ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାମାଟିର ଅନ୍ୟତମ ଜାତୀୟବାଦୀ କବି, ସମାଜବାଦୀ ଚେତନାର ଅଗ୍ରଦୂତ, କବିତାରେ ନୂତନ ଛନ୍ଦକୁ ଯୋଗ କରି କବିତାକୁ ଏକାଧାରରେ ହୃଦୟସ୍ପର୍ଶୀ ଓ ଭାବ ସଙ୍ଗତ କରିଥିଲେ ଅନନ୍ତ ପଟ୍ଟନାୟକ। ତାଙ୍କ ଅବଦାନ ପାଇଁ ସେ ଚିର ସ୍ମରଣୀୟ।

‘‘ଓଡ଼ିଆ କବିତାର କର୍ଣ୍ଣଧାର କବି ଅନନ୍ତ ପଟ୍ଟନାୟକ। ବିଶେଷଭାବରେ ପ୍ରଗତିଶୀଳ ଚେତନାର ସେ ଥିଲେ ମୁଖ୍ୟ। ଗୋପବନ୍ଧୁଙ୍କ ଚିନ୍ତାଧାରା ତାଙ୍କୁ ଅନୁପ୍ରାଣିତ କରିଥିଲା। ସେ ମହାତ୍ମା ଗାନ୍ଧୀଙ୍କ ଜାତୀୟତାବାଦ ଚେତନାରେ ମୁଗ୍ଧ ହୋଇଥିଲେ’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରି ହର ମିଶ୍ର।

ଆଜି ସେହି ଯୁଗସ୍ରଷ୍ଟା ମହାନ କବିଙ୍କର ଜନ୍ମ ବାର୍ଷିକୀ। ଏହି ଅବସରରେ ତାଙ୍କୁ ସମ୍ମାନ ଜଣାଇବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିବର୍ଷ ଜନ୍ମ ବାର୍ଷିକୀ ପାଳନ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି।

୧୯୧୨ ମସିହାରେ ଜୁନ୍‌ ୧୨ରେ ପୁରୀର ଚଣାହାଟରେ ସେ ଜନ୍ମ ହୋଇଥିଲେ। ପିଲାଦିନରୁ ତାଙ୍କର ପିତାମାତାଙ୍କର ଦେହାନ୍ତ ହୋଇଥିଲା। ଉଭୟ ପିତା ମାତାଙ୍କୁ ଗୋଟିଏ ଜୁଇରେ ଦାହ କରାଯାଇଥିଲା। ପିଲାବେଳେ ସେ ଅନାଥ ହୋଇଯାଇଥିଲେ। ପୁରୀ ଜିଲ୍ଲା ସ୍କୁଲ ପାଠ ପଢ଼ିବା ସମୟରେ ତାଙ୍କର ଜୀବନରେ ଏକ ପରିବର୍ତ୍ତନ ହେଲା। ସେହିଠାରୁ ସେ ଜଗବନ୍ଧୁ ସିଂଙ୍କ ସଂସ୍ପର୍ଶରେ ଆସିଲେ।

‘‘କବି ଅନନ୍ତ ପଟ୍ଟନାୟକ, ଭଗବତ ଚରଣ ପାଣିଗ୍ରାହୀ, ସଚ୍ଚି ରାଉତରାୟ ପ୍ରମୁଖ ଓଡ଼ିଆ ପ୍ରଗତିବାଦୀ ଧାରାର ସ୍ରଷ୍ଟା ଭାବେ ପରିଚିତ। ଅନନ୍ତ ପଟ୍ଟନାୟକ ପ୍ରଗତିଶୀଳ କବି ଭାବେ, ଚିନ୍ତାନାୟକ ଭାବରେ ଏବଂ ସଙ୍ଗଠକ ଭାବରେ ସାରା ଓଡ଼ିଶାରେ ଖ୍ୟାତି ଅର୍ଜନ କରିଛନ୍ତି। ଯେଉଁ କ୍ଷେତ୍ରରେ ସେ ଲେଖନୀ ଚାଳନା କରିଛନ୍ତି ସେଥିରେ ସେ ସଫଳ ହୋଇଛନ୍ତି’’, କହିଛନ୍ତି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ।

ସେ ଆହୁରି ମଧ୍ୟ କହିଛନ୍ତି,‘‘ଅନନ୍ତ ପଟ୍ଟନାୟକଙ୍କ କାବ୍ୟ କବିତାରେ ଶବ୍ଦର ଲାଳିତ୍ୟ ଓ ଚମତ୍କାର ସାଙ୍ଗତିକତା ଓ ନୂତନତ୍ୱର ପ୍ରାୟୋଗ ବୋଧହୁଏ ଅନ୍ୟ କୌଣସି କବିତାରେ ଦେଖିବାକୁ ମିଳେନାହିଁ।’’

”ଆଧୁନିକ ଓଡ଼ିଆ ସାହିତ୍ୟକୁ ନିଜ ପ୍ରଗତିବାଦୀ ଚିନ୍ତା ଓ ଚେତନା ଦ୍ୱାରା ଶାଣିତ କରିଥିଲେ କବି, ନାଟ୍ୟକାର ଓ ପ୍ରାବନ୍ଧିକ ଅନନ୍ତ ପଟ୍ଟନାୟକ। ଓଡ଼ିଆ ଚଳଚ୍ଚିତ୍ର ପ୍ରତି ମଧ୍ୟ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା। ୧୯୫୨ ମସିହାରେ ମୁକ୍ତିଲାଭ କରିଥିବା କଥାଚିତ୍ର ସପ୍ତଶଯ୍ୟାରେ ସେ ଥିଲେ ସଂଳାପକାର, ଗୀତକାର, ସହ ନିର୍ଦ୍ଦେଶକ। ସେ ଥିଲେ ଏକରେ ଅନେକ’’ କହିଛନ୍ତି ଓଡ଼ିଆ ସାହିତ୍ୟ ଏକାଡେମୀର ସଚିବ ସୁଚିସ୍ମିତା ମନ୍ତ୍ରୀ।

‘‘ଓଡ଼ିଶାମାଟିର ଅନ୍ୟତମ ଜାତୀୟବାଦୀ କବି, ସମାଜବାଦୀ ଚେତନାର  ଅଗ୍ରଦୂତ, କବିତାରେ ନୂତନ ଛନ୍ଦକୁ ଯୋଗ କରି ଯିଏ କବିତାକୁ ଏକାଧାରରେ ହୃଦୟସ୍ପର୍ଶୀ ଓ ଭାବ ସଙ୍ଗତ କରିଥିଲେ ସେ ଥିଲେ କବି ଅନନ୍ତ ପଟ୍ଟନାୟକ। ତାଙ୍କ କବିତାର ସ୍ୱତନ୍ତ୍ର୍ୟତା ରହିଥିଲା’’ କହିଛନ୍ତି ବିଶିଷ୍ଟ କବି ଡକ୍ଟର ମନୋରାମା ମହାପାତ୍ର।

‘‘ଓଡ଼ିଆ କବିତାକୁ ଭାବମୟ, ପ୍ରାଣମୟ କରିଥିବା ମହାନ ସ୍ରଷ୍ଟା ଥିଲେ ଅନନ୍ତ ପଟ୍ଟନାୟକ। ପିଲା ଦିନରୁ ଜୀବନର ଯେଉଁ ବାସ୍ତବତାକୁ ସେ ସାମ୍ନା କରିଥିଲେ ତାହା ତାଙ୍କ ସୃଜନଶୀଳ ସତ୍ତାକୁ ପ୍ରଭାବିତ କରିଥିଲା। ଛାତ୍ର ଜୀବନରୁ ସେ ସେ ସମାଜ ସେବା ପାଇଁ ପ୍ରଭାବିତ ହୋଇଥିଲେ। ଦେଶମାତୃକାର ମୁକ୍ତି ପାଇଁ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ’’, କହିଛନ୍ତି ବିଶିଷ୍ଟ ପ୍ରାବନ୍ଧିକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ।

କବିତା, ଗଳ୍ପ, ଅନୁବାଦ ସାହିତ୍ୟ ମଧ୍ୟ ରଚନା କରିଛନ୍ତି ଅନନ୍ତ ପଟ୍ଟନାୟକ। ତାଙ୍କର ଅବଦାନ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସୋଭିଏତ ଲ୍ୟାଣ୍ଡ ନେହେରୁ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି।

ଅନନ୍ତ ପଟ୍ଟନାୟକଙ୍କ ଲେଖା ମଧ୍ୟରେ ରହିଛି ଅବାନ୍ତର , ରକ୍ତଶିଖା  ଛାଇର ଛିଟା, ଅଲୋଡ଼ା ଲୋଡ଼ା, ଶାନ୍ତି ଶିଖା ପ୍ରଭୃତି। ୧୯୮୭, ଜୁନ ୨୫ ତାରିଖରେ ଏହି ଦିନ ସେହି ଦିପ୍ତୀମୟ ପ୍ରତିଭାଙ୍କ ଦେହାନ୍ତ ହୋଇଥିଲା।

LEAVE A REPLY

Please enter your comment!
Please enter your name here