ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ଦିନର ଦାବି ପରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ କବିତା ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର। ଏହି ସଙ୍ଗୀତକୁ ନେଇ କେବେ କ’ଣ ହୋଇଥିଲା ଜାଣନ୍ତୁ।

୭ ନଭେମ୍ବର ୧୯୯୪: ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ବିଧାନସଭାରେ ଏହି ସଙ୍ଗୀତ ଗାନ କରିବା ପାଇଁ ବାଚସ୍ପତି ଯୁଧିଷ୍ଠିର ଦାସଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା।

୧ ଡିସେମ୍ବର ୧୯୯୪: ବିଧାନସଭାରେ ଏହି ସଙ୍ଗୀତ ଗାନ କରିବା ପାଇଁ ବିଧାନସଭା ସଚିବଙ୍କ ନିଷ୍ପତ୍ତି।

୨୧ ଡିସେମ୍ବର ୧୯୯୪: ସପ୍ତଦଶ ଅଧିବେଶନର ଶେଷ ଦିନରେ ସର୍ବ ପ୍ରଥମେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପ୍ରଚଳନ କରାଯାଇଥିଲା।

୧୯ ଡିସେମ୍ବର ୨୦୦୨: ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ବିଧାନସଭାରେ ବିତର୍କ। ତତ୍କାଳୀନ ବାଚସ୍ପତି ଶରତ କୁମାର କର ସାର୍କୁଲାର ଜାରି କରିବାକୁ ସରକାରଙ୍କୁ ଦେଲେ ନିର୍ଦ୍ଦେଶ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କୁ ଚିଠି ଲେଖିଲେ ବାଚସ୍ପତି।

୧୦ ମେ’ ୨୦୦୩: ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ବାଚସ୍ପତି ଶରତ କୁମାର କରଙ୍କ ଅଧ୍ୟକ୍ଷତାରେ ବୈଠକ। ଏଥିରେ ପ୍ରଥମ, ଚତୁର୍ଥ ଓ ଶେଷ ପଦ ୭୦ରୁ ୯୦ ସେକେଣ୍ଡ ଭିତରେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ମୂଳ କଣ୍ଠ ସ୍ୱରରେ ଗାନ କରିବାକୁ ନିଷ୍ପତ୍ତି।

୭ ଡିସେମ୍ବର ୨୦୦୫: କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟୀକରଣ ପାଇଁ ପତ୍ର।

୭ ଡିସେମ୍ବର ୨୦୦୬: ଆଇନ ପ୍ରଣୟନ ସମ୍ବିଧାନ ସମ୍ମତ ନୁହେଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦେଲେ।

୨୬ ଅଗଷ୍ଟ ୨୦୦୬: ବଚେସ୍ପତି ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକ। ଏଥିରେ ପ୍ରଥମ, ଚତୁର୍ଥ ଓ ଷଷ୍ଠ ପଦ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ମୂଳ କଣ୍ଠ ସ୍ୱରରେ ଗାନ କରିବାକୁ ନିଷ୍ପତ୍ତି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପୋଲିସ ବ୍ୟାଣ୍ଡ ସହାୟତାରେ ଏହା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଗଲା।

୧୫ ଡିସେମ୍ବର ୨୦୧୨: ତତ୍କାଳୀନ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ମହେଶ୍ୱର ମହାନ୍ତି ରାଜ୍ୟ ସଙ୍ଗୀତ ମାନ୍ୟତା ଦିଆଯାଇ ପାରିବ ନାହିଁ ବୋଲି କହିଥିଲେ।

୧୭ ଡିସେମ୍ବର ୨୦୧୨: ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ମହେଶ୍ୱର ମହାନ୍ତି ବିଧାନସଭା ପ୍ରକୋଷ୍ଠରେ ବୈଠକ ଡାକି ଗୃହ ବିଭାଗକୁ ପତ୍ର ଦେବା ପାଇଁ ନିଷ୍ପତ୍ତି ନେଲେ।

୨୨ ଜାନୁଆରି ୨୦୧୩: ରାଜ୍ୟ ସଂସ୍କୃତି ବିଭାଗ ୧୭-୧୨-୨୦୧୨ର ବିବରଣୀ ସହିତ ଦୁଇଟି ସିଡି ଗୃହ ବିଭାଗକୁ ପଠାଇଲେ।

୪ ଡିସେମ୍ବର ୨୦୧୪: ସଂସ୍କୃତି ବିଭାଗରୁ କୌଣସି ପତ୍ର ମିଳିନାହିଁ ବୋଲି ଗୃହ ବିଭାଗ କହିଥିଲା। ରାଜ୍ୟ ସଙ୍ଗୀତ ମାନ୍ୟତା ଦିଆଯାଇ ପାରିବ ନାହିଁ ବୋଲି ସୂଚନା ଅଧିକାର ଆଇନର ପ୍ରଶ୍ନର ଉତ୍ତର ଦେଇଥିଲା ଗୃହ ବିଭାଗ।

୨ ଜୁନ ୨୦୧୭: ରାଜ୍ୟ ସଂସ୍କୃତି ବିଭାଗ ଚିଠି ନମ୍ବର ୧୨୫/ଟିସି ୨୨-୧-୨୦୧୩ରେ ଗୃହ ବିଭାଗକୁ ଚିଠି ଦେଇଥିବା ଉତ୍ତର ଦେଲେ।

୨୫ ଜୁନ ୨୦୧୮: ରାଜ୍ୟ ସଙ୍ଗୀତ ମାନ୍ୟତା ଦାବି ଜୋର ଧରିବା ପରେ ମୁଖ୍ୟମନ୍ତ୍ରୀ ଏହା ଉପରେ ନିଷ୍ପତ୍ତି ନେବେ ବୋଲି ଚର୍ଚ୍ଚା।

୨୬ ଜୁନ ୨୦୧୮: ବନ୍ଦେ ଉତ୍କଳ ବଦଳରେ ବନ୍ଦେ ଓଡ଼ିଶା ଜନନୀ ହେଉ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ବିବାଦୀୟ ମନ୍ତବ୍ୟ ଦେଇଥିଲେ।

୧୪ ଜାନୁଆରି ୨୦୧୯: ଏକ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା ୪ କୋଟି ଓଡ଼ିଆଙ୍କ ଅସ୍ତିତ୍ୱର ପ୍ରତୀକ।

୧୫ ଜାନୁଆରି ୨୦୧୯: ଉତ୍କଳ ସମ୍ମିଳନୀର ପ୍ରଶ୍ନ – କାହିଁକି ମୁଖ୍ୟମନ୍ତ୍ରୀଙ୍କ ଟେବୁଲରେ ପଡ଼ି ରହିଛି ଓଡ଼ିଆ ସ୍ୱାଭିମାନର ପ୍ରତୀକ?

୧ ଅଗଷ୍ଟ ୨୦୧୯: ବନ୍ଦେ ଉତ୍କଳ ଜନନୀ ଗାନକୁ ନେଇ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉଦବେଗ। ପଦକ୍ଷେପ ନେବାକୁ ସଂସ୍କୃତି ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି।

୩୦ ଜୁନ୍ ୨୦୨୦: କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ରାଜ୍ୟ, ଦେଶ ଓ ବିଦେଶରେ ଥିବା ଓଡ଼ିଆ ସନ୍ଧ୍ୟା ୫ଟା୩୦ରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ।

୭ ଜୁନ ୨୦୨୦: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ବନ୍ଦେ ଉତ୍କଳ ଜନନୀକୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା।

Comment