ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାମାଜିକ ଦୂରତା ନିୟମ ଉଲ୍ଲଂଘନ ପରେ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ସିଲ୍‌ କଲା ପ୍ରଶାସନ।

‘‘ଆମେ ବ୍ୟବସାୟ କରୁଛୁ। ଗ୍ରାହକ ଆମ ପାଖକୁ ଆସିବେ। ଲୋକଙ୍କୁ ଜଗିବା ଦାୟିତ୍ୱ ଆମର ନୁହେଁ। ଏହା ହେଉଛି ପ୍ରଶାସନ ଏବଂ ପୋଲିସର କାମ। ତାହା ନକରି ଦୋକାନ ବନ୍ଦ କରିବା ଠିକ୍‌ ନୁହେଁ’’, ମାର୍କେଟ ବିଲ୍ଡିଂ ସିଲ୍‌ ହେବା ପରେ ଏହା କହିଛନ୍ତି ବ୍ୟବସାୟୀ।

ରଜ କିଣାକିଣି ପାଇଁ ଆଜି ଭୁବନେଶ୍ୱରରେ ପ୍ରବଳ ଭିଡ଼ ହୋଇଥିଲା। ବିଶେଷକରି ମାର୍କେଟ ବିଲ୍ଡିଂ ଜନସମୁଦ୍ର ପାଲଟି ଯାଇଥିଲା। ଆଜି ରାତି ୧୦ଟା ଯାଏଁ ରାଜ୍ୟ ସରକାର କର୍ଫ୍ୟୁ କୋହଳ କରିଥିବାରୁ ସମସ୍ତେ ମାର୍କେଟିଂ କରିବାକୁ ଘରୁ ଚାଲି ଆସିଥିଲେ। ହେଲେ କେହି ବି ସାମାଜିକ ଦୂରତା ନିୟମ ମାନି ନଥିଲେ। ସବୁ ଦୋକାନ ଆଗରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ନା ଏଠାରେ ପୋଲିସ ଥିଲେ ନା ଦୋକାନୀମାନେ ତାଗିଦ କରୁଥିଲେ? ସମସ୍ତେ ଯେମିତି ସାମାଜିକ ଦୂରତା ନିୟମକୁ ଫୁ କରିଦେଇଥିଲେ।

ପରିସ୍ଥିତି ଅସମ୍ଭାଳ ହେବାରୁ ଶେଷରେ ବିଏମ୍‌ସି କମିସନରେଟ୍‌ ପୋଲିସ ସହାୟତାରେ ମାର୍କେଟ ବିଲ୍ଡିଂ ସିଲ୍‌ କରିଦେଇଥିଲା। ଡାକବାଜି ଯନ୍ତ୍ର ଜରିଆରେ ଦୋକାନ ବନ୍ଦ କରିବାକୁ ପୋଲିସ ଅପିଲ କରିଥିଲା। ହେଲେ ଯେଉଁ ବ୍ୟବସାୟୀମାନେ ଶୁଣି ନଥିଲେ ସେମାନଙ୍କ ଦୋକାନ ବଳପୂର୍ବକ ବନ୍ଦ କରାଯାଉଥିଲା। ଏଥିରେ ଉତ୍‌କ୍ଷୀପ୍ତ ହୋଇଯାଇଥିଲେ କିଛି ବ୍ୟବସାୟୀ।

‘‘ଆମେ ଦୁଇ ମାସ ହେଲା ହାତ ବାନ୍ଧି ବସିଲୁ। ଲକ୍‌ଡାଉନ ଯୋଗୁଁ ଦୋକାନ ଖୋଲିପାରିଲୁ ନାହିଁ। ହେଲେ ପ୍ରଶାସନ ଦୋକାନ ଭଡ଼ା ଛାଡ଼ିଲା ନାହିଁ। ଏବେ କଟକଣା କୋହଳ କରି ଦୋକାନ ଖୋଲିବାକୁ ସରକାର ଅନୁମତି ଦେଲେ। ଆମେ ବେପାର କରୁଥିବା ବେଳେ ହଠାତ ସିଲ୍‌ କରିଦିଆଗଲା। ଆମେ ଏବେ କ’ଣ କରିବୁ। ଲୋକଙ୍କୁ ନିୟନ୍ତ୍ରଣ କରିବା ଦାୟିତ୍ୱ କାହାର?’’, ଏମିତି ପ୍ରଶ୍ନ କରିଛନ୍ତି ମାର୍କେଟ ବିଲ୍ଡିଂ କିଛି ବ୍ୟବସାୟୀ।

ମାର୍କେଟ ବିଲ୍ଡିଂ ପରି ୧ ନମ୍ବର ହାଟକୁ ମଧ୍ୟ ପ୍ରଶାସନ ସିଲ୍‌ କରିଛି। ଭିଡ଼ ଅଧିକ ହେବାରୁ ଏବଂ ଲୋକମାନେ ସାମାଜିକ ଦୂରତା ନିୟମ ନମାନିବାରୁ ପ୍ରଶାସନ ଏହି ପଦକ୍ଷେପ ନେଇଛି।

Comment