵରୀ ପୂଜା ପାଉଛନ୍ତି। ସେପଟେ ଅଣସରେ ଘରେ ଚାଲିଛି ଗୁପ୍ତ ନୀତି। ଛପନ ପଉଟି ଭୋଗ ବଦଳରେ ମହାପ୍ରଭୁଙ୍କୁ ଲାଗି ହେଉଛି ଫଳମୂଳ।

ଗତକାଲି କଟକଣା ଭିତରେ ଶେଷ ହୋଇଛି ମହାପ୍ରଭୁଙ୍କ ସ୍ନାନଯାତ୍ରା। ହାତୀ ବେଶ ଶେଷ ହେବା ପରେ ଗୋଟି ପହଣ୍ଡି କରି ପ୍ରଥମେ ବଡ଼ ଠାକୁର ବଳଭଦ୍ର, ପରେ ମହାପ୍ରଭୁ ଜଗନ୍ନାଥ ଓ ପରେ ଦେବୀ ସୁଭଦ୍ରା ଅଣସର ପିଣ୍ଡିକୁ ଯାଇଥିଲେ।

Comment