ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଥର ହେବନି ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା। ପ୍ରତିକ୍ରିୟା ରଖିଲେ ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର।

“ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ଆମେ ସମ୍ମାନ ଦେଉଛୁ। ହେଲେ ଚଳିତ ବର୍ଷ ଯଦି ରଥଯାତ୍ରା ନହେବ ତେବେ ମହାପ୍ରଭୁ ଅଣସରରୁ ବାହିରି ପାରିବେନାହିଁ। ରଥଯାତ୍ରା ହୋଇଥିଲେ ମହାପ୍ରଭୁ ନବଯୌବନ ଦର୍ଶନ ଦେଇ ରତ୍ନ ମଣ୍ଡପକୁ ଯାଇଥାନ୍ତେ। ହେଲେ ଏଥର ବିଧି ଅନୁସାରେ ସବୁ ନହେଲେ ମହାପ୍ରଭୁ ଅଣସରରେ ରହିଯିବେ” କହିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରଥଯାତ୍ରାର କୌଣସି ବିକଳ୍ପ ନାହିଁ। ରଥଯାତ୍ରାରେ ମହାପ୍ରଭୁ ପରମ୍ପରା ଅନୁସାରେ ରଥରେ ବସିଥାନ୍ତେ। ରଥ ଟଣା ହୋଇଥାନ୍ତା। ହେଲେ ଏଥର ରଥଯାତ୍ରା ବନ୍ଦ ହୋଇଯିବା ଯୋଗୁଁ ମହାପ୍ରଭୁଙ୍କୁ ରତ୍ନମଣ୍ଡପକୁ ନେଇ ହେବନି। ଏହାର ଅନ୍ୟ କୌଣସି ବିକଳ୍ପ ମଧ୍ୟ ନାହିଁ।

ଚଳିତ ବର୍ଷ ପୁରୀ ରଥଯାତ୍ରାକୁ ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମ୍‌କୋର୍ଟ। କରୋନା ସଂକ୍ରମଣ ପାଇଁ ଚଳିତ ବର୍ଷ ରଥଯାତ୍ରା ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟଙ୍କ ଏଭଳି ରାୟ କୋଟିକୋଟି ଭକ୍ତଙ୍କ ହୃଦୟ ଭାଙ୍ଗି ଦେଇଛି।

କରୋନା ସଂକ୍ରମଣ ସମୟରେ ରଥଯାତ୍ରା ଆୟୋଜନକୁ ନେଇ ଓଡ଼ିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢ଼ୀ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ରଥଯାତ୍ରା ହେଲେ ସାମାଜିକ ଦୂରତା ରକ୍ଷା ହୋଇପାରିବ ନାହିଁ। ଫଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବ ବୋଲି ସେ କହିଥିଲେ।

Comment